ଜୀବନ ସହ ସଂଗ୍ରାମରେ ହାରିଗଲେ ଉନ୍ନାଓ ଗଣ ଦୁଷ୍କର୍ମ ପୀଡ଼ିତା : ଶୁକ୍ରବାର ରାତି ୧୧.୪୦ରେ ମୃତ୍ୟୁ

ନୂଆଦିଲ୍ଲୀ : ଜୀବନ ସହ ସଂଗ୍ରାମରେ ଶେଷରେ ହାରିଗଲେ ଉନ୍ନାଓ ଗଣ ଦୁଷ୍କର୍ମ ପୀଡ଼ିତା । ଶୁକ୍ରବାର ରାତି ୧୧.୪୦ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି । ଗୁରୁବାର ଅଭିଯୁକ୍ତମାନେ କିରୋସିନ ଢାଳି ତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ। ହେଲେ ଗୁରୁତର ଅବସ୍ଥାରେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶରୀରର ୯୦ ଭାଗ ପୋଡି ଯାଇଥିବାରୁ ଡ଼ାକ୍ତରଙ୍କ ଅକ୍ଳାନ୍ତ ଉଦ୍ୟମ ସତ୍ତ୍ବେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଗୁରୁବାର ଉତ୍ତର ପ୍ରଦେଶ ଉନ୍ନାଓର ଜଣେ ୨୩ବର୍ଷୀୟା ବଳାତ୍କାର ପୀଡ଼ିତା ଅଦାଲତକୁ ଯାଉଥିବାବେଳେ ତାଙ୍କୁ ଜାମିନରେ ଆସିଥିବା ଅଭିଯୁକ୍ତମାନେ ଏକ ପଡ଼ିଆରେ କିରୋସିନି ଢ଼ାଳି ଜାଳି ଦେଇଥିଲେ । ପ୍ରାୟ ୯୦ପ୍ରତିଶତ ଦଗ୍ଧ ପୀଡ଼ିତାଙ୍କୁ ଶେଷରେ ସଫଦରଜଙ୍ଗ ହସ୍ପିଟାଲକୁ ପଠାଯାଇଥିଲା ।  ଗତ ମାର୍ଚ୍ଚ ମାସରେ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଥିବାବେଳେ ଗତ ସପ୍ତାହରେ ଜାମିନରେ ଆସିଥିବା ଅଭିଯୁକ୍ତମାନେ ଏଭଳି ଦୁଃସାହସ କରିଛନ୍ତି। ସଂକଟାପନ୍ନ ଥିବା ପୀଡ଼ିତାଙ୍କୁ ସନ୍ଧ୍ୟାରେ ଏୟାର ଆମ୍ବୁଲାନ୍ସ ଯୋଗେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲକୁ ପଠାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ପୂର୍ବରୁ ଉନ୍ନାଓର ଜଣେ ନାବାଳିକାଙ୍କୁ ବଳାତ୍କାର ଓ ତାଙ୍କ ବାପାଙ୍କୁ ହତ୍ୟା ପରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଦୁର୍ଘଟଣାରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗକ୍ରମେ ବିଜେପି ବିଧାୟକ କୁଳଦୀପ ସିଂହ ସେନଗର ସମ୍ପ୍ରତି ଜେଲ୍‌ରେ ଅଛନ୍ତି।
ତେବେ ସଦ୍ୟ ଘଟଣା ଅନୁଯାୟୀ, ଗତ ମାର୍ଚ୍ଚରେ ନିଜ ଗାଁର ୨ଜଣ ଯୁବକ ତାଙ୍କୁ ବଳାତ୍କାର କରିଥିବା ନେଇ ପୀଡ଼ିତା ଏତଲା ଦେଇଥିଲେ। ସେମାନେ ତାଙ୍କ ସହିତ ୨୦୧୮ରୁ ପରିଚିତ ଥିଲେ। ଜଣେ ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ଶୋଷଣ କରୁଥିଲା। ପରେ ସେ ତାର ଜଣେ ବନ୍ଧୁଙ୍କ ସହିତ ବଳାତ୍କାର କରିଥିଲା। ସେମାନେ ବଳାତ୍କାର ଦୃଶ୍ୟର ଭିଡିଓ ରେକର୍ଡିଂ କରିଥିବା ପୀଡ଼ିତା ଏତଲାରେ ଦର୍ଶାଇଥିଲେ। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି ହାଜତ ପଠାଇଥିଲାବେଳେ ଅନ୍ୟ ଜଣେ ଫେରାର ଥିଲା। ଗିରଫ ଅଭିଯୁକ୍ତ ଗତ ୩୦ରେ ଜାମିନରେ ଆସିବା ପରେ ପୀଡ଼ିତାଙ୍କ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଉଣ୍ଡୁଥିଲାବେଳେ ସହଯୋଗୀମାନଙ୍କ ସହ ଗୁରୁବାର ଏଭଳି ଜଘନ୍ୟ କାଣ୍ଡ ଘଟାଇଛି। ଅଭିଯୁକ୍ତ ଯୁବକମାନେ ଗୁରୁବାର ପୂର୍ବାହ୍ଣରେ ପୀଡ଼ିତାଙ୍କୁ ରାସ୍ତାରୁ ଜୋର୍‌ଜବଦସ୍ତ ଉଠାଇନେଇ ଗାଁ ନିକଟ ପଡ଼ିଆରେ ତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ିତାଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ଲକ୍ଷ୍ନୌର ଶ୍ୟାମାପ୍ରସାଦ ମୁଖାର୍ଜୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏଥିପାଇଁ ଲକ୍ଷ୍ନୌ ଡାକ୍ତରଖାନାଠାରୁ ବିମାନବନ୍ଦର ଓ ଦିଲ୍ଲୀ ବିମାନବନ୍ଦରରୁ ଡାକ୍ତରଖାନା ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଥିଲା।
ଶେଷରେ ଶୁକ୍ରବାର ରାତି ୧୧.୪୦ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Comments are closed.