ଘୋର ଆର୍ଥିକ ସଂକଟରେ ଜାତିସଙ୍ଘ : ଆସନ୍ତା ମାସ ଦରମା ଦେବାକୁ ଅର୍ଥ ନାହିଁ

ନ୍ୟୁୟର୍କ : ଜାତିସଙ୍ଘରେ ଘୋର ଆର୍ଥିକ ସଂକଟ ସୃଷ୍ଟି ହୋଇଛି। ପରିସ୍ଥିତି ଏମିତି ହୋଇଛି ଯେ ଆସନ୍ତା ମାସରେ କର୍ମଚାରୀଙ୍କୁ ଦରମା ଦେବାକୁ ଅର୍ଥ ନାହିଁ। ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଜାତିସଙ୍ଘର ୧୯୩ ସଦସ୍ୟ ବିଶିଷ୍ଟ ଜେନେରାଲ ଆସେମ୍ବ୍ଲି ବଜେଟ କମିଟି ବୈଠକରେ ଗୁଟେରସ୍‌ କହିଛନ୍ତି ଯେ ସଦସ୍ୟ ରାଷ୍ଟ୍ରମାନେ ସେମାନଙ୍କ ଦେୟ ପ୍ରଦାନ କରି ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଜାନୁଆରୀ ମାସରୁ ସେ ଯଦି ଖର୍ଚ୍ଚକାଟ ବ୍ୟବସ୍ଥା ନ କରିଥାଆନ୍ତେ; ତେବେ ନିକଟରେ ଅନୁଷ୍ଠିତ ସମ୍ମିଳନୀ ଆୟୋଜନ ସମ୍ଭବ ହୋଇ ନ ଥାଆନ୍ତା। ଚଳିତ ମାସରେ ଜାତିସଙ୍ଘ ଦଶନ୍ଧିର ସବୁଠୁ ସଂକଟଜନକ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଅନୁଷ୍ଠାନର ନିୟମିତ କାର୍ଯ୍ୟ ପରିଚାଳନା ଓ ସଂସ୍କାର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି। ନଭେମ୍ବର ମାସରେ ପରିସ୍ଥିତି ଆହୁରି ଭୟାନକ ହେବ ବୋଲି ଗୁଟେରସ୍‌ ଚେତାଇ ଦେଇଛନ୍ତି।
ଜାତିସଙ୍ଘର ସଦସ୍ୟ ରାଷ୍ଟ୍ରମାନେ ଏହି ବିଶ୍ବ ଅନୁଷ୍ଠାନର ପରିଚାଳନା ପାଇଁ ଦେଉଥିବା ପାଣ୍ଠି ବା ଚାନ୍ଦା ଦୀର୍ଘ କାଳ ଧରି ବାକି ରଖିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ଚାନ୍ଦା ଦେଇଥାଏ ଓ ଏହାର ଭାଗ ହେଉଛି ଚଳିତ ବର୍ଷ ନିୟମିତ ବଜେଟ୍‌ ପରିମାଣର ୨୨ପ୍ରତିଶତ; ଅର୍ଥାତ୍‌ ୩.୩ବିଲିୟନ ବା ୩୩୦କୋଟି ଡଲାର। ରାଜନୈତିକ, ମାନବୀୟ, ନିରସ୍ତ୍ରୀକରଣ, ଆର୍ଥିକ, ସାମାଜିକ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଏହି ପାଣ୍ଠି ବ୍ୟୟ ହୋଇଥାଏ। ଆମେରିକା ପୂର୍ବରୁ ୩୮୧ନିୟୁତ ଡଲାର ବାକି ରଖିଥିବାବେଳେ ଚଳିତ ବର୍ଷ ବଜେଟ ଅନୁସାରେ ବକେୟା ପରିମାଣ ୬୭୪ ନିୟୁତ ଡଲାର। ଜାତିସଙ୍ଘରେ ଅବସ୍ଥାପିତ ଆମେରିକୀୟ ମିଶନ୍‌ ଏହି ବେକୟାକୁ ସ୍ବୀକାର କରିଥିଲେ ମଧ୍ୟ ପାଣ୍ଠି ପ୍ରଦାନ ସମ୍ପର୍କରେ ନିରବ ରହିଛନ୍ତି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଜାତିସଙ୍ଘର ପରିଚାଳନା ପାଇଁ ତାଙ୍କ ଦେଶ ଅଯଥାରେ ଏତେ ବୋଝ ମୁଣ୍ଡାଉଛି। ଆମେରିକା ଉପରେ ଅନ୍ୟାୟ ଭାବେ ଏତେ ପାଣ୍ଠିର ବୋଝ ଲଦିଦିଆଯାଇଛି। ଏହାର ସଂଶୋଧନ ହେବା ଅାବଶ୍ୟକ। ଏହି ପରିପ୍ରେକ୍ଷୀରେ ସେ ଜାତିସଙ୍ଘ ପରିଚାଳନାରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଟ୍ରମ୍ପଙ୍କ ପରାମର୍ଶକ୍ରମେ ଗୁଟେରସ୍‌ ଖର୍ଚ୍ଚକାଟ ପାଇଁ ପଦ​‌େ​‌କ୍ଷପ ନେଇଛନ୍ତି। ଜାତିସଙ୍ଘ ମୁଖପାତ୍ର ଷ୍ଟିଫେନ୍ ଦୁଜାରିକଙ୍କ ସୂଚନାନୁଯାୟୀ, ୧୨୯ ସଦସ୍ୟ ରାଷ୍ଟ୍ର ଚଳିତ ବର୍ଷ ସୁଦ୍ଧା ସେମାନଙ୍କର ଦେୟ ଜମା କରିଛନ୍ତି। ଏହି ପରିମାଣ ୨୦୦କୋଟି ଡଲାର (୨ ବିଲିୟନ); କିନ୍ତୁ ସିଂହଭାଗ ପ୍ରଦାନ କରୁଥିବା ରାଷ୍ଟ୍ର ସେମାନଙ୍କ ଦେୟ ବାକି ରଖିବାରୁ ସଂକଟ ଦେଖାଦେଇଛି। ଏହା ଦ୍ବାରା ନ୍ୟୁୟର୍କ, ଜେନିଭା, ଭିଏନ୍ନା ଓ ନାଇରୋବିଠାରେ ଥିବା କାର୍ଯ୍ୟାଳୟ ତଥା ଆଞ୍ଚଳିକ ମିଶନ୍‌ଗୁଡ଼ିକର ପରିଚାଳନା ବାଧାପ୍ରାପ୍ତ ହେଉଛି। ଖର୍ଚ୍ଚକାଟ ପଦକ୍ଷେପ ସ୍ବରୂପ ଖାଲି ହେଉଥିବା ପଦ​‌େ​‌ର ସାନି ନିଯୁକ୍ତି ଦିଆଯାଉ ନାହିଁ। ନିହାତି ଆବଶ୍ୟକସ୍ଥଳେ ଅଧିକାରୀଙ୍କୁ ଗସ୍ତ ପାଇଁ ଅନୁମତି ମିଳୁଛି। ବହୁ ବୈଠକ ବାତିଲ କରାଯାଉଛି କିମ୍ବା ଅନ୍ୟ ବୈଠକ ସହିତ ମିଶାଇ ଦିଆଯାଉଛି।
ଅପରପକ୍ଷରେ ଜାତିସଙ୍ଘ ଶାନ୍ତିରକ୍ଷାବାହିନୀ ପାଇଁ ଅଲଗା ବଜେଟ ପ୍ରସ୍ତୁତ ହୋଇଥାଏ। ୨୦୧୯ବର୍ଷ ପାଇଁ ଏହାର ଆୟ-ବ୍ୟୟ ଅଟକଳ(ବଜେଟ) ପରିମାଣ ପ୍ରାୟ ୬୭୦କୋଟି ଡଲାର ହୋଇଥିବାବେଳେ ୨୦୧୦ ପାଇଁ ୬୫୧ ଡଲାର ଧାର୍ଯ୍ୟ ହୋଇଛି। ଆମେରିକା ଏହି ବଜେଟର ୨୮ପ୍ରତିଶତ ଦେବାର ବ୍ୟବସ୍ଥା ରହିଥିଲାବେଳେ ଏହା ୨୫ପ୍ରତିଶତ ଦେବାକୁ ଘୋଷଣା କରିଛି। ଏ ବାବଦରେ ଆମେରିକା ୨୪୦ କୋଟି ଡଲାର ବାକି ରଖିଛି। ଶାନ୍ତିରକ୍ଷାବାହିନୀ ପାଇଁ ସର୍ବାଧିକ ପାଣ୍ଠି ଯୋଗାଉଥିବା ରାଷ୍ଟ୍ର ମଧ୍ୟରେ ଅଛନ୍ତି ଇଥିଓପିଆ, ଭାରତ, ବାଂଲାଦେଶ, ନେପାଳ ଓ ରାୱଣ୍ଡା। ଏହି ରାଷ୍ଟ୍ରଗୁଡ଼ିକ ନିଯୁକ୍ତ କରିଥିବା ଶାନ୍ତିରକ୍ଷାବାହିନୀର ସୈନିକଙ୍କ ଦରମା ଓ ଭତ୍ତା ଆଦି ନିଜେ ବହନ କରିଥାଆନ୍ତି ଏବଂ ଜାତିସଙ୍ଘ ପକ୍ଷରୁ ଏହାର ପରିଶୋଧ କରାଯାଇଥାଏ। ସୈନିକଙ୍କ ପିଛା ମାସିକ ୧୪୨୮ଡଲାର ଦେଇଥାଏ ଜାତିସଙ୍ଘ। ସୂଚନାନୁଯାୟୀ, ବିଶ୍ବ ସାମରିକ ବ୍ୟୟର ମାତ୍ର ୧ ପ୍ରତିଶତ ଶାନ୍ତିରକ୍ଷାବାହିନୀ ପିଛା ଖର୍ଚ୍ଚ ହୋଇଥାଏ।

Comments are closed.