ଟ୍ରେନରେ କଟି ୪ କାଉଡିଆ ମୃତ

0

ରାଉରକେଲା/ ଲାଠିକଟା : ରାଉରକେଲା ସନ୍ନିକଟ ବେଦବ୍ୟାସ ଶୈବପୀଠକୁ ଜଳାଭିଷେକ ପାଇଁ ଆସିଥିବା ଏକ କାଉଡ଼ିଆ ଦଳ ଉପରେ ଟ୍ରେନ ମାଡ଼ି ଯିବା ଫଳରେ ଘଟଣାସ୍ଥଳରେ ୪ କାଉଡ଼ିଆଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାର ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିବାବେଳେ ଦଳରେ ଥିବା ଅନ୍ୟ ୩ କାଉଡ଼ିଆ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।
ମଧ୍ୟପ୍ରଦେଶ ଭିଲାଇ ଅଞ୍ଚଳର ମୂଳବାସିନ୍ଦା ନିଲେଶ ଦାସ (୩୨) ଯାଜପୁରରେ ରହି କପଡ଼ା ବ୍ୟବସାୟ କରନ୍ତି। ପତ୍ନୀ ଯମୁନା ନିଲେଶ ଦାସ (୨୮) ଓ ପୁଅ ଲକି ନିଲେଶ ଦାସ ୧୪) ସହିତ ସେ ଯାଜପୁରରେ ରହୁଛନ୍ତି। ଗତ କିଛି ଦିନ ତଳେ ନିଲେଶ ଦାସ ତାଙ୍କ ପରିବାର ସହିତ ଭିଲାଇ ଯାଇଥିଲେ। ଗାଁରେ ଥିବା ବେଳେ ଶୈବପୀଠ ବେଦବ୍ୟାସରେ ଜଳାଭିଷେକ କରିବାକୁ ଯୋଜନା କରିଥିଲେ। ଗତକାଲି ସକାଳେ ନିଲେଶ, ତାଙ୍କ ପତ୍ନୀ ଯମୁନା, ପୁଅ ଲକି, ଦୁଇ ସାନ ଭାଇ କରଣ କ୍ରିଷ୍ଣା ଦାସ, ରଘୁ କ୍ରିଷ୍ଣା ଦାସ, ସାନ ଭାଇଙ୍କ ଶଶୁର ରାମ ଭରୋସେ (୫୫) ଓ ଅନ୍ୟ ଜଣେ ପଡ଼ୋଶୀ ଶିବ ରତନ ଚୌଧୁରୀ ୭ ଜଣ ଭିଲାଇରୁ ଟ୍ରେନରେ ଆସି ଝାରସୁଗୁଡ଼ାରେ ଓହ୍ଲାଇ ଥିଲେ। ଝାରସୁଗୁଡ଼ାରୁ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ରାଉରକେଲା ଆସିଥିଲେ। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସେମାନେ ସମସ୍ତେ ପାନପୋଷ ଷ୍ଟେସନରେ ପହଞ୍ଚିଥିଲେ। କେବଳ ଏହି ୭ ଜଣ ନୁହଁନ୍ତି; ଅନ୍ୟାନ୍ୟ ବହୁ କାଉଡ଼ିଆ ପାନପୋଷ ଷ୍ଟେସନରେ ଓହ୍ଲାଇ ପାନପୋଷ ଛକ ବାଟେ ବେଦବ୍ୟାସ ଚାଲି ଯାଇଥିଲେ। ପାନପୋଷ ଛକ ବାଟେ ଗଲେ ଅଧିକ ରାସ୍ତା ଓ ଅଧିକ ସମୟ ଲାଗିବ ବୋଲି କେହି କେହି କହିଥିଲେ। ତେଣୁ ପାନପୋଷ ଷ୍ଟେସନରୁ ରେଲୱେ ବ୍ରିଜ୍‍ ଟ୍ରାକ ବାଟେ ଗଲେ ଶୀଘ୍ର ପହଞ୍ଚି ହେବ ବୋଲି ଆଉ କେହି ବି କହିଥିଲେ। ସେତେବେଳକୁ ରାତି ପ୍ରାୟ ସାଢ଼େ ୧୧ଟା ହୋଇ ଯାଇଥିଲା। ତେଣୁ ସେମାନେ ଶୀଘ୍ର ବେଦବ୍ୟାସରେ ପହଞ୍ଚିବା ପାଇଁ ପାନପୋଷ ଷ୍ଟେସନରୁ ଟ୍ରାକ୍‍ ଉପରେ ସିଧା ସିଧା ଚାଲିଥିଲେ। ସମସ୍ତଙ୍କ ପାଖରେ ମୋବାଇଲ ଟର୍ଚ୍ଚ ରହିଥିଲା। ଘନ ଅନ୍ଧକାର ଭିତରେ ସେମାନେ ଟର୍ଚ୍ଚ ଜାଳି ଟ୍ରାକ୍‍ରେ ଧାଡ଼ି ହୋଇ ଚାଲିଥିଲେ। ସେମାନେ ରେଲୱେ ବ୍ରିଜ୍‍ ଅଧାଅଧି ପାରି ହୋଇ ଯାଇଥିଲେ। ତେବେ ଏହି ସମୟରେ ମୁମ୍ବାଇ-ହାୱଡ଼ା ମେଲ୍‍ ଦ୍ରୁତ ଗତିରେ ମାଡ଼ି ଆସିଥିଲା। ପୋଲଟି ଦୋହଲି ଉଠିଥିଲା। ଟ୍ରାକ ଉପରୁ ହଟି ଯିବାକୁ ଆଉ ସମୟ ନଥିଲା। ଟ୍ରାକ୍‍ ଉପରେ ସେମାନେ ପ୍ରଥମ କରି ଯାଉଥିବାରୁ ଟ୍ରେନ ଆସିଲେ କିପରି ନିଜକୁ ସୁରକ୍ଷିତ ରଖିବେ ତାହା ସେମାନେ ଜାଣି ନଥିଲେ। ଆଗରେ ଚାଲୁଥିବା ନିଲେଶ, ତାଙ୍କ ପତ୍ନୀ ଯମୁନା, ପୁଅ ଲକି ଓ ସାନ ଭାଇଙ୍କ ଶଶୁର ରାମ ଭରୋସେଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଟ୍ରେନ ଧକ୍କାରେ ସେମାନଙ୍କ ଶରୀର ଏକ ପ୍ରକାର ଖଣ୍ଡବିଖଣ୍ଡିତ ହୋଇ ଯାଇଥିଲା। ଟ୍ରେନ ଧକ୍କାରେ ଯୁମୁନା ଓ ତାଙ୍କ ସ୍ୱାମୀ ନଦୀ ଭିତରକୁ ଖସି ପଡ଼ିଥିଲେ। ରାମ ଭରୋସା ସେହିଠାରେ ପ୍ରାଣ ହରାଇଥିଲେ। ପୁଅ ଲକି ଦେହରେ ଗଭୀର କ୍ଷତ ହୋଇ ରକ୍ତମାଂସ ବୋହି ଯାଇଥିଲା। କରଣ, ଶିବ ରତନ ଓ ରଘୁ କୌଣସି ପ୍ରକାରେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ସେମାନେ ଚିତ୍କାର କରିବାରୁ ଘଟଣା ଜଣାପଡ଼ିଥିଲା। ଖବର ପାଇ ରେଳବାଇ ପୁଲିସ, ରେଲୱେ ପ୍ରୋଟେକ୍ସନ ଫୋର୍ସ ଓ ଅନ୍ୟାନ୍ୟ ରେଳବାଇ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଲକିକୁ ପୁଲିସ ଆଣି ଆର୍‍ଜିଏଚ୍‍ରେ ଭର୍ତ୍ତି କରିଥିଲା। ମାତ୍ର ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟ୍ରେନ ଲାଇନରେ ପଡ଼ିଥିବା ରାମ ଭରୋସେଙ୍କ ଶବକୁ ପୁଲିସ ଆର୍‍ଜିଏଚ୍‍ ମର୍ଗରେ ରଖିଥିଲା। ଆଜି ସକାଳେ ପୁଲିସ ଓ ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରିଥିଲେ। ପୋଲ ତଳୁ ନିଲେଶଙ୍କ ଶବ ମିଳିଥିବାବେଳେ କଂସର ପାଖରୁ ଯମୁନାଙ୍କ ଶବ ମିଳିଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ରେଳବାଇ ପୁଲିସ ଶବ ହସ୍ତାନ୍ତର କରିବା ସହ ଅପମୃତ୍ୟୁ ମାମଲା ରୁଜୁୁ କରିଛି। ସୋମବାର ସନ୍ଧ୍ୟାରେ ଉକ୍ତ ୪ଜଣଙ୍କ ଶବ ସତ୍କାର ବେଦବ୍ୟାସଠାରେ କରାଯାଇଛି। ଦୂତ ଅନୁଷ୍ଠାନ ଏହି ଶବଗୁଡ଼ିକୁ ସତ୍କାର କରିଥିବା ଜଣାପଡ଼ିଛି।

Leave A Reply