ଚାଷୀପୁଅ ସନ୍ତୋଷଙ୍କ ନୂତନ ଉଦ୍ଭାବନ ; ଚୋରି ରୋକିବ ‘ଟ୍ରାକିଂ ଇଣ୍ଡିଆ’

ବାଳକାଟି : ଚୋରି ରୋକିବ ଟ୍ରାକିଂ ଇଣ୍ଡିଆ ଯନ୍ତ୍ର। ଏହି ନୂତନ ଉଦ୍ଭାବନ ଚୋରି ରୋକିବାରେ ବିଶେଷ ସହାୟକ ହେବ। ନିଜସ୍ବ ଜ୍ଞାନକୌଶଳରେ ଏହି ଯନ୍ତ୍ର ତିଆରି କରିଛନ୍ତି ଗରିବ ଚଷା ଘରର ପୁଅ ସନ୍ତୋଷ ପରିଡ଼ା (୨୯)। ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉତ୍ତରା ନିକଟ ତେରବାଟିଆ ଗ୍ରାମର ସନ୍ତୋଷଙ୍କ ବାପା ଲକ୍ଷ୍ମୀଧର ଜଣେ ଚାଷୀ ଏବଂ ମା’ ସୁନ୍ଦରୀ ଗୃହିଣୀ। ପିଲାବେଳୁ କିଛି ନୂଆ କରିବା ଚିନ୍ତାଧାରାରେ ସନ୍ତୋଷ ଆଇଟିଆଇ ପାସ୍‌ ପରେ ଗବେଷଣା ପ୍ରତି ମନ ବଳାଇଥିଲେ। ଦୈନନ୍ଦିନ ଘଟୁଥିବା ଚୋରି ରୋକିବା ପାଇଁ ସେ ଉଦ୍ଭାବନ କରିଛନ୍ତି ଏକ ଯନ୍ତ୍ର। ଯାହାର ନାମ ରଖିଛନ୍ତି ‘ଟ୍ରାକିଂ ଇଣ୍ଡିଆ’। ପ୍ରଥମେ ବାଇକ୍‌ ଉପରେ ପ୍ରୟୋଗ କରି ସଫଳ ହେବା ପରେ ଏବେ ଘରୁ ଓ ଦୋକାନରୁ ଚୋରି ରୋକିବା ପାଇଁ ଏହି ଯନ୍ତ୍ର ସେ ପ୍ରସ୍ତୁତ କରିଛନ୍ତି।
କୌଣସି ଦୁର୍ବୃତ୍ତ ଘର କିମ୍ବା ଦୋକାନ ଭିତରେ ପ୍ରବେଶ କରିବା ପରେ ଉକ୍ତ ଯନ୍ତ୍ରର ନାଲି ଲାଇଟ୍‌ ଜଳି ଉଠିବ ଏବଂ ସାଇରନ୍ ବାଜିବ। ଏଥିସହ ‘ଟ୍ରାକିଙ୍ଗ ଇଣ୍ଡିଆ ମୋବାଇଲ୍‍ କଲିଂ ହୋମ୍‍ ସିକ୍ୟୁରିଟି ସିଷ୍ଟମ’ ଦ୍ୱାରା ବ୍ୟବହାରକାରୀଙ୍କ ମୋବାଇଲକୁ ତୁରନ୍ତ ସୂଚନା ଦେବ। ପୁଲିସ ପାଖରେ ମଧ୍ୟ ସୂଚନା ପହଞ୍ଚି ପାରିବ। ଯଦ୍ବାରା ଚୋରି ରୋକାଯାଇ ପାରିବ ବୋଲି ଏହାର ନିର୍ମାତା ସନ୍ତୋଷ କହିଛନ୍ତି।
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଗୁଡ଼ିଆପୋଖରୀଠାରେ ନିଜର କାର୍ଯ୍ୟାଳୟ ଖୋଲି ଏହି ଯନ୍ତ୍ର ବିଷୟରେ ଲୋକଙ୍କୁ ଅବଗତ କରାଉଛନ୍ତି ସନ୍ତୋଷ। ତାଙ୍କୁ ଏହି ଯନ୍ତ୍ର ତିଆରି ପାଇଁ ପ୍ରାୟ ଗୋଟିଏ ବର୍ଷ ସମୟ ଲାଗିଥିଲା। ସେନ୍‍ସର, ଡିସିବୋର୍ଡ ଏବଂ ବିଭିନ୍ନ ଉପକରଣ ସାହାଯ୍ୟରେ ସେ ଏହି ଯନ୍ତ୍ର ତିଆରି କରିଛନ୍ତି।

Comments are closed.