ଆଜିଠାରୁ ଭାରତ-ବାଂଲାଦେଶ ଗୋଲାପି ବଲ୍‌ ଟେଷ୍ଟମ୍ୟାଚ୍‌

କଲକାତା : ପୂର୍ବରୁ କଦାପି ଏକ ଟେଷ୍ଟମ୍ୟାଚ୍ ପାଇଁ ଭାରତରେ ଏପରି ଉତ୍ସାହ ଓ ଉନ୍ମାଦନା ଦେଖିବାକୁ ମିଳିନଥିଲା। ଶୁକ୍ରବାରଠାରୁ ଏଠାରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ୨ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ଆରମ୍ଭହେବ। ଏହି ଟେଷ୍ଟମ୍ୟାଚ୍ ଭାରତୀୟ କ୍ରିକେଟ ଇତିହାସରେ ସର୍ବପ୍ରଥମ ଗୋଲାପି ବଲ୍‌ ଓ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ। ଏହି ମ୍ୟାଚ୍ ପାଇଁ କେବଳ ଇଡେନ୍ ଗାର୍ଡେନ୍‌ସ ଷ୍ଟାଡିୟମ୍‌ ନୁହେଁ; ଖୁସିର ସହର କଲକାତା ରଙ୍ଗ ଏବେ ଗୋଲାପି ପାଲଟି ଯାଇଛି। ଷ୍ଟାଡିୟମ୍ ଭିତରେ ଓ ବାହାରେ ସବୁକିଛି ଗୋଲାପି। ସାରାବିଶ୍ବରେ ଟେଷ୍ଟମ୍ୟାଚ୍ ଲୋକପ୍ରିୟତା ହରାଉଥିବା ବେଳେ ଏହି ଟେଷ୍ଟ ମ୍ୟାଚ୍‌ର ପ୍ରଥମ ୪ ଦିନର ସମସ୍ତ ଟିକଟ ବିକ୍ରି ହୋଇଯିବା ପ୍ରମାଣ କରୁଛି ଯେ ଆୟୋଜକଙ୍କ ଉଦ୍ୟମ ବଳରେ ଏହି ୫-ଦିନିଆ ମ୍ୟାଚ୍‌କୁ ବି ଦର୍ଶକଙ୍କୁ ଆଣିହେବ। ଦିବାରାତ୍ର ମ୍ୟାଚ୍ ଓ ଗୋଲାପି ବଲ୍‌ ପାଇଁ ସିନା ଏତେ ଉନ୍ମାଦନା; ତେବେ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବିତା ଓ ଫଳାଫଳ ନେଇ କ୍ରିକେଟପ୍ରେମୀ ସେତେ ଉତ୍ସାହିତ ନୁହଁନ୍ତି। ୩ ପ୍ରମୁଖ ଖେଳାଳିଙ୍କ ବିନା ଆସିଥିବା ବାଂଲାଦେଶ ଦଳ ଯେ ଭାରତ ସହ ପ୍ରତିଦ୍ବନ୍ଦ୍ବିତା କରିପାରିବ; ଏହି ବିଶ୍ବାସ ବହୁତ କମ୍।
କ୍ରିକେଟପ୍ରେମୀଙ୍କ ମଧ୍ୟ​ରେ ଉନ୍ମାଦନା ଥିବା ବେଳେ ଖେଳାଳିମାନଙ୍କ ପାଇଁ ଗୋଲାପି ବଲ୍ ଓ ଫ୍ଲଡ୍‌ଲାଇଟ୍‌ କ୍ରିକେଟ ସମ୍ପୂର୍ଣ୍ଣ ନୂଆ। ବହୁତ ଲୋକ ବହୁତ କଥା କହୁଛନ୍ତି। ​ଗୋଲାପି ବଲ୍‌ କେଉଁ ସମୟରେ କିପରି ବ୍ୟବହାର କରିବ; ତାହା କେହି ଜାଣିନାହାନ୍ତି। ଅବଶ୍ୟ ପ୍ରଥମଦିନ ଖେଳ ପ‌େ​‌ର ଏହା ସ୍ପଷ୍ଟ ହୋଇଯିବ। ଇନ୍ଦୋରରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟମ୍ୟାଚ୍ ୩ ଦିନରେ ସମାପ୍ତ ହୋଇ ଯାଇଥିଲା। ମ୍ୟାଚ୍‌ର ପ୍ରଥମ ଅଧିବେଶନରୁ ହିଁ ଭାରତ ପ୍ରାଧାନ୍ୟ ବିସ୍ତାର କରିଥିଲା। ଭାରତୀୟ ଓପ୍‌ନର ମୟଙ୍କ ଅଗ୍ରୱାଲ (୨୪୩) ଯେତିକି ରନ୍ କରିଥିଲେ; ବାଂଲାଦେଶ କୌଣସି ଇନିଂସରେ ସେତିିକି ରନ୍ କରି ପାରିନଥିଲା। ଉଭୟ ଦଳଙ୍କ ମଧ୍ୟରେ ଥିବା ବଡ଼ ଫରକ ବାରି ହୋଇ ଯାଉଥିଲା। ଭାରତ ଇନିଂସ ଓ ୧୩୦ ରନ୍‌ରେ ବିଜୟୀ ହୋଇଥିଲା। ବିରାଟ କୋହଲି ଓ ରୋହିତ ଶର୍ମା ବିଫଳ ହୋଇଥିଲେ ହେଁ ଅନ୍ୟମାନେ ଭଲ ସ୍କୋର୍ କରି ପାରିଥିଲେ। ଭାରତ ୬ ୱିକେଟରେ ୪୯୩ ରନ୍ କରି ପାରିଥିଲା। ଉଭୟ ଇନିଂସକୁ ମିଶାଇ ବାଂଲାଦେଶର ମାତ୍ର ଜଣେ ବ୍ୟାଟ୍‌ସମ୍ୟାନ୍ (ମୁସ୍‌ଫିକୁର ରହିମ୍‌) ଅର୍ଦ୍ଧଶତକ ହାସଲ କରିଥିଲେ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି; ଏହି ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ୧୪ଟି ୱିକେଟ ନେଇଥିବା ବେଳେ ସ୍ପିନରଙ୍କୁ ମାତ୍ର ୫ଟି ୱିକେଟ ମିଳିଥିଲା। ଏଥିରୁ ଭାରତୀୟ ବୋଲିଂ ଶକ୍ତି ସ୍ପଷ୍ଟ ବାରି ହୋଇଯାଏ। ପେସ୍ ଆକ୍ରମଣ ବିପକ୍ଷରେ ବାଂଲାଦେଶ ବ୍ୟାଟ୍‌ସମ୍ୟାନଙ୍କ ଟେକ୍‌ନିକ୍ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। କଲକାତା ଟେଷ୍ଟରେ ଯେ ବାଂଲାଦେଶ ବ୍ୟାଟ୍‌ସମ୍ୟାନଙ୍କ ପ୍ରଦର୍ଶନରେ ଉନ୍ନତି ଘଟିବ; ଏହି ବିଶ୍ବାସ ବହୁତ କମ୍।
ଦିବାରାତ୍ର ମ୍ୟାଚ୍‌ରେ ଗୋଲାପି ବଲ୍‌ରେ ଟେଷ୍ଟମ୍ୟାଚ୍ ଖେଳିବା ଉଭୟ ଦଳଙ୍କ ପାଇଁ ନୂଆ ଅନୁଭୂତି। ବାଂଲାଦେଶ ଖେଳାଳି ଏହି ବଲ୍‌କୁ ପାଣିରେ ବୁଡ଼ାଇ ଅଭ୍ୟାସ କରିଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଅନୁସାରେ ଏହି ବଲ୍‌ ଏକ ଓଜନିଆ ହକି ବଲ୍‌ ପରି ମନେହେଉଛି। ଇନ୍ଦୋରରେ ଭାରତୀୟ ପେସ୍ ବୋଲରଙ୍କ ମୁକାବିଲା କରିବାରେ ବାଂଲାଦେଶର ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଥିବା ବେଳେ ଗୋଲାପି ବଲ୍‌ରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ସେମାନେ ରହିଛନ୍ତି। ତେବେ ଫ୍ଲଡ୍‌ଲାଇଟ୍‌ରେ ଗୋଲାପି ବଲ୍‌ର ମୁକାବିଲାକୁ ନେଇ ରହସ୍ୟ ଲାଗି ରହିଥିଲେ ହେଁ ଏହା ସତ ଯେ ଭାରତର ପଲ୍ଲା ଭାରି ରହିବ ଏବଂ ୨-୦ରେ ସିରିଜ୍ ପୋଛିବାକୁ ଏହା ଫେଭରିଟ୍‌। ପୁଣି ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଟେବୁଲ ଶୀର୍ଷରେ ଥିବା ଭାରତ ୩୪୦ ପଏଣ୍ଟରେ ପହଞ୍ଚିବାକୁ ଯାଉଛି ବୋଲି ଅନେକେ ଧରି ନେଇଛନ୍ତି। ଭାରତ ଏହି ମ୍ୟାଚ୍‌ରେ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିବା ନିଶ୍ଚିତ। ବାଂଲାଦେଶ ଗୋଟିଏ/ଦୁଇଟି ପରିବର୍ତ୍ତନ କରିପାରେ। ବାମହାତି ସ୍ପିନର ତାଇଜୁଲ୍‌ ଇସ୍‌ଲାମଙ୍କ ସ୍ଥାନରେ ବାମହାତି ପେସ୍ ବୋଲର ମୁସ୍ତାଫିଜୁର ରେହ୍‌ମାନ ଖେଳିପାରନ୍ତି। ପୁଣି ଅନ୍ୟ ପେସ୍ ବୋଲର ଇବାଦତ୍ ହୋସେନ୍‌ଙ୍କ ସ୍ଥାନରେ ଅନ୍ୟ ପେସ୍ ବୋଲର ଅଲ୍‌-ଅମିନ୍ ହୋସେନ୍ ଖେଳିପାରନ୍ତି। ଗୋଲାପି ବଲ୍‌କୁ ଖରାପ ହେବାକୁ ନ ଦେବା ଲାଗି ପିଚ୍‌ରେ ଘାସ ରହିଛି। ତେଣୁ ପେସ୍ ବୋଲର ଏଥିରୁ ଫାଇଦା ଉଠାଇବା ନିଶ୍ଚିତ।
ଆଜି (ଶୁକ୍ରବାର)ର ମ୍ୟାଚ୍
ଭାରତ-ବାଂଲାଦେଶ ୨ୟ ଟେଷ୍ଟ
ସିଧା ପ୍ରସାରଣ: ଅପରାହ୍‌ଣ ୧ଟାରୁ; ଚ୍ୟାନେଲ: ଷ୍ଟାର୍ ସ୍ପୋର୍ଟସ-୧ ଓ ୩।

Comments are closed.