ଟିଟୋ ଅର୍ଥରେ ସିନେମା ; ପୁଲିସ ପୁଅ ହିରୋ

0

-୩୪ ବ୍ୟାଙ୍କରେ ୫୦ରୁ ଅଧିକ ଆକାଉଣ୍ଟ, -୧୧୦ କୋଟିର ହସ୍ପିଟାଲ୍‍ରେ ଅଂଶୀଦାର,-ବାଲିଘାଟ ତଥ୍ୟ ପାଇଁ ୭ ତହସିଲ୍‍ଦାରଙ୍କୁ ଚିଠି

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସ୍‍ମାନ୍‍ ଅଲ୍ଲୀକୁ ରିମାଣ୍ଡରେ ଆଣି କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ଜେରା ବେଳେ ଅନେକ ଗୁମର ଖୋଲିଛି। ଟିଟୋ, ପତ୍ନୀ ବେନଜିର ଏବଂ ୧୮ ଜଣ ସମ୍ପର୍କୀୟଙ୍କ ନାମରେ ୩୪ଟି ବ୍ୟାଙ୍କରେ ରହିଛି ୫୦ରୁ ଅଧିକ ଆକାଉଣ୍ଟ। ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ଲାଗି କ୍ରାଇମ୍‍ବ୍ରାଞ୍ଚ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଟିଟୋ ବେଆଇନ୍‍ ଭାବେ ଠୁଳ କରିଥିବା ଅର୍ଥ ଓଡ଼ିଆ ଫିଲ୍ମ ଶିଳ୍ପରେ ବିନିଯୋଗ ହୋଇଥିବା ନେଇ ତଥ୍ୟ ପଦାକୁ ଆସିଛି। ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ର ପ୍ରଯୋଜନାରେ ଅଂଶୀଦାର ଅଛନ୍ତି ଟିଟୋର ଭାଇ। ସବୁଠାରୁ ଅଧିକ ଗୁରତ୍ୱପୂର୍ଣ୍ଣ ହେଉଛି ଏଥିରେ ହିରୋ ହେଉଛନ୍ତି ଜଣେ ପୁଲିସ ଅଧିକାରୀଙ୍କ ପୁଅ। ତେବେ ଏହି ଘଟଣା ପଦାକୁ ଆସିବା ପରେ କ୍ରାଇମ୍‍ବ୍ରାଞ୍ଚ ଏନେଇ ଖୋଳତାଡ କରୁଥିବା ଅତିରିକ୍ତ ମହାନିର୍ଦେଶକ ସନ୍ତୋଷ ଉପାଧ୍ୟାୟ କହିଛନ୍ତି।
ଟିଟୋର ବେଆଇନ୍‍ ରୋଜଗାର ମଧ୍ୟରେ ସବୁଠାରୁ ବଡ଼ ଆୟ ବାଲିଘାଟରୁ। କେନ୍ଦ୍ରାପଡା ଏବଂ ଏହାର ଆଖପାଖ ତହସିଲ୍‍ ଅଞ୍ଚଳରେ ଯେତେ ନଦୀରେ ବାଲିଘାଟ ରହିଛି ସେସବୁର ଟେଣ୍ଡର ଟିଟୋ ନିର୍ଧାରଣ କରୁଥିଲା। ଟିଟୋର ଭାଇ ଏବଂ ସମ୍ପର୍କୀୟମାନେ ସମସ୍ତ ବାଲିଘାଟର ଟେଣ୍ଡର ନେଇଛନ୍ତି। ତେଣୁ ଏସବୁର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ଲାଗି କେନ୍ଦ୍ରାପଡା, ଧର୍ମଶାଳା, ବାଲିଚନ୍ଦ୍ରପୁର, ମହାକାଳପଡା, ପଟ୍ଟାମୁଣ୍ଡାଇ, ଗରଦପୁର ଓ ମାର୍ଶାଘାଇ ତହସିଲ୍‍ଦାରଙ୍କୁ କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ପକ୍ଷରୁ ଚିଠି ଲେଖାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଟିଟୋ, ତା’ର ଭାଇ ଏବଂ ସମ୍ପର୍କୀୟଙ୍କ ନାମରେ କେନ୍ଦ୍ରାପଡା ଏବଂ ଆଖପାଖ ଅଞ୍ଚଳରେ ରହିଥିବା ଜମିଜମାର ତଥ୍ୟ ପାଇବା ଲାଗି କ୍ରାଇମ୍‍ବ୍ରାଞ୍ଚ ଏସ୍‍ଟିଏଫ୍‍ ପକ୍ଷରୁ କଟକସ୍ଥିତ ପଞ୍ଜୀକରଣ ମହାନିରୀକ୍ଷକ ଏବଂ ଓଡ଼ିଶା ଇ-ପ୍ରଶାସନର ନିର୍ଦେଶକଙ୍କୁ ଚିଠି ଲେଖାଯାଇଛି।
ଏସବୁ ତଥ୍ୟ ମିଳିବା ପରେ ଟିଟୋ ଏବଂ ତା’ର ସମ୍ପର୍କୀୟଙ୍କ ନାମରେ କେତେ ଜମି ରହିଛି ତାହାର ଠିକ୍‍ ଆକଳନ କରାଯାଇପାରିବ। ବିଭିନ୍ନ ସୂତ୍ରରୁ
ମିଳିଥିବା ସୂଚନାକୁ ଆଧାର କରି କ୍ରାଇମ୍‍ବ୍ରାଞ୍ଚ ଏଭଳି ପଦକ୍ଷେପ ନେଇଥିବା ଅଧିକାରୀ ଜଣକ କହିଛନ୍ତି। କେନ୍ଦ୍ରାପଡାରେ ମା’ ଓ ଶିଶୁ ଯତ୍ନ ପାଇଁ ନିର୍ମାଣ ହେବାକୁ ଥିବା ୭୦୦ ଶଯ୍ୟାବିଶିଷ୍ଟ ୧୧୦ କୋଟି ଟଙ୍କାର ଏକ ବହୁବିଧ ସୁବିଧା ଥିବା ହସ୍ପିଟାଲ୍‍ ପ୍ରକଳ୍ପ ପାଇଁ ଗ୍ଲୋବାଲ୍‍ ଟେଣ୍ଡର କରାଯାଇଥିଲା। ତେବେ ଟେଣ୍ଡର ନେଇଥିବା ଇପିଆ ଲିମିଟେଡ୍‍ର ଡିଜିଏମ୍‍ ଦେବୀଦତ୍ତ ଦାସଙ୍କୁ କ୍ରାଇମ୍‍ବ୍ରାଞ୍ଚ ପକ୍ଷରୁ ସମନ୍‍ କରାଯାଇଛି। ହସ୍ପିଟାଲ୍‍ ନିର୍ମାଣରେ ଟିଟୋ ଅଂଶୀଦାର ରହିଥିବା ଏସ୍‍ଟିଏଫ୍‍କୁ ସୁରାକ୍‍ ମିଳିଛି। ଟିଟୋର କଲକାତାରେ ଏକ ଜମି କିଣିବା ଲାଗି ହୋଇଥିବା ୧.୧୦ କୋଟି ଟଙ୍କାର କାରବାରରେ ମଧ୍ୟସ୍ଥତା କରୁଥିବା ମହିଳା ବନ୍ଦନା ରାୟଙ୍କୁ ମଧ୍ୟ ଏସ୍‍ଟିଏଫ୍‍ ସମନ କରିଥିବା ଜଣାପଡିଛି।

Leave A Reply