ଟିଟୋକୁ ୨ ଦିନ ରିମାଣ୍ଡରେ ନେଲା କେନ୍ଦ୍ରାପଡ଼ା ପୁଲିସ

0

କେନ୍ଦ୍ରାପଡା : ବଟି ପାଇଁ ଇଞ୍ଜିନିୟର ଦେବାଶିଷ ସାହୁଙ୍କୁ ହତ୍ୟା ସହ ଅନ୍ୟ ୪ଟି ମାମଲାରେ କେନ୍ଦ୍ରାପଡା ଟାଉନ ପୁଲିସ ଗ୍ୟାଙ୍ଗଷ୍ଟର ଟିଟୋକୁ ୨ ଦିନିଆ ରିମାଣ୍ଡରେ ନେଇଛି। ଇଞ୍ଜିନିୟର ଦେବାଶିଷଙ୍କୁ କେଉଁ ସ୍ଥାନରେ ହତ୍ୟା ପାଇଁ ଯୋଜନା କରାଯାଇଥିଲା ସେ ସମ୍ପର୍କରେ ତଦନ୍ତ ଲାଗି ଏସଡିଜେଏମଙ୍କ ଅନୁମତିକ୍ରମେ ପୁଲିସ ଟିଟୋକୁ ରିମାଣ୍ଡରେ ନେଇଥିବା ଜଣାପଡିଛି।
୨୦୧୭ ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡାର ଚକ୍ରୋଡା ଗ୍ରାମ ନିକଟ ବନବିଭାଗ ରେଞ୍ଜ୍‍ ଅଫିସ ପାଖରେ ଏକ ଟ୍ରାନ୍ସଫର୍ମର ବସାଇବା ଦାୟିତ୍ୱରେ ଥିବା ଜିପିଆଇଏଲ କଂପାନୀର ସାଇଟ୍‍ ଇଞ୍ଜିନିୟର ଦେବାଶିଷ ସାହୁଙ୍କୁ ଟିଟୋ ଗ୍ୟାଙ୍ଗର କଟା ଦିପୁ ଏବଂ ଅନ୍ୟ ୬ ଜଣ ଗୁଳିକରି ହତ୍ୟା କରିଥିଲେ। ଉକ୍ତ କମ୍ପାନୀର ମୁଖ୍ୟ ପ୍ରକଳ୍ପ ଅଧିକାରୀ ଦେବବ୍ରତ ନାୟକଙ୍କୁ ଟିଟୋ ନିର୍ଦେଶରେ କଟା ଦିପୁ ଓରଫ ଶିଳ୍ପତରୁ ସ୍ୱାଇଁ ୧୦ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ସେ ଏହା ନଦେବାରୁ ତାଙ୍କୁ ନପାଇ କମ୍ପାନୀର ସାଇଟ୍‍ ଇଞ୍ଜିନିୟର ଶ୍ରୀ ସାହୁଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲାରେ କଟା ଦିପୁ ସମେତ ୬ଜଣ ଗିରଫ ହୋଇ ଜେଲ୍‍ରେ ଥିବାବେଳେ ଟିଟୋକୁ ଏହି ମାମଲାରେ ଅଭିଯୁକ୍ତ କରାଯାଇ ନ ଥିଲା। ଜେରା ସମୟରେ କ୍ରାଇମ୍‍ବ୍ରାଞ୍ଚ ପାଖରେ ଟିଟୋର ସ୍ୱୀକାରୋକ୍ତି ଅନୁଯାୟୀ ତାକୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇ ମାମଲାର ପୁନଃ ତଦନ୍ତ ଆଜିଠାରୁ ଆରମ୍ଭ କରାଯାଇଛି। ଟିଟୋକୁ ଏହି ମାମଲାରେ ପଚରାଉଚରା ପାଇଁ ଏବଂ କେଉଁ ସ୍ଥାନରେ କମ୍ପାନୀ ଇଞ୍ଜିନିୟର ଦେବାଶିଷ ସାହୁଙ୍କୁ ହତ୍ୟା ଲାଗି ଯୋଜନା କରାଯାଇଥିଲା ସେ ସମ୍ପର୍କରେ ଅଧିକ ତଥ୍ୟ ହାସଲ ସଂକ୍ରାନ୍ତରେ ଟିଟୋକୁ ସେସବୁ ସ୍ଥାନକୁ ନିଆଯିବ। ଏଥିପାଇଁ ଟିଟୋକୁ ଏସ୍‍ଡିଜେଏମ୍‍ଙ୍କ ଅନୁମତି କ୍ରମେ ୨ଦିନ ଲାଗି କେନ୍ଦ୍ରାପଡା ଜେଲ୍‍ରୁ ଟାଉନ୍‍ ଥାନାକୁ ଅଣାଯାଇଛି। ଏହିଭଳି ଆଉ ୪ଟି ମାମଲାରେ ଟିଟୋର ସଂପୃକ୍ତି ଥିବା ସେ ଜେରାରେ ମାନିଯାଇଥିବାରୁ ତାକୁ ସେହିସବୁ ମାମଲାରେ ପୁଣି ଜେଲ୍‍ରୁ ରିମାଣ୍ଡରେ ଅଣାଯିବ ବୋଲି କେନ୍ଦ୍ରାପଡା ଉପଖଣ୍ଡ ପୁଲିସ ଅଧିକାରୀ ସଂଜୀବ କୁମାର ପଣ୍ଡା ସୂଚନା ଦେଇଛନ୍ତି।
କୋର୍ଟରେ ଦାଖଲ ହେଲା ଗୁରୁତ୍ୱପୂର୍ଣ୍ଣ ନଥି
ଟିଟୋ ଓ ତା’ର ସଂପର୍କୀୟଙ୍କ ବିରୋଧରେ ଆଜି କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ନଥି ତାଖଲ ହୋଇଛି। ସେମାନଙ୍କ ନାମରେ ଥିବା ପୋଷାକ ଦୋକାନ, ମୋବାଇଲ ଦୋକାନ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନର ଟିକସ ପ୍ରଦାନ, ରିଟର୍ଣ୍ଣ ଦାଖଲ ଆଦି ସଂପର୍କରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଟାସ୍କଫୋର୍ସର ତଦନ୍ତକାରୀ ଅଧିକାରୀ ତପନ ମହାନ୍ତି ଆଜି କୋର୍ଟକୁ ଆସି ସେହି ମାମଲାର ତର୍ଜମା କରିବା ସହିତ କେତେକ ଗୁରୁତ୍ୱପୂର୍ଣ୍ଣ ନଥି କୋର୍ଟରେ ଦାଖଲ କରିଛନ୍ତି।

Leave A Reply