ତିତ୍‍ଲି କ୍ଷତିଗ୍ରସ୍ତ ୧୩ ହଜାର ପରିବାରକୁ ମିଳିବ ବିଜୁ ପକ୍କାଘର

0

ଭୁବନେଶ୍ୱର : ଅକ୍ଟୋବର ୧୧ ତାରିଖରେ ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିବା ସାମୁଦ୍ରିକ ଝଡ଼ ‘ତିତ୍‍ଲି’ରେ ୧୧ଟି ଜିଲାର ୧୩ହଜାର ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ତଥ୍ୟ ମିଳିଛି। ଏହାକୁ ଦୃଷ୍ଟିରେ ରଖି ଏହି ପରିବାରଗୁଡ଼ିକୁ ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଏଥିପାଇଁ ୧୭୬ କୋଟି ଟଙ୍କା ବ୍ୟୟ କରାଯିବ।
ଏହି କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ସମସ୍ତ କାର୍ଯ୍ୟାଦେଶକୁ ଏକ ନିର୍ଦିଷ୍ଟ ତାରିଖରେ ବ୍ଲକସ୍ତରରେ ପ୍ରଦାନ କରିବା ଏବଂ ଗୃହ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି।


ଏହି ବିଜୁ ପକ୍କାଘର ପାଇଁ ନିର୍ମାଣ ସାମଗ୍ରୀ ନେଇ ଘରୋଇ ବ୍ୟବସାୟୀଙ୍କ ସହିତ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଅତିରିକ୍ତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଘରଗୁଡ଼ିକର ନିର୍ମାଣ ସାମଗ୍ରୀ ଯୋଗାଡ, ମିସ୍ତ୍ରୀଙ୍କୁ ପ୍ରଶିକ୍ଷଣ, କ୍ଷତିଗ୍ରସ୍ତ ଲୋକଙ୍କୁ ଜୀବିକା ସୁବିଧା ପ୍ରଦାନ କରିବାକୁ ୟୁଏନଡିପିର ସହଯୋଗ ପାଇଁ ଅନୁରୋଧ କରାଯିବ ବୋଲି ଜଣାପଡ଼ିଛି।

Leave A Reply