ପ୍ରେମପାଗଳ ବାଘ ପ୍ରେମିକାକୁ ଖୋଜି ଖୋଜି ଅତିକ୍ରମ କଲା ୧୩୦୦ କିମି ପଥ

ନାଗପୁର: ପ୍ରେମ ପାଇଁ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ; କିନ୍ତୁ ବାଘ ଭଳି ଏକ ହିଂସ୍ର ଜନ୍ତୁ ଯେ ଜୀବନକୁ ବାଜି ଲଗାଇ କାହିଁ କେତେ ଦୂର ଯାଇପାରେ ତାହା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ବିସ୍ମିତ କରିଛି। ମହାରାଷ୍ଟ୍ରର ଜାବତମାଲା ଜିଲାର ଟିପେଶ୍ବର ଅଭୟାରଣ୍ୟରୁ ଏକ ନବଯୌବନପ୍ରାପ୍ତ ବାଘ (ଟିଡବ୍ଲ୍ୟୁଏଲ୍‌ଏସ୍‌-ଟି-୧-ସି-୧) ଗତ ଜୁନ୍‌ରେ ବାହାରିଥିଲା। ଏହାର ଗତିପଥକୁ ରେଡିଓ କଲାର ବ୍ୟବସ୍ଥାରେ ଅଭୟାରଣ୍ୟ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଥିଲେ। ଶେଷରେ ଜଣାପଡ଼ିଲା ଯେ ସେ ୧୫୦ ଦିନ ମଧ୍ୟରେ ୬ ଜିଲା ଅତିକ୍ରମ କରିଥିଲା। ସେ ଜଙ୍ଗଲ ଓ ଜନବସତି ମଧ୍ୟ ଦେଇ ୧୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନା ଦେଇ ରବିବାର ମହାରାଷ୍ଟ୍ରର ବୁଲଧାନା ଜିଲା ଅନ୍ତର୍ଗତ ଦ୍ୟାନଗଙ୍ଗା ଅଭୟାରଣ୍ୟରେ ପହଞ୍ଚିଥିଲା ବୋଲି କହିଛନ୍ତି ଅଭୟାରଣ୍ୟ ନିର୍ଦେଶକ ରବି କିରଣ।
ସୂଚନାନୁଯାୟୀ, ବାଘର ବୟସ ଏବେ ୩। ସେ ଟିପେଶ୍ବର ଅଭୟାରଣ୍ୟରେ ୨୦୧୬ରେ ଜନ୍ମ ହୋଇଥିଲା। ଏହାର ଦୁଇ ଭାଇ ଅଛନ୍ତି ଏବଂ ସେମାନଙ୍କୁ ଚଳିତ ବର୍ଷ ତା’ଠାରୁ ଅଲଗା କରାଯାଇଛି। ତିନି ବାଘଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ଚଳିତ ବର୍ଷ ମାର୍ଚ୍ଚରେ ଡେରାଡୁନ୍‌ର ଏକ ସଂସ୍ଥା ଦ୍ବାରା ଏହା ଶରୀରରେ ରେଡିଓ କଲାର ଲଗାଯାଇଛି। ଗୋଟିଏ ଭାଇକୁ ତେଲଙ୍ଗାନା ସ୍ଥାନାନ୍ତର କରାଯାଇଥିଲା। ଏହା ଜୁଲାଇରେ ଆଦିଲାବାଦ ସହର ନିକଟରେ ଦେଖା ଦେଇଥିଲା; କିନ୍ତୁ ସେଠାରେ ସେ ରହିବା ପରିବର୍ତ୍ତେ ୧୦ଦିନ ପରେ ପୁନର୍ବାର ଟିପେଶ୍ବର ଅଭୟାରଣ୍ୟକୁ ଫେରିଥିଲା। ଅପରପକ୍ଷରେ ଟିପେଶ୍ବରରେ ଥିବା ସି-୧ ବାଘ ଆଦିଲାବାଦ ଦେଇ ପନ୍ଧାରାକାୱଡ଼ା ଅତିକ୍ରମ କରି ଅମ୍ବାଡ଼ି ଘାଟ ଓ କିନ୍‌ୱାଟ୍‌ ଜଙ୍ଗଲରେ ପହଞ୍ଚିଥିଲା। ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏହାକୁ ପାଇଁଗଙ୍ଗା ଅଭୟାରଣ୍ୟରେ ଦେଖିବାକୁ ମିଳିଥିଲା। ପରେ ଆନ୍ତଃରାଜ୍ୟ ସୀମା ଅତିକ୍ରମ ପୂର୍ବକ ଏହା ଅକ୍ଟୋବର ଶେଷ ସୁଦ୍ଧା ପୁସାଦ ଓ ଇସାପୁର ଅଭୟାରଣ୍ୟ ବାଟେ ମରାଠାୱାଡ଼ାର ହିଙ୍ଗୋଲି ଜିଲାରେ ପ୍ରବେଶ କରିଥିଲା। ହିଙ୍ଗୋଲିରୁ ଏହା ୱାସିମ ଜିଲା ଦେଇ ବୁଲଧାନା ଏବଂ ଏହା ପରେ ନଭେମ୍ବରରେ ଆକୋଲାରେ ପହଞ୍ଚିଥିଲା। ଡିସେମ୍ବର ୧ରେ ସେ ଚିଖାଲି ଓ ଖାମ୍‌ଗାଁ ଅତିକ୍ରମ କରିବା ପରେ ରାସ୍ତା ଭାଙ୍ଗି ଦ୍ୟାନଗଙ୍ଗା ଅଭୟାରଣ୍ୟରେ ପହଞ୍ଚିଥିଲା। ସେଠାରେ ସେ ନିଜ ପ୍ରେମିକାକୁ ଠାବ କରିବା ସହ ​ଅଟକି ରହିଥିବା ସୂଚନା ଦେଇଛନ୍ତି ୫୦କିମି ଦୂରସ୍ଥ ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦେଶକ ଏମ୍‌.ଏସ୍‌ ରେଡ୍ଡି। ବାଘର ଏହି ଯାତ୍ରାପଥ ୧୩୦୦କିମିରୁ ଅଧିକ ଥିବା ସେ କହିଛନ୍ତି। ଦୁଇଟି ରାଜ୍ୟର ୬ ଜିଲା ଅନ୍ତର୍ଗତ ଜଙ୍ଗଲ, ଜନବସତି ଓ ଚାଷ ଜମି ଦେଇ ଏହା ଅତିକ୍ରମ କଲାବେଳେ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ନ ଥିବା ନେଇ ସେ ବିସ୍ମୟ ପ୍ରକାଶ କରିଛନ୍ତି।

Comments are closed.