ରାହୁଲଙ୍କ ପ୍ରତିଦ୍ବନ୍ଦ୍ବୀ ଦୁବାଇରେ ଗିରଫ

ତିରୁଅନନ୍ତପୁରମ୍‌ : ଠକେଇ ଅଭିଯୋଗରେ କେରଳର ବିଜେପି ନେତା ତୁଷାର ଭେଲାପାଲି ଦୁବାଇ​ରେ ଗିରଫ ହୋଇଛନ୍ତି। ଏକ ‘ଚେକ୍‌ ବାଉନ୍ସ’ ମାମଲାରେ ତୁଷାରଙ୍କୁ ମଙ୍ଗଳବାର ଦୁବାଇ ନିକଟସ୍ଥ ଆଜମାନଠାରେ ଗିରଫ କରାଯାଇଥିବା ଜଣାପଡ଼ିଛି। ତୁଷାରଙ୍କ ସ୍ବତନ୍ତ୍ର ପରିଚୟ ହେଉଛି କି ସେ ୱାୟାନାଡ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ରାହୁଲ ୧୨ଲକ୍ଷ ଭୋଟ୍‌ ପାଇଥିଲାବେଳେ ତୁଷାରଙ୍କୁ ମାତ୍ର ୭୮ହଜାର ୮୧୬ ଭୋଟ୍‌ ମିଳିଥିଲା।

ତୁଷାର ‘ଭାରତ ଧର୍ମ ଜନ ସେନା’ ନାମରେ ଏକ ରାଜନୈତିକ ସଂଗଠନର ନେତୃତ୍ବ ନେଉଛନ୍ତି; ଯାହା ଗତ ନିର୍ବାଚନରେ ବିଜେପି ସହିତ ମେଣ୍ଟ କରିଥିଲା। ପୁନଶ୍ଚ ସେ ‘ଶ୍ରୀ ନାରାୟଣ ଧର୍ମ ପରିପାଳନ ଯୋଜନା’ର ଉପସଭାପତି ଅଛନ୍ତି। ଏହି ସଂଗଠନ ପ୍ରଭାବଶାଳୀ ଇଜାଭା ସମ୍ପ୍ରଦାୟ ପାଇଁ କାର୍ଯ୍ୟ କରିଥାଏ। ପରାଜୟ ସତ୍ତ୍ବେ ତୁଷାରଙ୍କର ରାଜ୍ୟ ବିଜେପିରେ ବେଶ୍‌ ପ୍ରଭାବ ରହିଛି। ବିଜେପି ସଭାପତି ଅମିତ ଶାହା ତାଙ୍କୁ ପ୍ରତିଭାବାନ୍‌ ଯୁବନେତା ଭାବେ ପ୍ରଶଂସା କରିଥାଆନ୍ତି।

ତୁଷାର ଦୁବାଇରେ ପ୍ରାୟ ୧୦ବର୍ଷ ଧରି ନିଜସ୍ବ କମ୍ପାନୀ ପରିଚାଳନା କରିଆସୁଛନ୍ତି। ଏଥିରେ କ୍ଷତି ହେବା କାରଣରୁ ତୁଷାର କର୍ମଚାରୀଙ୍କ ପ୍ରାପ୍ୟ ଦେବାରେ ଅସମର୍ଥ ହୋଇଛନ୍ତି। କମ୍ପାନୀର ଠିକାଦାରମାନେ ସେମାନଙ୍କ ପ୍ରାପ୍ୟ ଦାବି କରିବାରେ ତୁଷାର ସେମାନଙ୍କୁ ୮ନିୟୁତ ଧିରାମ୍‌ (ଦୁବାଇରେ ପ୍ରଚଳିତ ଟଙ୍କା) ମୂଲ୍ୟର ଏକ ଚେକ୍‌ ଦେଇଥିଲେ; ଯାହା କି ବାଉନ୍ସ ହୋଇଛି। ଶ୍ରୀ ନାରାୟଣ ଧର୍ମ ପରିପାଳନ ଯୋଜନାର ସାଧାରଣ ସମ୍ପାଦକ ଥିବା ତୁଷାରଙ୍କ ବାପା ଭେଲାପାଲି ନାତେସାନ୍‌ କହିଛନ୍ତି ଯେ ତୁଷାରଙ୍କୁ ଫସେଇ ଦିଆଯାଇଛି। ଶୀଘ୍ର ତାଙ୍କୁ ଜାମିନ ମିଳିଯିବ। ଦୁବାଇ ପୁଲିସ ତାଙ୍କୁ ଗିରଫ କରି ଜେଲ୍‌ରେ ଭର୍ତ୍ତି କରିବା ମାମଲାରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହାୟତା ଲୋଡ଼ିଛନ୍ତି। ଜେଲ୍‌ରେ ତୁଷାରଙ୍କ ସ୍ବାସ୍ଥ୍ୟବାସ୍ଥା ନେଇ ବିଜୟନ୍‌ ଚିନ୍ତା ପ୍ରକଟ କରିବା ସହ ମାମଲାରେ ହସ୍ତକ୍ଷେପ ପାଇଁ ଜୟଶଙ୍କରଙ୍କୁ ନିବେଦନ କରିଛନ୍ତି। ଦୁବାଇରେ ଥିବା ମାଲାୟଲମ ସମ୍ପ୍ରଦାୟ ତୁଷାରଙ୍କ ମୁକ୍ତି ପାଇଁ ପ୍ରୟାସ ଚଳାଇଛନ୍ତି।

Comments are closed.