ବିମାନବନ୍ଦର ଉଡ଼ାଇବାକୁ ଧମକ

0

ଦ୍ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଅନ୍ୟପକ୍ଷରେ ଗତ କିଛି ଦିନ ହେବ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ କେହି ଜଣେ ବାରମ୍ବାର ଟେଲିଫୋନ୍‍ କରି ଧମକଚମକ ଦେଉଥିବା ନେଇ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ବିମାନବନ୍ଦରକୁ ଉଡ଼ାଇ ଦେବା ଲାଗି ଟେଲିଫୋନ୍‍ କରି ଧମକ ଦିଆଯିବା ଘଟଣା ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନିର୍ଦେଶକ ସୁରେଶଚନ୍ଦ୍ର ହୋତା ଏ ସମ୍ପର୍କରେ ଏୟାରଫିଲ୍ଡ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ବିମାନବନ୍ଦର ନିର୍ଦେଶକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଧମକ ଦେଉଥିବା ବ୍ୟକ୍ତି ଜଣକ ବିମାନବନ୍ଦରର ଏକ ଲ୍ୟାଣ୍ଡଲାଇନ୍‍ ନମ୍ବରକୁ ବାରମ୍ବାର ଟେଲିଫୋନ୍‍ କରୁଛନ୍ତି। ନିଜକୁ ଖଣ୍ଡଗିରି ଅଞ୍ଚଳର ମିଷ୍ଟର ପରିଡ଼ା ବୋଲି ପରିଚୟ ଦେଇ ଓଡ଼ିଆ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଗଞ୍ଜେଇ ଓ ନିଶାଦ୍ରବ୍ୟ କାରବାର କରିବା ଲାଗି ଟିକେଟ୍‍ ଦେବାକୁ ନଚେତ୍‍ ଏହାର ପରିଣାମ ଭୋଗିବାକୁ ହେବ ବୋଲି ଧମକ ଦେଉଛନ୍ତି। ଉକ୍ତ ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଥିବା ଏବଂ ବିମାନବନ୍ଦର କର୍ମଚାରୀଙ୍କ ସମୟ ନଷ୍ଟ କରୁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଏଭଳି ଏକ ଟେଲିଫୋନ୍‍ କଲ୍‍କୁ ମଧ୍ୟ କମିଶନରେଟ୍‍ ପୁଲିସ ଗୁରୁତର ଭାବେ ନେଇଛି। ଯେଉଁ ମୋବାଇଲ୍‍ ଫୋନ୍‍ ନମ୍ବରରୁ କଲ୍‍ ଆସିଛି ତାକୁ ପୁଲିସ ଜାଣିବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ କହିବା ଅନୁସାରେ ଏଭଳି ଜଣେ ବ୍ୟକ୍ତି ତାଙ୍କ କାର୍ୟ୍ୟାଳୟରେ ଥିବା ଡାଏଲ୍‍ ୧୦୦, ଅଗ୍ନିଶମ ବିଭାଗ ଏବଂ କେତେକ ପ୍ରମୁଖ ସରକାରୀ ପ୍ରତିଷ୍ଠାନକୁ ପୂର୍ବରୁ ଟେଲିଫୋନ୍‍ କରି ଗାଳିଗୁଲଜ କରିବା ସହିତ ସମୟ ନଷ୍ଟ କରିଥାଏ। ବିମାନବନ୍ଦରକୁ ଟେଲିଫୋନ୍‍ କରି ଧମକ ସେହି ବ୍ୟକ୍ତିଜଣକ ଦେଉଥିବା ସନ୍ଦେହ କରାଯାଉଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ସେହିପରି କମିଶନରେଟ୍‍ ପୁଲିସ ପକ୍ଷରୁ ଗତ କିଛି ଦିନ ହେବ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଥିବା ହୋଟେଲ୍‍, ଲଜ୍‍ ଓ ଗେଷ୍ଟହାଉସ୍‍ଗୁଡ଼ିକରେ ନିୟମିତ ଯାଞ୍ଚ ଆରମ୍ଭ ହୋଇଛି। ଏସବୁ ସ୍ଥାନରେ କେଉଁମାନେ ରହୁଛନ୍ତି ଏବଂ କେତେ ଜଣ ପର୍ୟ୍ୟଟକ ଅଛନ୍ତି ସେମାନଙ୍କର ଦୈନିକ ତାଲିକା ଦାଖଲ କରିବାକୁ କୁହାଯାଇଛି। ଏହାସତ୍ତ୍ବେ କମିଶନରେଟ୍‍ ପୁଲିସ ସନ୍ଧାନୀକୁକୁର ଓ ବୋମା ନିଷ୍କ୍ରିୟକାରୀ ଯାଞ୍ଚ ଉପକରଣ ମାଧ୍ୟମରେ ଯାଞ୍ଚ କରାଯାଉଥିବା ଡିସିପି ଶ୍ରୀ ସାହୁ କହିଛନ୍ତି। କିଛି ଲୋକଙ୍କର ଗତିବିଧି ସନ୍ଦେହଜନକ ହେବାରୁ ସେମାନଙ୍କୁ ଅଟକ ରଖାଯାଇ ଯାଞ୍ଚ କରାଯିବା ସହିତ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସେ କହିଛନ୍ତି। ବିଭିନ୍ନ ଥାନା ଅଞ୍ଚଳରେ ୭ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ସେମାନଙ୍କ ବିରୋଧରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ସେମାନେ ହୋଟେଲ୍‍ ଓ ଲଜ୍‍ରେ ଭୁଲ ତଥ୍ୟ ଦେଇ ରହୁଥିବା ଜଣାପଡ଼ିଛି। ହୋଟେଲ୍‍ ଓ ଲଜ୍‍ଗୁଡ଼ିକର ମାଲିକଙ୍କୁ ସେମାନଙ୍କ ରେଜିଷ୍ଟର ଆଣି ଥାନାରେ ଦେଖାଇବାକୁ କୁହାଯାଇଛି। ଏହାସହିତ ରାଜଧାନୀର ବିଭିନ୍ନ ଛକରେ ଟ୍ରାଫିକ୍‍ ପକ୍ଷରୁ ବ୍ଲକିଂ କରାଯାଇ ନିଶାସକ୍ତ ଚାଳକଙ୍କର ଯାଞ୍ଚ କରାଯାଉଥିବା ବେଳେ କେତେକ ଥାନା ଅଞ୍ଚଳରେ ବ୍ଲକିଂ କରାଯାଉଛି।

Leave A Reply