ମହାମେଣ୍ଟ ପାଇଁ ଆଜି ବିରୋଧୀଙ୍କ ବୈଠକ : ସୋନିଆ, ରାହୁଲଙ୍କୁ ଭେଟିଲେ ଷ୍ଟାଲିନ

0

ନୂଆଦିଲ୍ଲୀ : ବିରୋଧୀ ଦଳଗୁଡିକୁ ଏକଜୁଟ ପୂର୍ବକ ମହାମେଣ୍ଟ ଗଠନ ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଡକାଇଥିବା ବୈଠକ ସୋମବାର ହେବାକୁ ଯାଉଛି। ଆଗାମୀ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ବିଜେପି ନେତୃତ୍ବ ଏନଡିଏ ସରକାରକୁ ଘେରିବା ଉଦ୍ଦେଶ୍ୟରେ ନାଇଡୁ ବିରୋଧୀ ଦଳଗୁଡିକର ବୈଠକ ଡାକିଛନ୍ତି। ବିରୋଧୀ ଦଳଗୁଡିକର ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ପୂର୍ବରୁ ରବିବାର ପୂର୍ବାହ୍ଣ ୧୧ଟାରେ ଡିଏମକେ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସୋନିଆଙ୍କ ବାସଭବନରେ ଏହି ସାକ୍ଷାତ ହୋଇଥିଲା। ଆଜି ସୋନିଆଙ୍କର ୭୨ତମ ଜନ୍ମଦିନ ହୋଇଥିବାବେଳେ ଷ୍ଟାଲିନ ତାଙ୍କୁ ଦଳ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ରାଜନୈତିକ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଶାସକ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡିକର ରଣନୀତି ବାବଦରେ ଷ୍ଟାଲିନ ଆଲୋଚନା କରିଥିଲେ।
ସାକ୍ଷାତ କାଳରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ନିର୍ମାଣ କରିବାକୁ ଯାଉଥିବା ମେକାଡାଟୁ ପ୍ରକଳ୍ପ ବାବଦରେ ଷ୍ଟାଲିନ ଆଲୋଚନା କରିଥିଲେ। କର୍ଣ୍ଣାଟକ ସରକାରଙ୍କ ଏହି ପ୍ରକଳ୍ପକୁ ତାମିଲନାଡୁବାସୀ ବିରୋଧ କରୁଥିବା ସେ କହିଥିଲେ। ତେଣୁ କର୍ଣ୍ଣାଟକ ସରକାରଙ୍କୁ ଏହି ପ୍ରକଳ୍ପ ନିର୍ମାଣରୁ ଦୂରେଇ ରଖିବା ଲାଗି ଷ୍ଟାଲିନ କଂଗ୍ରେସ ମୁଖ୍ୟଙ୍କୁ ଅବଗତ କରାଇଥିଲେ। କର୍ଣ୍ଣାଟକ ସରକାରଙ୍କ ମେକାଡାଟୁ ପ୍ରକଳ୍ପକୁ ନେଇ ତାମିଲନାଡୁରେ ବିରୋଧାଭାସ ସୃଷ୍ଟି ହୋଇଥିବାବେଳେ ଶାସକ ଏଆଇଏଡିଏମକେ ବିରୋଧୀ ଡିଏମ୍‌କେକୁ ସମାଲୋଚନା କରିଛି। ଶାସକ ଏଆଇଏଡିଏମ​‌େ​କ କହିଛି ଯେ କଂଗ୍ରେସର ସହଯୋଗୀ ଡିଏମକେ ପ୍ରକଳ୍ପ ନିର୍ମାଣ ବନ୍ଦ କୌଣସି ଚାପ ପକାଉ ନାହିଁ। ସେହିପରି ଡିସେମ୍ବର ୧୬ରେ ଡିଏମ୍‌କେର ପୂର୍ବତନ ନେତା ଏମ୍ କରୁଣାନିଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଲାଗି ଷ୍ଟାଲିନ ସହଯୋଗୀ ଦଳଗୁଡିକୁ ନିମନ୍ତ୍ରଣ କରିଛନ୍ତି। ଷ୍ଟାଲିନଙ୍କର ଏହି ସାକ୍ଷାତ ଆଲୋଚନା କାଳରେ ଡିଏମ୍‌କେର ରାଜ୍ୟସଭା ସଦସ୍ୟ ଏମକେ କାନିମୋଝି, ଦଳର ପ୍ରମୁଖ ସଚିବ ଟିଆର ବାଲୁ, ପୂର୍ବତନ ମନ୍ତ୍ରୀ ଏ ରାଜା, ଡିଏମ୍‌କେର ସଂଗଠନ ସମ୍ପାଦକ ଆରଏସ୍ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply