ମେଘନାଦ ପ୍ରାଚୀର ନିକଟରେ ରହିବେ ଗୋପବନ୍ଧୁ

ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ନିକଟସ୍ଥ ମେଘନାଦ ପ୍ରାଚୀର ସମ୍ମୁଖରେ ରହିବେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ବଡ଼ଛତାମଠ ଏବଂ ରାମଦୟା ପରିଷଦ ମଧ୍ୟଭାଗରେ ଏଥିପାଇଁ ଖୁବ୍‌ଶୀଘ୍ର ପିଣ୍ଡି ନିର୍ମାଣ କରାଯିବ। ସୂଚନାକେନ୍ଦ୍ର ଉପରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସେଠାକୁ ସ୍ଥାନାନ୍ତର କରାଯିବ। ସମ୍ମାନର ସହ ଉତ୍କଳମଣିଙ୍କୁ ସ୍ଥାନାନ୍ତର ଓ ପୁନଃପ୍ରତିଷ୍ଠା କରାଯିବ ବୋଲି ଜିଲାପାଳ ବଲୱନ୍ତ ସିଂହ ପ୍ରକାଶ କରିଛନ୍ତି। ରାସ୍ତା ଓ ଗୃହନିର୍ମାଣ ଡିଭିଜନ ପକ୍ଷରୁ ପିଣ୍ଡି ନିର୍ମାଣ କରାଯିବ। ପିଣ୍ଡି ଚତୁଃପାର୍ଶ୍ବରେ ଲୁହାଗ୍ରିଲ ଲଗାଯିବା ସହ ବୃକ୍ଷରୋପଣ ଏବଂ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଦୃଷ୍ଟିରୁ ମେଘନାଦ ପ୍ରାଚୀର ନିକଟରେ ଥିବା ସୂଚନାକେନ୍ଦ୍ର ଭାଙ୍ଗିବାକୁ ପ୍ରଶାସନ ସ୍ଥିର କରିଛି।

ସୂଚନାକେନ୍ଦ୍ର ଉପରେ ନବକଳେବର ସମୟରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପୁନଃସଂସ୍ଥାପନ କରାଯାଇଛି। ସୂଚନାକେନ୍ଦ୍ର ଭଙ୍ଗା ଯାଉଥିବାରୁ ଉତ୍କଳମଣିଙ୍କୁ କେଉଁଠାରେ ପୁନଃପ୍ରତିଷ୍ଠା କରାଯିବ ସେଥିନେଇ ଜିଲା ପ୍ରଶାସନ ଶନିବାର ବିଭିନ୍ନ ସଂଗଠନ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛି। ଜିଲାପାଳ ଶ୍ରୀ ସିଂହ ସେଥିରେ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ପରିକ୍ରମା ମାର୍ଗ ନିର୍ମାଣ ପ୍ରସ୍ତାବ ରହିଛି। ଜାତିର ପିତା ମହାତ୍ମା ଗାନ୍ଧି ୧୯୩୬ ମସିହାରେ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ୨୦୧୫ ନବକଳେବର ପୂର୍ବରୁ ଉତ୍କଳମଣିଙ୍କୁ ନବନିର୍ମିତ ସୂଚନାକେନ୍ଦ୍ର ଉପରକୁ ପ୍ରଶାସନ ସ୍ଥାନାନ୍ତର କରିଥିଲା। ଏବେ ପୁଣିଥରେ ମେଘନାଦ ପ୍ରାଚୀର ନିକଟରୁ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ତେଣୁ ଗୋପବନ୍ଧୁଙ୍କୁ ସୂଚନାକେନ୍ଦ୍ର ଉପରୁ ସ୍ଥାନାନ୍ତର ପ୍ରସ୍ତାବ ରହିଛି। ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ନିକଟରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ରଖାଯିବାକୁ ବୈଠକରେ ଶିକ୍ଷିତ ବୁଦ୍ଧିଜୀବୀ ପରାମର୍ଶ ଦେଇଥିଲେ। ଜିଲା ପ୍ରଶାସନ ଜନମତକୁ ସମ୍ମାନ ଦେଇ ପ୍ରସ୍ତାବରେ ରାଜି ହୋଇଛି। ସିଂହଦ୍ବାର ନିକଟସ୍ଥ ବଡ଼ଛତାମଠ ଏବଂ ରାମଦୟା ପରିଷଦ ମଧ୍ୟରେ ରହିଥିବା ଖାଲିସ୍ଥାନରେ ଗୋପବନ୍ଧୁଙ୍କୁ ପୁନଃପ୍ରତିଷ୍ଠା କରାଯିବ ବୋଲି ଜିଲାପାଳ ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ବିକାଶ ଯୋଜନା କାର୍ଯ୍ୟକାରୀ ସମୟରେ ଗୋପବନ୍ଧୁଙ୍କୁ ଉପଯୁକ୍ତ ସ୍ଥାନରେ ରଖାଯିବ ବୋଲି ଜିଲାପାଳ କହିଛନ୍ତି। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ, ‘ସମାଜ’ ଜିଲା ପ୍ରତିନିଧି ଜଗନ୍ନାଥ ବସ୍ତିଆ, ଶ୍ରୀଜଗନ୍ନାଥ ଭକ୍ତସମାଜ ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଭାରତ ବିକାଶ ପରିଷଦ ପ୍ରାନ୍ତୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପୁରୀ ସେବା ସମିତି ସହସମ୍ପାଦକ ସୌମେନ୍ଦ୍ର କୁମାର ଦାସ ଏବଂ ଶରତ ଜୟସିଂହ ବୈଠକରେ ଯୋଗ ଦେଇଥିଲେ।

Comments are closed.