ଘରକୁ ଫେରିଲେ ‘ୱାଇଲ୍ଡ ବୋର୍ସ’ର ୧୨ ଖେଳାଳି

0

ଚିଆଙ୍ଗ୍‍ ରାଇ ଥାମ୍‍ ଲୁଆଙ୍ଗ୍‍ ଗୁମ୍ଫାର ମରଣମୁହଁରୁ ଫେରି ଚିକିତ୍ସାଧୀନ ଥିବା ଥାଇଲାଣ୍ଡର ୧୨ ବାଳୁତ ଫୁଟବଲ ଖେଳାଳି ବୁଧବାର ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ତିନିଟି ମିନି ବସ୍‍ରେ ‘ୱାଇଲ୍ଡ ବୋର୍ସ’ ଦଳର ଏହି ଖେଳାଳିମାନଙ୍କୁ ଡାକ୍ତରଖାନାରୁ ଉତ୍ତର ଥାଇଲାଣ୍ଡ ଅନ୍ତର୍ଗତ ଚିଆଙ୍ଗ୍‍ ରାଇ ପ୍ରଦେଶରେ ଥିବା ସେମାନଙ୍କ ଘରକୁ ନିଆଯାଇଥିଲା। ସେମାନେ ପୁଟ୍‍ବଲ୍‍ ଜର୍ସି ପିନ୍ଧି ଫେରିଲାବେଳେ ଆନନ୍ଦରେ ଉଲ୍ଲସି ଉଠୁଥିବା ଲକ୍ଷ୍ୟକରାଯାଇଥିଲା। ଉଲ୍ଲେଖଯୋଗ୍ୟ କି ଏହି ଖେଳାଳିମାନଙ୍କୁ ଗୁରୁବାର ଡାକ୍ତରଖାନାରୁ ଛୁଟି କରାଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ଦିନକ ପୂର୍ବରୁ ଛାଡ଼ିଦିଆଯାଇଛି। ତେବେ ଡାକ୍ତର ସେମାନଙ୍କୁ ଗୋଟିଏ ମାସ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି। ଏହି ସମୟରେ ପିଲାମାନଙ୍କୁ ଗଣମାଧ୍ୟମ କିମ୍ବା ଅନ୍ୟ କେହି ହଇରାଣ ହରକତ ନ କରିବାକୁ କୁହାଯାଇଛି। ଥାଇଲାଣ୍ଡ ସରକାରଙ୍କ ମୁଖପାତ୍ର ସନ୍‍ସର୍ଣ୍ଣ କାଏକୁମର୍ଡଙ୍କ କହିବାନୁସାରେ ପିଲାମାନଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।
ଡାକ୍ତରଖାନାରୁ ଛୁଟି ପରେ ଖେଳାଳିମାନଙ୍କ ସମ୍ମାନାର୍ଥେ ଓ ସେମାନଙ୍କ ଅନୁଭୂତି ଶୁଣିବା ପାଇଁ ‘ସେଣ୍ଡିଂ ଦି ୱାଇଲ୍ଡ ବୋର୍ସ ହୋମ୍‍’ ଶୀର୍ଷକରେ ସରକାରୀ ଭାବେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବିଭିନ୍ନ ଟିଭି ଚାନେଲରେ ପ୍ରାୟ ୪୫ ମିନିଟି ଧରି ଏହି ସାମ୍ବାଦିକ ସମ୍ମିଳନୀର ସିଧା ପ୍ରସାରଣ କରାଯାଇଥିଲା। ସେମାନେ ନିଜ ନିଜର ରୋମାଞ୍ଚକର ଅନୁଭୂତି ବର୍ଣ୍ଣନା କରିଥିଲେ। ଗୁମ୍ଫା ଭିତରେ ସେମାନେ ଜୀବନ ବଞ୍ଚାଇବା ପାଇଁ ୯ଦିନ କାଳ ଗୋଳିଆ ବର୍ଷା ପାଣି ପିଇଥିଲେ ଓ ବାହାରକୁ ବାହାରିବା ପାଇଁ ବହୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ଗୁମ୍ଫାରୁ ବାହାରିବା ପାଇଁ ସେମାନେ ବିଭିନ୍ନ ସ୍ଥାନରେ ଖୋଳିଥିବା କହିଛନ୍ତି କୋଚ୍‍ ଇକ୍କାପୋଲ ଚାଣ୍ଟାୱଙ୍ଗ୍‍। ପ୍ରତି ମୁହୂର୍ତ୍ତରେ ସେମାନେ ଜୀବନ ହରାଇବାର ଆତଙ୍କରେ ବୁଡ଼ି ରହିଥିଲେ। ବିନା ଖାଦ୍ୟ-ପାନୀୟରେ ଅନ୍ଧାର ଓ ଭୟଙ୍କର ଜଳସ୍ରୋତ ମଧ୍ୟରେ ବଞ୍ଚିବା ସେମାନଙ୍କ ପକ୍ଷରେ କଷ୍ଟକର ଥିଲା। ସେମାନେ ନୂଆ ଜୀବନ ପାଇଛନ୍ତି ବୋଲି କହିବା ସହ ଉଦ୍ଧାରକାରୀ ଦଳଙ୍କୁ ଅଶେଷ ସାଧୁବାଦ ଜଣାଇଛନ୍ତି। ଜଣେ ମୃତ ଉଦ୍ଧାରକାରୀଙ୍କ ପ୍ରତି ମଧ୍ୟ ସେମାନେ ପୁନର୍ବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଅପରପକ୍ଷରେ ଖେଳାଳିମାନଙ୍କ ଉଦ୍ଧାର ପରେ ଗୁମ୍ଫାରେ ଫସି ରହିଥିବା ଉଦ୍ଧାରକାରୀ ଦଳ ଇତିମଧ୍ୟରେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହଠାତ୍‍ ବର୍ଷା ଓ ଗୁମ୍ଫାରେ ଅଧିକ ପରିମାଣର ଜଳ ପ୍ରବାହ ଯୋଗୁଁ ସେମାନଙ୍କୁ ବାହାରିବାରେ ଅସୁବିଧା ହୋଇଥିଲା। ତେବେ ସେମାନେ ଯେକୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ପ୍ରସ୍ତୁତ ଥିବାରୁ ପାଣି ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରିସ୍ଥିତିରେ ସୁଧାର ଆସିବା ପରେ ସେମାନେ ଗୁମ୍ଫାରୁ ବାହାରିଥିବା କାଏକୁମର୍ଡ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୨ଜଣ ଖେଳାଳି ଓ ସେମାନଙ୍କ କୋଚ୍‍ ଜୁନ୍‍ ୨୩ରେ ଗୁମ୍ଫା ଭ୍ରମଣ ପାଇଁ ଯାଇ ଫେରିପାରି ନ ଥିଲେ। ଦୀର୍ଘ ୯ଦିନ ବିନା ଖାଦ୍ୟ ଓ ପାନୀୟରେ ରହିବା ପରେ ସେମାନଙ୍କ ସନ୍ଧାନ ମିଳିଥିଲା। ଆନ୍ତର୍ଜାତିକସ୍ତରରେ ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା ଓ ଦୁଇ ସପ୍ତାହ ପରେ ଜୁଲାଇ ୧୦ରେ ସେମାନେ ଗୁମ୍ଫାରୁ ବାହାରିଥିଲେ।

Leave A Reply