ଆଜିଠାରୁ ଭାରତ-ଆଫ୍‍ଗାନ ଟେଷ୍ଟମ୍ୟାଚ୍‍

0

ବେଙ୍ଗାଲୁରୁ : ଗୁରୁବାରଠାରୁ ଏଠାରେ ଘରୋଇ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ବିଶ୍ୱର ୧ ନମ୍ବର ଟେଷ୍ଟ ଦଳ ଭାରତ ପାଇଁ ଏହି ମ୍ୟାଚ ଯେତିକି ଗୁୁରୁତ୍ୱ ନୁହେଁ; ଆଫ୍‍ଗାନିସ୍ତାନ ପାଇଁ ଏହା ଇତିହାସ ସୃଷ୍ଟି କରିବାକୁ ଯାଉଛି। ଗୁରୁବାରଠାରୁ ରୁଷରେ ବିଶ୍ୱକପ ଫୁଟବଲ ଆରମ୍ଭ ହେଉଥିବା ବେଳେ ଅଧିକାଂଶ କ୍ରୀଡାପ୍ରେମୀଙ୍କ ନଜର ଏହା ଉପରେ ନିବଦ୍ଧ ହେବା ସ୍ୱାଭାବିକ। ଏହି ଟେଷ୍ଟରେ ଭାରତୀୟ ବ୍ୟାଟିଂ ଓ ଆଫ୍‍ଗାନିସ୍ତାନର ସ୍ପିନ୍‍ ମଧ୍ୟରେ ହେବାକୁ ଥିବା ମୁକାବିଲାକୁ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି।
ଏକଦା ତାଲିବାନ ଆତଙ୍କବାଦୀ ସଂଗଠନର ରାଜୁତିରେ ଛାରଖାର ହୋଇଥିବା ଆଫଗାନିସ୍ତାନ ଯେ ଦିନେ ଟେଷ୍ଟ ମ୍ୟାଚ ଖେଳିବ, ତାହା କୌଣସି କ୍ରିକେଟପ୍ରେମୀ ସ୍ୱପ୍ନରେ ମଧ୍ୟ ଭାବିନଥିଲେ। ତେବେ ଆଫଗାନିସ୍ତାନ ଖେଳାଳିଙ୍କ ପାଇଁ କ୍ରିକେଟ ଆଦୌ ନୂଆ ନୁହେଁ। ୨୦୦୯ରେ ଆଇସିସି ପକ୍ଷରୁ ଦିନିକିଆ ମାନ୍ୟତା ପାଇବାପରେ ଆଫଗାନିସ୍ତାନ କ୍ରିକେଟ ଦଳର ପ୍ରଦର୍ଶନରେ କ୍ରମଶଃ ଉନ୍ନତି ଘଟିବାରେ ଲାଗିଛି। ଦିନିକିଆ ତୁଳନାରେ ଟେଷ୍ଟ ଫର୍ମାଟର ଆହ୍ୱାନ ଅଲଗା ହୋଇଥିବା ବେଳେ ଆଫ୍‍ଗାନ ଦଳ କେତେ ଦୂର ଏହାର ସମ୍ମୁଖୀନ ହୋଇପାରିବ, ତାହା ଆଗାମୀ ସମୟ ହିଁ କହିବ। ଦଳର ଅଧିକାଂଶ ଖେଳାଳିଙ୍କ କ୍ରିକେଟ ସମ୍ପର୍କରେ ଯଥେଷ୍ଟ ଅନୁଭୂତି ରହିଛି। ଆଫ୍‍ଗାନ ଦଳରେ ଏକାଧିକ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ଦିନିକିଆ ଓ ଟ୍ୱେଣ୍ଟି୨୦ ଫର୍ମାଟରେ ସେମାନଙ୍କ ଆବଶ୍ୟକ ଅଭିଜ୍ଞତା ଥିଲେ ସୁଦ୍ଧା ଟେଷ୍ଟ ଫର୍ମାଟ ପାଇଁ ସେମାନେ ସମ୍ପୂର୍ଣ୍ଣ ନୂଆ। ଆଫ୍‍ଗାନ ଦଳରେ ରସିଦ ଖାନ୍‍, ମୁଜିବୁର ରେହମାନ ଓ ମହମ୍ମଦ ନବି ଓ ଜାହିର ଖାନ୍‍ଙ୍କ ଭଳି ପ୍ରତିଭାବାନ ସ୍ପିନର ରହିଛନ୍ତି। ଆଇପିଏଲରେ ରସିଦ ଖାନ୍‍ ଓ ମୁଜିବ ଉନ୍ନତ ପ୍ରଦର୍ଶନ କରିଥିଲେ। ଅଧିନାୟକ ଅସ୍‍ଗର ଷ୍ଟାନିକ୍‍ଜାଇ, ମହମ୍ମଦ ସେହଜାଦ, ଜାଭେଦ ଅହମ୍ମଦି, ରେହମତ୍‍ ଶାହାଙ୍କ ଭଳି ବ୍ୟାଟସମ୍ୟାନ ରହିଛନ୍ତି ସତ, ତେବେ ଭାରତୀୟ ବାତାବରଣରେ ସେମାନେ ଭାରତୀୟ ବୋଲରଙ୍କ କିଭଳି ମୁକାବିଲା କରିବେ ତାହା ଅନୁମାନ କରିବା ସହ କଷ୍ଟକର। ଅପରପକ୍ଷରେ ନିୟମିତ ଅଧିନାୟକ ବିରାଟ କୋହଲି ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ଲୋକେଶ ରାହୁଲଙ୍କ ସହ ମୁରଲୀ ବିଜୟ କିମ୍ବା ଶିଖର ଧାୱନ ଭାରତୀୟ ଇନିଂସ ଓପନ କରିବାକୁ ଯାଉଥିବାବେଳେ ଚେତେଶ୍ୱର ପୂଜାରା, କରୁଣ ନାୟାର, ଅଜିଙ୍କ୍ୟ ରାହାଣେ ମଧ୍ୟକ୍ରମ ବ୍ୟାଟିଂ ସମ୍ଭାଳିବେ। ୱିକେଟ ରକ୍ଷକ ଦିନେଶ କାର୍ତ୍ତିକ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନଅପ୍‍ ଶକ୍ତିଶାଳୀ। ଈଶାନ୍ତ ଶର୍ମା ଓ ଉମେଶ ଯାଦବ ଫାଷ୍ଟ ବୋଲର ଭାବେ ଦଳରେ ସ୍ଥାନ ପାଇଥିବାବେଳେ ସ୍ପିନ୍‍ ଦାୟିତ୍ୱ ସମ୍ଭାଳିବେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା।
ଚିନ୍ନାସ୍ୱାମୀ ପିଚ୍‍ ଘାସ ଆଚ୍ଛାଦିତ ହୋଇଥିବାବେଳେ ପ୍ରଥମ ଦିନରେ ଏହା ଫାଷ୍ଟ ବୋଲରଙ୍କୁ ସହାୟତା ପ୍ରଦାନ କରିବ। ୩ୟ ଦିନରୁ ଏହା ସ୍ପିନ୍‍ ଉପଯୋଗୀ ହେବ ବୋଲି କ୍ୟୁରେଟର ଭବିଷ୍ୟବାଣୀ କରିଛନ୍ତି। ବର୍ତ୍ତମାନ ବେଙ୍ଗାଲୁରୁରେ ବର୍ଷା ଲାଗି ରହିଥିବାରୁ ମ୍ୟାଚ୍‍ରେ ଏହା ବାଧକ ସାଜିପାରେ।

Leave A Reply