ଆମେରିକାକୁ ‘ପୂର୍ଣ୍ଣ ଯୁଦ୍ଧ’ର ଧମକ ଦେଲା ଇରାନ

0

ରିୟାଦ : ସାଉଦି ଆରବରେ ବିଶ୍ୱ ସବୁଠୁ ବଡ଼ ତୈଳ ପ୍ଲାଣ୍ଟ ଉପରେ ଡ୍ରୋନ ଆକ୍ରମଣକୁ ନେଇ ଆମେରିକା ଓ ଇରାନ ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ଆକ୍ରମଣ ପାଇଁ ୟମନସ୍ଥିତ ଶିଆ ହୂତି ବିଦ୍ରୋହୀମାନେ ନିଜକୁ ଦାୟୀ କରିଛନ୍ତି। ମାତ୍ର ସାଉଦି ଆରବର ଘନିଷ୍ଠ ସହଯୋଗୀ ଆମେରିକା ଏଥିପାଇଁ ସିଧାସଳଖ ଇରାନକୁ ଦାୟୀ କରିଛି। ଆମରେିକାର ଅଭିଯୋଗକୁ ଇରାନ ବିଦେଶ ମନ୍ତ୍ରୀ ଖଣ୍ଡନ କରିବା ସହ ଏହା ଭିତ୍ତିହୀନ ବୋଲି କହିଛନ୍ତି। ତେବେ ଇରାନ ସେନାର ଜଣେ ବରିଷ୍ଠ ଅଧିକାରୀ ଆମେରିକାକୁ ‘ପୂର୍ଣ୍ଣ ଯୁଦ୍ଧ’ର ଧମକ ଦେଇଛନ୍ତି। ଇରାନ ସେନା ଆମେରିକା ବିରୋଧରେ ‘ପୂର୍ଣ୍ଣ ଯୁଦ୍ଧ’ ପାଇଁ ପ୍ରସ୍ତୁତ ବୋଲି ବରିଷ୍ଠ ସେନା ଅଧିକାରୀ ଜଣକ କହିଛନ୍ତି।

ଏହି ଘଟଣାକ୍ରମ ଉପରେ ସାରା ବିଶ୍ୱର ନଜର ରହିଛି। ଏପରିକି ମଧ୍ୟପ୍ରାଚ୍ୟରେ ଉତ୍ତେଜନାର ପ୍ରଭାବ ଭାରତ ଉପରେ ପଡ଼ିବ ବୋଲି କୁହାଯାଉଛି। ଇରାନରୁ ତେଲ ଆମଦାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ ଭାରତ ତେଲ ପାଇଁ ସାଉଦି ଆରବ ଉପରେ ନିର୍ଭର କରୁଥିଲା। ସାଉଦି ଆରବର ସବୁଠୁ ବଡ଼ ତେଲ ପ୍ଲାଣ୍ଟ ଉପରେ ଆକ୍ରମଣ ଯୋଗୁଁ ତେଲ ଯୋଗାଣରେ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। ଏହାଦ୍ୱାରା ଭାରତ ଭଳି ଅନେକ ଦେଶରେ ତେଲ ଦର ବଢିଯିବ ବୋଲି ଆଶଙ୍କା କରାଯାଉଛି।

ଡ୍ରୋନ ଆକ୍ରମଣ ପାଇଁ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ଇରାନକୁ ଦାୟୀ କରିଛନ୍ତି। ୟମନରୁ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ନାହିଁ ଓ ଏହି ଆକ୍ରମଣ ପଛରେ ଇରାନ ରହିଛି ବୋଲି ପମ୍ପିଓ କହିଛନ୍ତି। ଏହାକୁ ଇରାନ ବିଦେଶ ମନ୍ତ୍ରଳାୟ ମୁଖପାତ୍ର ଅବାସ ମୁସାବୀ ଖଣ୍ଡନ କରିବା ସହ ଆମେରିକା ଭିତ୍ତିହୀନ ଅଭିଯୋଗ କରୁଛି ବୋଲି କହିଛନ୍ତି। ଇରାନ ବିରୋଧରେ ସାମରିକା ଅଭିଯାନକୁ ଯୁକ୍ତିସଂଗତ ଦର୍ଶାଇବା ପାଇଁ ଆମେରିକା ଏଭଳି ଅଭିଯୋଗ ଆଣୁଛି ବୋଲି ସେ ଅଭିଯୋଗ କରିଛନ୍ତି। ଆମେରିକା ଇରାନ ଉପରେ ଅଧିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଓ ଏବେ ବିଫଳତା ଯୋଗୁଁ ମିଥ୍ୟାର ଆଶ୍ରୟ ନେଇଛି ବୋଲି ସେ କହିଛନ୍ତି । ତେବେ ଆମେରିକାର ପ୍ରତି କାର୍ଯ୍ୟାନୁଷ୍ଠାନର କଡ଼ା ଜବାବ ଦିଆଯିବ ଓ ‘ପୂର୍ଣ୍ଣ ଯୁଦ୍ଧ’ କରିବାକୁ ଆମେ ପ୍ରସ୍ତୁତ ବୋଲି ଇରାନ ସେନାର ବରିଷ୍ଠ ଅଧିକାରୀ କହିଛନ୍ତି।
ପ୍ରକାଶ ଯେ ଡୋନାଲ୍ଡ ଟ୍ରମ୍ପ ୨୦୧୫ରେ ଇରାନ ସହ ପରମାଣୁ ରାଜିନାମାରୁ ଆମେରିକାକୁ ବାହାର କରିନେବା ପରଠାରୁ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।

Leave A Reply