ଆମ ବିନା ତେଲଙ୍ଗାନାରେ ସରକାର ଗଠନ ହୋଇପାରିବନି: ବିଜେପି

0

ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଉ ଦୁଇ ଦିନ ପରେ ପ୍ରକାଶ ପାଇବ । ତେବେ ତେଲଙ୍ଗାନା ବିଧାନସଭା ନିର୍ବାଚନର ଏକଜିଟ୍‍ ପୋଲ ଫଳାଫଳ ବିଜେପି ଓ କଂଗ୍ରେସ ପାଇଁ ଭଲ ନାହିଁ। ଏକଜିଟ ପୋଲ ଅନୁସାରେ ଚନ୍ଦ୍ରଶେଖର ରାଓଙ୍କ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍‍) ଶାସନ ବଜାୟ ରଖିବ। ଏଭଳି ସ୍ଥିତିରେ ଆମେ ସରକାର ଗଠନ କରିବୁ ବୋଲି ବିଜେପି ଦାବି କରିଛି। ସରକାର ଗଠନରେ ଆମେ ନିର୍ଣ୍ଣାୟକ ଭୂମିକା ନେବୁ ଓ ଆମ ବିନା ସରକାର ଗଠନ ଅସମ୍ଭବ ବୋଲି ରବିବାର ତେଲଙ୍ଗାନା ବିଜେପି ସଭାପତି ଲକ୍ଷ୍ମଣ କହିଛନ୍ତି। ତେଲଙ୍ଗାନା ବିଧାନସଭା ନିର୍ବାଚନରେ କାହାକୁ ସ୍ପଷ୍ଟ ବହୁମତ ନମିଳିଲେ ମେଣ୍ଟ ସରକାର ଗଠନ ହେବାର ସମ୍ଭାବନା ରହିଛି। ବିଜେପିର ଦୁଢୋକ୍ତିରୁ କୌଣସି ଦଳ ବହୁମତ ପାଇବେ ନାହିଁ ବୋଲି କୁହାଯାଉଛି।
ତେଲଙ୍ଗାନା ବିଜେପି ସଭାପତି ଲକ୍ଷ୍ମଣ କହିଛନ୍ତି ଯେ କୌଣସି ଦଳକୁ ବହୁମତ ନମିଳିଲେ ବିଜେପି ସରକାର ଗଠନରେ ସାମିଲ ହେବ। ଆମେ କଂଗ୍ରେସ ଓ ଏଆଇଏମ୍‍ଆଇଏମ୍‍କୁ ସମର୍ଥନ ଦେବୁନାହିଁ। ତେବେ ଅନ୍ୟ ବିକଳ୍ପ ଖୋଲା ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ପ୍ରକାଶଯୋଗ୍ୟ ଯେ ତେଲଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ୧୧ ତାରିଖରେ ପ୍ରକାଶ ପାଇବ। ଏକ୍‍ଜିଟ୍‍ ପୋଲରେ ଟିଆରଏସ୍‍କୁ ୬୭, କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟକୁ ୩୯ ଏବଂ ବିପେିକୁ ମାତ୍ର ୫ଟି ଆସନ ମିଳୁଥିବା ଦର୍ଶାଯାଇଛି। ସେହିପରି ଅନ୍ୟ ଏକ ଏକଜିଟ୍‍ ପୋଲରେ ଟିଆରଏସ୍‍କୁ ୭୯ରୁ ୯୧, କଂଗ୍ରେସକୁ ୨୧ରୁ ୩୩, ଏଆଇଏମ୍‍ଆଇଏମ୍‍କୁ ୪ରୁ ୭ଟି ଓ ବିଜେପିକୁ ମାତ୍ର ୧ରୁ ୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ତେଲଙ୍ଗାନାର ୧୧୯ ବିଧାନସଭା ଆସନରୁ ସରକାର ଗଠନ ପାଇଁ ୬୦ଟି ଆସନ ଆବଶ୍ୟକ।

Leave A Reply