ଚଳଚ୍ଚିତ୍ର ‘ରୁଦ୍ର: ଦି ଅବତାର’ରେ ତେଜ୍‍ ପ୍ରତାପ

0

ପାଟନା : ରାଜନୀତିରୁ ସମୟ ବାହାର କରି ବିବାହ କାର୍ଯ୍ୟ ସାରିବା ପରେ ଏବେ ଚଳଚ୍ଚିତ୍ର ଶିଳ୍ପରେ ମନୋନିବେଶ କରିଛନ୍ତି ଲାଲୁ ତନୟ ତେଜ୍‍ ପ୍ରତାପ ଯାଦବ। ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ରୁଦ୍ର: ଦି ଅବତାର’ ଖୁବ୍‍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ନିଜେ ତେଜ୍‍ ପ୍ରତାପ ବୁଧବାର ଏହାର ପୋଷ୍ଟର ବଜାରକୁ ଛାଡ଼ିବା ପରେ ତାଙ୍କର ନୂଆ ଭୂମିକା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିହାରର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ୨୯ବର୍ଷୀୟ ତେଜ୍‍ ପ୍ରତାପଙ୍କ ଫଟୋ ଏହି ପୋଷ୍ଟରରେ ସ୍ଥାନ ପାଇଛି। ତେବେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ନୁହେଁ। ୨୦୧୬ରେ ଭୋଜପୁରୀ ଚଳଚ୍ଚିତ୍ର ‘ଅପହରଣ ଉଦ୍ୟୋଗ’ରେ ସେ ଅଭିନୟ କରିଥିଲେ। ନିକଟରେ ତେଜ୍‍ ପ୍ରତାପ ରାଜନୀତିରୁ ସନ୍ନ୍ୟାସ ନେଇ ଦ୍ୱାରକା ଯିବାକୁ ଚିନ୍ତା କରୁଥିବା ଘୋଷଣା କରିଥିଲେ। ଚଳିତ ମାସ ୯ତାରିଖରେ ସେ ଏ ନେଇ ନିଜ ଟ୍ୱିଟରରେ ସୂଚନା ଦେଇଥିଲେ। ‘ମୁଁ ଭାବୁଛି ହସ୍ତିନାପୁର(ବିହାର)ର ରାଜ ସିଂହାସନ ଅର୍ଜୁନ(ସାନ ଭାଇ ତେଜସ୍ୱୀ)ଙ୍କୁ ଛାଡ଼ିଦେଇ ଦ୍ୱାରକା ଚାଲିଯିବି’ ବୋଲି ଟ୍ୱିଟରରେ ଲେଖିଥିଲେ। ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରାଜନୈତିକ ସମ୍ପର୍କ ଭଲ ନଥିବା ଆଲୋଚନା ହୋଇଥିଲା; ଯାହାକୁ ଖଣ୍ଡନ କରି ସେ କହିଥିଲେ ଯେ ‘ତେଜସ୍ୱୀ ହେଉଛନ୍ତି ତାଙ୍କ କଲିଜାର ଅଂଶ।’

Leave A Reply