ବୈଷୟିକ ଶିକ୍ଷା ଚିନ୍ତା

ଦେଶ ବିକାଶରେ ଯନ୍ତ୍ରୀମାନଙ୍କର ପ୍ରମୁଖ ଭୂମିକା ରହିଛି। ତେଣୁ ଯାନ୍ତ୍ରିକ ଶିକ୍ଷା ଏକ ସ୍ୱତନ୍ତ୍ର ମର୍ୟ୍ୟାଦା ଓ ଗରିମା ବହନ କରି ଆସୁଛି। ତେବେ ଗତ କିଛି ବର୍ଷ ଧରି ଯାନ୍ତ୍ରିକ ଶିକ୍ଷା ପ୍ରତି ଯୁବବର୍ଗଙ୍କ ଚାହିଦା ହ୍ରାସ ପାଇବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ସର୍ବଭାରତୀୟ ଉଚ୍ଚ ଶିକ୍ଷା ସର୍ବେକ୍ଷଣ ଦ୍ୱାରା ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ ବି ଟେକ୍ ଓ ଏମ୍ ଟେକ୍ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଗତ ଚାରିବର୍ଷର ତଳକୁ ଖସି ଆସିଛି। ଗତ ଚାରି ବର୍ଷ ମଧ୍ୟରେ ବିଟେକ୍ ଛାତ୍ରଛାତ୍ରୀ ସଂଖ୍ୟା ୧୧% ହ୍ରାସ ପାଇଥିବା ବେଳେ ଏମ୍ଟେକ୍ରେ ପ୍ରାୟ ଅଧା ହ୍ରାସ ପାଇଛି। ଅପରପକ୍ଷରେ ଏମ୍ବିଏ, ବିଇଡି ଓ ଏଲ୍ଏଲ୍ବି ଛାତ୍ରଛାତ୍ରୀ ସଂଖ୍ୟାରେ ବୃଦ୍ଧି ଘଟିଛି। ଉଲ୍ଲେଖନୀୟ ହେଉଛି ଉଚ୍ଚଶିକ୍ଷାରେ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବିଟେକ୍ ଓ ଏମ୍ଟେକ୍ରେ ସେମାନଙ୍କ ଆଗ୍ରହ କମି ଆସୁଛି। ସେହିପରି ଉଚ୍ଚ ଶିକ୍ଷାରେ କଳା ପ୍ରତି ଛାତ୍ରଛାତ୍ରୀ ସର୍ବାଧିକ ଆଗ୍ରହୀ ଥିବା ବେଳେ ପସନ୍ଦ ତାଲିକାରେ ବିଜ୍ଞାନ ଓ ବାଣିଜ୍ୟ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି।
ଉପରୋକ୍ତ ତଥ୍ୟ ଓ ପରିସଂଖ୍ୟାନକୁ ତର୍ଜମା କଲେ ଜଣାପଡ଼ୁଛି ଯେ ଏବେ ଦେଶରେ ଯାନ୍ତ୍ରିକ ବା ବୈଷୟିକ ମାନବ ସମ୍ବଳ ତୁଳନାରେ ପରିଚାଳନାଗତ ମାନବ ସମ୍ବଳର ଆବଶ୍ୟକତା ଅଧିକ। ଦେଶରେ ଗତ କିଛି ବର୍ଷ ଧରି ଭିତ୍ତିଭୂମି, ନିର୍ମାଣ, ରିଏଲ୍ ଇଷ୍ଟେଟ୍ ପ୍ରକଳ୍ପରେ ଆଖିଦୃଶିଆ ଅଗ୍ରଗତି ଘଟିନାହିଁ। ରିଏଲ୍ ଇଷ୍ଟେଟ୍ ଓ ଅଟୋ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ଛାତ୍ରଛାତ୍ରୀଙ୍କ ମାନସିକତାକୁ ତାହା ପ୍ରଭାବିତ କରିଛି। ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ସେମାନଙ୍କ ଭବିଷ୍ୟତ ନେଇ ସୁରକ୍ଷିତ ମନେ କରୁନାହାନ୍ତି। ବିଟେକ୍ ଓ ଏମ୍ଟେକ୍ରେ ବିଗତ ଚାରିବର୍ଷ ଧରି ଆକର୍ଷଣ ହରାଇବା ଆଉ ଏକ ଦିଗକୁ ସୂଚିତ କରୁଛି। ଉପରୋକ୍ତ ଶିଳ୍ପ କ୍ଷେତ୍ରରେ ଅବନତିର ଧାରା ଚାରିବର୍ଷ ପୂର୍ବରୁ ଆରମ୍ଭ ହୋଇସାରିଥିଲା, ଯାହାକୁ ଭାରତର ସ୍ମାର୍ଟ ଛାତ୍ରଛାତ୍ରୀମାନେ ଉପଲବ୍ଧି କରିପାରିଥିଲେ। ‘ମେକ୍ ଇନ୍ ଇଣ୍ଡିଆ’ ପ୍ରତି ଏହା ଏକ ଶକ୍ତ ଧକ୍କା ବୋଲି କୁହାଯାଇପାରେ। ସେହିପରି ପରିଚାଳନାଗତ ବୃତ୍ତି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୂଚନା ଦେଉଛି ଯେ ଦେଶରେ ବ୍ୟାବସାୟିକ ସଂସ୍ଥାର ଅଭାବ ନାହିଁ। ଏହାର ଆଉ ଏକ ଅର୍ଥ ହେଉଛି ବିଦେଶୀ କମ୍ପାନୀ/ସଂସ୍ଥାମାନେ ଭାରତର ଅନୁକୂଳ ବ୍ୟାବସାୟିକ ବାତାବରଣ ପ୍ରତି ଆକୃଷ୍ଟ ହୋଇଛନ୍ତି, ଯାହା ଦେଶର ଛାତ୍ରଛାତ୍ରୀଙ୍କୁ ପରିଚାଳନାଗତ ବୃତ୍ତିର ସୁଯୋଗ ସୃଷ୍ଟି କରୁଛି। ଦେଶର ବେରୋଜଗାରୀ ହାର ବିଗତ ୪୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିବା ଏବଂ ବୈଷୟିକ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ହ୍ରାସ – ଏହି ଦୁଇଟିକୁ ଯଦି ମିଶାଇ ଦେଖାଯାଏ ତେବେ ଭାରତର ନିଯୁକ୍ତି ବଜାର ଯେ ସଂକୁଚିତ ହୋଇ ଆସୁଛି – ଏହାକୁ ଅସ୍ୱୀକାର କରିହେବ ନାହିଁ। ଏ ଦିଗରେ କେନ୍ଦ୍ର ସରକାରଙ୍କ ନୀତି ନିର୍ଦ୍ଧାରକମାନେ ଦୃଷ୍ଟି ଦେବା ବିଧେୟ। ଦେଶରେ ଦକ୍ଷତା ଓ ଯୁବ ମାନବ ସମ୍ବଳର ଅଭାବ ନାହିଁ। ଏହାର ସଦୁପଯୋଗ ହୋଇପାରିଲେ ୫ ଟ୍ରିଲିୟନ୍ ଡଲାର ସ୍ୱପ୍ନ ପୂରଣ ସହଜ ହେବ।

Comments are closed.