ଚନ୍ଦ୍ରବାବୁ ନାଇଡୁଙ୍କୁ ଧକ୍କା : ବିଜେପିରେ ମିଶିଲେ ୪ ଟିଡିପି ସାଂସଦ

ନୂଆଦିଲ୍ଲୀ : ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବ ତେଲୁଗ ଦେଶମ ପାର୍ଟି (ଟିଡିପି)ର ୪ଜଣ ସାଂସଦ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସଦସ୍ୟ ଥିବା ଟିଡିପିର ଏହି ସାଂସଦମାନେ ଗୁରୁବାର ଅପରାହ୍ଣରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କୁ ଭେଟି ନିଜର ନିଷ୍ପତ୍ତି ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାଂସଦମାନେ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଟିଡିପି ସଂସଦୀୟ ଦଳକୁ ସେମାନେ ବିଜେପିରେ ତୁରନ୍ତ ବିଲୟ କରିବାକୁ ଚାହାନ୍ତି। ରାଜ୍ୟସଭାରେ ଟିଡିପିର ୬ଜଣ ସଦସ୍ୟ ଥିବାବେଳେ ୪ଜଣ ବିଜେପିରେ ଯୋଗ ଦେଇଛନ୍ତି। ଭାରତୀୟ ସମ୍ବିଧାନର ୧୦ମ ଅନୁଚ୍ଛେଦର ୪ର୍ଥ ପାରା ଅନୁଯାୟୀ ଟିଡିପି ସଂସଦୀୟ ଦଳକୁ ବିଜେପିରେ ମିଶ୍ରଣ ଲାଗି ଏହି ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି।
ଟିଡିପି ସଂସଦୀୟକୁ ବିଜେପିରେ ମିଶ୍ରଣ ସହିତ ସେମାନଙ୍କୁ ବିଜେପି ସଦସ୍ୟ ଭାବେ ବିବେଚନା କରିବାକୁ ଉକ୍ତ ସାଂସଦମାନେ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। ସମ୍ବିଧାନର ୧୦ମ ଅନୁଚ୍ଛେଦ ୪ର୍ଥ ପାରା ଅନୁଯାୟୀ ଅନ୍ୟ ଦଳରେ ଯୋଗଦେଇଥିବା ସାଂସଦମାନଙ୍କ ସଭ୍ୟପଦ ରଦ୍ଦ କରାଯାଇପାରିବ ନାହିଁ। ବିଜେପିରେ ଯୋଗଦେଇଥିବା ଟିଡିପି ସାଂସଦମାନେ ହେଲେ ୱାଇଏସ୍ ଚୌଧୁରୀ, ସିଏମ୍ ରମେଶ, ଗରିକାପୋତି ମୋହନ ରାଓ, ଟିଜି ଭେଙ୍କଟେସ। ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ ସମୟରେ ଟିଡିପି ସାଂସଦଙ୍କ ସହିତ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଥିଲେ। ନଡ୍ଡା କହିଛନ୍ତି ଯେ ଟିଡିପି ସାଂସଦଙ୍କ ବିଜେପିର ମିଶ୍ରଣକୁ ଦଳ ସ୍ବାଗତ କରିବା ସହ ସେମାନଙ୍କ ପ୍ରସ୍ତାବକୁ ଗ୍ରହଣ କରିଛି।
ଗତବର୍ଷ ବିଜେପି ନେତୃତ୍ବ ଏନଡିଏରୁ ଟିଡିପି ଓହରିଯାଇଥିଲା। ଟିଡିପି ସାଂସଦଙ୍କ ଏହି ନିଷ୍ପତ୍ତି ଚନ୍ଦ୍ରବାବୁ ନାଇଡୁଙ୍କୁ ଶକ୍ତ ଧକ୍କା ଦେଇଛି। ସମ୍ପ୍ରତି ଆମେରିକାରେ ଛୁଟି କଟାଉଥିବା ନାଇଡୁ ଦଳୀୟ ସାଂସଦଙ୍କ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଟିଡିପିକୁ ଦୁର୍ବଳ କରିବା ଲାଗି ବିଜେପି ଉଦ୍ୟମ କରୁଛି। ବିଜେପିର ଏପରି ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ। ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ସହିତ ରାଜ୍ୟର ସ୍ବାର୍ଥ ପାଇଁ ବିଜେପି ସହିତ ଟିଡିପି ଲଢେଇ କରିଥିଲା। ତେବେ ବିଜେପିର ଏପରି କାର୍ଯ୍ୟରେ ଦଳର କର୍ମୀମାନେ ହତୋତ୍ସାହ ହେବେ ନାହିଁ। ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ନାଇଡୁଙ୍କ ଦଳ ଦୟନୀୟ ପ୍ରଦର୍ଶନ କରିଛି। ବିଧାନସଭା ନିର୍ବାଚନରେ ନାଇଡୁଙ୍କୁ ହରାଇ ଜଗନମୋହନ ରେଡ୍ଡିଙ୍କ ନେତୃତ୍ବ ୱାଇଏସଆର କଂଗ୍ରେସ କ୍ଷମତାସୀନ ହୋଇଛି। ବିଧାନସଭାର ୧୫୦ ଆସନରୁ ଟିଡିପି ମାତ୍ର ୨୩ଟିରେ ବିଜୟୀ ହୋଇଥିଲା। ସେହିପରି ରାଜ୍ୟର ୨୫ଟି ଲୋକସଭା ଆସନରୁ ଟିଡିପି ମାତ୍ର ୩ଟିରେ ବିଜୟୀ ହୋଇଛି। ଟିଡିପିର ୪ ସାଂସଦ ବିଜେପିରେ ଯୋଗଦେବା ପରେ ରାଜ୍ୟସଭାରେ ଏନଡିଏର ସଦସ୍ୟ ସଂଖ୍ୟା ୧୦୬ରେ ପହଞ୍ଚିଛି। ଯାହା ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ଠାରୁ ମାତ୍ର ୧୮ଟି ଆସନ କମ୍।

Comments are closed.