ତାମିଲନାଡୁରେ ଖୋଲିଲା ପ୍ରବାସୀ ଓଡ଼ିଆ ସହାୟତା କେନ୍ଦ୍ର; ଦକ୍ଷତା ବିକାଶରେ ହେବ ସହାୟକ

0

ଭୁବନେଶ୍ୱର : ତାମିଲନାଡୁର ତିରପୁର ଠାରେ ଓଡ଼ିଶା ସରକାରଙ୍କ ଏକ ପ୍ରବାସୀ ସହାୟତା କେନ୍ଦ୍ର ରବିବାର ଉଦ୍‍ଘାଟିତ ହୋଇଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ସହାୟତା କେନ୍ଦ୍ରକୁ ବିଭାଗୀୟ ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂ ଉଦ୍‍ଘାଟିତ କରିଥିଲେ। ତାମିଲନାଡୁର କୋଏମ୍ବାଟୁର ଓ ତିରପୁର ଠାରେ ଓଡ଼ିଶାର ୩୦ ହଜାରରୁ ଊର୍ଦ୍ଧ୍ବ କୁଶଳୀ କାରିଗର କାମ କରୁଛନ୍ତି। ଏହି କେନ୍ଦ୍ର ସେମାନଙ୍କ ଦକ୍ଷତା ବିକାଶରେ ସହାୟକ ହୋଇପାରିବ ବୋଲି ଓରମ୍‍ାସର କାର୍ଯ୍ୟନିର୍ବାହୀ ନିର୍ଦେଶକ ବି.ଏନ. ଦାସ କହିଛନ୍ତି। ନୂତନ କର୍ମସଂସ୍ଥାନ ଲାଗି ଓଡ଼ିଶାରୁ ଆସୁଥିବା ଯୁବକଯୁବତୀଙ୍କ ସାମୟିକ ରହିବା ବ୍ୟବସ୍ଥା, ସ୍ୱାସ୍ଥ୍ୟ ତଥା ଚାକିରି ସଂକନ୍ତୀୟ ବିଭିନ୍ନ ସମସ୍ୟା ସମାଧାନ ଏବଂ ସାଂସ୍କୃତିକ ଭାବ ବିନିମୟ ଦିଗରେ ଏହି କେନ୍ଦ୍ର ସହାୟକ ହୋଇପାରିବ ବୋଲି ସେ କହିଥିଲେ। ଗତ ୨ବର୍ଷ ମଧ୍ୟରେ ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ କୌଶଲ୍ୟ ଯୋଜନା(ଜିଡିୟୁ-ଜିକେୱାଇ)ଦ୍ୱାରା ତାମିଲ ଗ୍ରହଣ କରିଥିବା ପ୍ରାୟ ୫ରୁ ଊର୍ଦ୍ଧ୍ବ ଯୁବକଯୁବତୀ ଏହି ଅଞ୍ଚଳରେ ଥିବା ବିଭିନ୍ନ ବୟନଶିଳ୍ପ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଆସନ୍ତା ବର୍ଷରେ ଆଉ ୫ହଜାର କୁଶଳୀ ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯିବା ନେଇ ଓରମାସ୍‍ ଲକ୍ଷ୍ୟ ରଖିଛି।
ଏହି ଅବସରରେ ତିରପୁର ଠାରେ କାର୍ଯ୍ୟରତ ଓଡ଼ିଆ କର୍ମଚାରୀଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା ସ୍କିଲ୍‍ ଡେଭେଲେପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି, ନିର୍ଦେଶକ ରାଜେଶ ପାଟିଲଙ୍କ ସମେତ ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ, କମ୍ପାନୀ ମାଲିକ ଏବଂ ଉକ୍ତ କମ୍ପାନୀରେ କାର୍ଯ୍ୟରତ ପ୍ରାୟ ୪ହଜାରରୁ ଊର୍ଦ୍ଧ୍ବ ଯୁବକ ଯୁବତୀ ଯୋଗଦାନ କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଏବଂ ଓଡ଼ିଆ କର୍ମଚାରୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ, ସମନ୍ୱୟ ରକ୍ଷା କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅଂଶଗ୍ରହଣ କରିଥିବା କେତେକ କମ୍ପାନୀ କର୍ତ୍ତୃପକ୍ଷ ଓଡ଼ିଆ ଶ୍ରମିକମାନଙ୍କ ପ୍ରସ୍ତୁ୍‍ତ ପୋଷାକ ସାମଗ୍ରୀର ଗୁଣବତ୍ତାକୁ ଭୂୟସୀ ପ୍ରଂଶସା କରିଥିଲେ। ସେମାନଙ୍କ କାର୍ଯ୍ୟଶୈଳୀ କମ୍ପାନୀର ଉତ୍ପାଦନ, ଅଭିବୃଦ୍ଧିରେ ବେଶ ସହାୟକ ହୋଇପାରିଛି ବୋଲି କହିଥିଲେ। ଶେଷରେ ଯୋଗଦାନ କରିଥିବା ଯୁବତୀଯୁବକଙ୍କୁ ନେଇ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Leave A Reply