ନୃଶଂସ ବାପା ଓ ଭାଇ ; ହାତୁଡିରେ ଛେଚି ଭାଙ୍ଗି ଦେଲେ ଝିଅର ହାତ ଓ ଗୋଡ

ବରେଲୀ : ଛୁଆ ଦିନୁ ଦେଖି ଆସୁଥିବା ବାପା ଓ ଭାଇ ବି ଦିନେ ରାକ୍ଷସ ରୂପ ଧାରଣ କରିବେ ସେ କେବେ ଭାବି ନଥିଲା। ଏକ ସାଧାରଣ କଥାକୁ ନେଇ ବାପା ଓ ଭାଇ ଅତି ନୃଶଂସ ଭାବେ ହାତୁଡିରେ ଛେଚି ହାତ ଗୋଡ ଭାଙ୍ଗି ଦେବେ ସେ କଳ୍ପନା କରିନଥିଲା। ଅନରକିଲିଂ ଶବ୍ଦ କେବଳ ଖବର କାଗଜରେ ପଢିଥିଲା ଓ ଟିଭିରେ ଶୁଣିଥିଲା। ଆଜି ଯେବେ ତା’ ସହ ଏହି ଲୋମହର୍ଷଣକାରୀ ଘଟଣା ଘଟିଲା ସେ ହତବାକ ହୋଇଗଲା । ଏହା ହେଉଛି ଉତ୍ତରପ୍ରଦେଶ ବରେଲୀର ଇଜ୍ଜତନଗର ଅଞ୍ଚଳରେ ଏକ ହସ୍ପିଟାଲରେ ଚିକିତ୍ସାଧିନ ୧୬ ବର୍ଷୀୟା ନାବାଳିକାର କାହାଣୀ ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ନାବାଳିକା ଜଣେ ପୁଅ ସହ ଫୋନରେ କଥା ହେଉଥିଲେ । ଏହାକୁ ତାଙ୍କ ବାପା ଦେଖିଲା ପରେ ସହଜରେ ହଜମ କରିପାରି ନଥିଲେ । ପୁଅ ସହ ମିଶି ଅତି ନୃଶଂସ ଭାବେ ହାତୁଡିରେ ପିଟି ନାବାଳିକାକୁ ଲହୁଲୁହାଣ କରି ଦେଇଥିଲେ । ତାଙ୍କ ପାଦ ଓ ହାତର ହାଡ ଭାଙ୍ଗି ଯାଇଥିଲେ । ପରେ କଇଁଚି ସାହାଯ୍ୟରେ ଅତି କଦର୍ଯ୍ୟ ଭାବେ ତାଙ୍କ କେଶକୁ କାଟି ଦେଇଥିଲେ । ଏତିକିରେ ସେମାନଙ୍କ ମନ ବୁଝି ନଥିଲା । ଏକ ବନ୍ଦ କୋଠରୀରେ ତାଙ୍କୁ ଗୋଟିଏ ରାତି ରଖିବା ପରେ ହତ୍ୟା ଯୋଜନା କରିଥିଲେ । ହତ୍ୟା କରି ସେହି କୋଠରୀରେ ପୋତି ଦେବେ ବୋଲି ଘର ଲୋକ ଯୋଜନା କରୁଥିବା ବେଳେ ପୀଡିତା ଏହାକୁ ଶୁଣି ପକାଇ ଥିଲେ । ଶୌଚ ବାହାନା କରି ସେ ଘରୁ ବାହାରି ଆସିଥିଲେ ଏବଂ ପରେ ସେ ଜୀବନ ବଞ୍ଚାଇବାକୁ ଦୌଡିବାରେ ଲାଗିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ବେଶି ବାଟ ଦୌଡି ଯାଇ ପାରିନଥିଲେ । ଗଳି ମୁଣ୍ଡରେ ଅଚେତ ହୋଇ ପଡି ଯାଇଥିଲେ । ଏହି ସମୟରେ ଜଣେ ସମାଜସେବୀ ସେହି ରାସ୍ତା ଦେଉଥିବା ବେଳେ ପୀଡିତାଙ୍କୁ ରକ୍ତାକ୍ତ ଓ ଅଚେତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଥାନାକୁ ନେଇଥିଲେ । ସେଠାରୁ ପୁଲିସ ତାଙ୍କୁ ଜିଲା ମେଡିକାଲରେ ଭର୍ତ୍ତି କରିଥିଲେ । ଚେତା ଫେରିବା ପରେ ନାବାଳିକାଙ୍କ ଏହି ବୟାନ ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏହି ବର୍ବର ହତ୍ୟାକାଣ୍ଡ ଯୋଜନାରେ ତାଙ୍କ ମା’ ମଧ୍ୟ ସାମିଲ ଥିବା ପୀଡିତା ବୟାନ ଦେଇଥିଲେ ।

ଏହି ଘଟଣାରେ ଇଜ୍ଜତନଗରର ପୁଲିସ ପୀଡିତାଙ୍କ ତରଫରୁ ଏକ ମାମଲା ରୁଜୁ କରିଛି । ପୀଡିତାଙ୍କ ବାପା ଓ ଭାଇକୁ ଥାନରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

Comments are closed.