ଜଣେ ଶିକ୍ଷୟିତ୍ରୀରେ ଚାଲିଛି ଖମାର ପ୍ରାଥମିକ ସ୍କୁଲ

ତାଳଚେର : ତାଳଚେର ବ୍ଲକ ଗୋପାଳପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଖମାର ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏଥି ପ୍ରତି ଉଚ୍ଚ ପଦସ୍ଥ ଶିକ୍ଷା ଅଧିକାରୀ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। ଏହି ବିଦ୍ୟାଳୟଟି ୧୯୮୬ ମସିହାରେ ସ୍ଥାପିତ ହୋଇଛି। ଏଥିରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦାନ କରାଯାଉଥିବା ବେଳେ ୪୧ଜଣ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ମାତ୍ର ଛାତ୍ରଛାତ୍ରୀଙ୍କୁ କେବଳ ଜଣେ ଶିକ୍ଷୟତ୍ରୀ ଶିକ୍ଷାଦାନ କରୁଛନ୍ତି। ଉଲ୍ଲେଖଯାଗ୍ୟ ଯେ ଜାତୀୟ ଶିକ୍ଷା ମାନକ ଅନୁଯାୟୀ ୩୦ଜଣ ଶିକ୍ଷାର୍ଥୀଙ୍କ ପାଇଁ ଜଣେ ଶିକ୍ଷକ ରହିବା ଜରୁରୀ ଅଟେ। ପୂର୍ବରୁ ଦୁଇ ଜଣ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଥିବା ବେଳେ ଗତ ଏପ୍ରିଲରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁରୁଚି ସାହୁ ଅବସର ଗ୍ରହଣ କରିବାରୁ କେବଳ ଜଣେ ଶିକ୍ଷୟିତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ଫଳରେ ପିଲାମାନଙ୍କର ଶିକ୍ଷାଦାନରେ ଘୋର ଅସୁବିଧା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏସମ୍ବନ୍ଧରେ କଳମଛୁଇଁ କ୍ଲଷ୍ଟରର ସଂଯୋଜକ ସୁଭାଷ ଚନ୍ଦ୍ର ଜ୍ୟୋତିଷଙ୍କ ସହ ଯୋଗାଯୋଗ କରିବାରୁ ସେ ବିଦ୍ୟାଳୟର ସମସ୍ୟା ବିଷୟରେ ଉଚ୍ଚପଦସ୍ଥ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହିଥିଲେ। ତେଣୁ ତୁରନ୍ତ ଜଣେ ଅଭିଜ୍ଞ ଶିକ୍ଷକଙ୍କୁ ବିଦ୍ୟାଳୟରେ ନିଯୁକ୍ତି ଦେବାକୁ ଦାବି ହେଉଛି।

Comments are closed.