ଇଂଲଣ୍ଡ ୩-୦ରେ ସିରିଜ ବିଜୟୀ

0

 

ଗୁଆହାଟୀ : ଅଧିନାୟିକା ସ୍ମୃତି ମାନ୍ଧାନାଙ୍କ ଲଢୁଆ ଅର୍ଦ୍ଧଶତକ ସତ୍ତ୍ବେ ଭାରତ ଏଠାରେ ଶନିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ନିକଟରୁ ମାତ୍ର ୧ ରନରେ ପରାସ୍ତ ହୋଇଛି। ଏହି ବିଜୟ ଫଳରେ ଇଂଲଣ୍ଡ ତିନିଟିକିଆ ସିରିଜକୁ ୩-୦ରେ ପୋଛିନେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୧୯ ରନ କରିଥିଲା। ଡାନିଏଲା ୱାଟ୍‌ ୨୪, ଟାମି ବିମୋଣ୍ଟ ୨୯ ଓ ଏମି ଜୋନ୍‌ସ ୨୬ ରନ କରିଥିଲେ। ଭାରତ ପକ୍ଷରୁ ଅନୁଜା ପାଟିଲ ଓ ହଲର୍ର୍ିନ ଦେଓଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ଏକତା ବିସ୍ତ୍‌, ପୁନମ ଯାଦବ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ। ଜବାବରେ ଭାରତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୧୮ ରନ କରିଥିଲା। ମାନ୍ଧାନା ୮ଟି ଚୌକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ ୫୮ ଓ ମିତାଲି ରାଜ ଅପରାଜିତ ୩୦ ରନ କରିଥିଲେ। ଶେଷ ଓଭରରେ ଭାରତ ବିଜୟ ପାଇଁ ମାତ୍ର ୩ ରନ ଆବଶ୍ୟକ କରୁଥିଲା। ତେବେ ଭାରତୀ ଫୁଲମାଲି ବ୍ୟାଟିଂ କରୁଥିବାବେଳେ ମିତାଲି ନନ୍‌ ଷ୍ଟ୍ରାଇକର ପଟରେ ଥିଲେ। କେଟ୍‌ କ୍ରସ ଶେଷ ଓଭର ବୋଲିଂ କରିଥିବାବେଳେ ଭାରତୀ ପ୍ରଥମ ୩ଟି ବଲରେ କୌଣସି ରନ ସ୍କୋର କରିପାରିନଥିଲେ। ୪ର୍ଥ ବଲ ଖେଳିବାକୁ ଯାଇ ସେ ଆଉଟ ହୋଇଥିଲେ। କ୍ରିଜ୍‌କୁ ଆସିଥିବା ଅନୁଜା ପାଟିଲ ୫ମ ବଲରେ ବଡ ସଟ୍‌ ମାରିବା ଲକ୍ଷ୍ୟରେ ଷ୍ଟମ୍ପ ଆଉଟ ହୋଇଥିଲେ। ଶେଷ ବଲରେ ବିଜୟ ପାଇଁ ୩ ରନ ଆବଶ୍ୟକ ହେଉଥିବାବେଳେ ଶିଖା ପାଣ୍ଡେ କେବଳ ଗୋଟିଏ ରନ ସଂଗ୍ରହ କରିଥିଲେ। ଫଳରେ ୨୦ ଓଭରରେ ଭାରତ ୬ ୱିକେଟରେ ୧୧୮ ରନ କରିଥିଲା। ଇନିଂସର ଶେଷ ଓଭରରେ ଚମତ୍କାର ବୋଲିଂ କରି ଦଳକୁ ବିଜୟୀ କରାଇଥିବା କେଟ୍‌ କ୍ରସ ‘ପ୍ଲେୟାର ଅଫ୍‌ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି।

Leave A Reply