ଟି-୨୦ରେ ଦୀପକ ଚହରଙ୍କ ବିଶ୍ବରେକର୍ଡ

ହାଟ୍ରିକ ନେବାରେ ପ୍ରଥମ ଭାରତୀୟ

୨-୧ରେ ଭାରତ ସିରିଜ୍‌ ବିଜୟୀ

ନାଗପୁର : ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସର୍ବଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିବାର ବିଶ୍ବରେକର୍ଡ ପ୍ରତିଷ୍ଠା କରିଛନ୍ତି ଭାରତୀୟ ପେସ୍ ବୋଲର ରାଜସ୍ଥାନର ଦୀପକ ଚହର । ରବିବାର ବାଂଲାଦେଶ ବିପକ୍ଷରେ ଚହର ୩.୨ ଓଭରରେ ମାତ୍ର ୭ ରନ୍‌ ଦେଇ ୬ଟି ୱିକେଟ ନେଇଛନ୍ତି। ପୁଣି ଚହର ତାଙ୍କର ଶେଷ ୩ଟି ବଲ୍‌ରେ କ୍ରମାଗତ ୩ଟି ୱିକେଟ ନେଇ ପ୍ରଥମ ଭାରତୀୟ ଭାବେ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ହାଟ୍ରିକ୍ ଅର୍ଜନ କରିଛନ୍ତି। ଚହରଙ୍କ ଏହି ବୋଲିଂ ସଫଳତା ଯୋଗୁଁ ଭାରତ ବାଂଲାଦେଶ ବିପକ୍ଷରେ ଆଜିର ଅନ୍ତିମ ମ୍ୟାଚ୍‌ ଜିତିବା ସହ ୨-୧ରେ ସିରିଜ୍‌ ବିଜୟୀ ହୋଇଛି। ଆଜିର ମ୍ୟାଚ୍‌ରେ ଚହରଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିବାବେଳେ ସେ ମଧ୍ୟ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ଘୋଷିତ ହୋଇଛନ୍ତି।
୨୦୧୨ରେ ଜିମ୍ବାୱେ ବିପକ୍ଷରେ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ୍ ୮ ରନ୍‌ଦେଇ ୬ଟି ୱିକେଟ ନେଇଥିଲେ। ଏହି ରେକର୍ଡକୁ ଚହର ଅତିକ୍ରମ କରିଛନ୍ତି। ପୂର୍ବରୁ ଭାରତୀୟ ଭାବେ ଟ୍ବେଣ୍ଟି୨୦ରେ ଶ୍ରେଷ୍ଠ ବୋଲିଂ ଫିଗର ଥିଲା ଯୁଜବେନ୍ଦ୍ର ଚହଲଙ୍କର। ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଚହଲ ୨୫ ରନ୍‌ଦେଇ ୬ଟି ୱିକେଟ ନେଇଥିଲେ।

Comments are closed.