ଏସୀୟ ସବ୍‌ଜୁନିୟର ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ : ଭାରତୀୟ ଦଳରେ ଶ୍ବେତପର୍ଣ୍ଣା

ଭୁବନେଶ୍ୱର  : ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଖେଳାଳି ତଥା ବଡ଼ ଭଉଣୀ ଋତୁପର୍ଣ୍ଣା ପଣ୍ଡାଙ୍କ ପରେ ଓଡ଼ିଶାର ଦ୍ବିତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ଶ୍ବେତପର୍ଣ୍ଣା ପଣ୍ଡା ଜାତୀୟ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି। ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଆସନ୍ତା ଡିସେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଏସୀୟ ସବ୍‌ଜୁନିୟର ୧୫ ଓ ୧୭ ବର୍ଷରୁ କମ୍‌ ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ ଖେଳାଯିବ । ଏଥି​ରେ ‌ ଅଂଶଗ୍ରହଣ କରିବା ଲାଗି ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ(ବାଇ) ପକ୍ଷରୁ ଭାରତୀୟ ପୁରୁଷ ଓ ମହିଳା ଦଳ ମନୋନୟନ କରାଯାଇଛି। ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଶ୍ବେତପର୍ଣ୍ଣା ପଣ୍ଡା ସ୍ଥାନ ପାଇଛନ୍ତି। ଶ୍ବେତପର୍ଣ୍ଣା ମିକ୍ସ ଡବଲ୍ସ ବିଭାଗରେ ତେଲେଙ୍ଗାନା ଯୋଡ଼ି କେ. ସାତ୍ବକ୍‌ ରେଡ୍ଡିଙ୍କ ସହ ଖେଳିବେ। ବାଇ ପକ୍ଷରୁ ପ୍ରତିଯୋଗିତା ଲାଗି ଆୟୋଜିତ ହେବାକୁ ଥିବା ଜାତୀୟ ଶିବିରରେ ଶ୍ବେତପର୍ଣ୍ଣା ଯୋଗଦେବେ। ଶ୍ବେତପର୍ଣ୍ଣା ଓ ସାତ୍ବକ ଯୋଡ଼ି ବର୍ତ୍ତମାନ ୩୧୦ ପଏଣ୍ଟ ପାଇ ୧୫ ବର୍ଷରୁ କମ୍‌ ସବ୍‌ଜୁନିୟର ବର୍ଗରେ ଶୀର୍ଷ ସ୍ଥାନରେ ରହିଛନ୍ତି। କଟକ ଚାଉଳିଆଗଞ୍ଜ ଅପର୍ଣ୍ଣାନଗର ଅଞ୍ଚଳର ରାମଚନ୍ଦ୍ର ପଣ୍ଡା ଓ ଧରିତ୍ରୀ ସେବିକା ପଣ୍ଡାଙ୍କ କନିଷ୍ଠା କନ୍ୟା ଶ୍ବେତପର୍ଣ୍ଣା ବଡ଼ ଭଉଣୀ ତଥା ଭାରତର ଶ୍ରେଷ୍ଠ ମହିଳା ଡବଲ୍ସ ଖେଳାଳି ଋତୁପର୍ଣ୍ଣାଙ୍କ ପଦାଙ୍କ ଅନୁକରଣ କରି ବ୍ୟାଡ଼ମିଣ୍ଟନ ପ୍ରତି ମନ ବଳାଇଥିଲେ। ୨୦୧୬ରେ ବିହାରର ଦରଭଙ୍ଗାଠାରେ ଆୟୋଜିତ ପୂର୍ବାଞ୍ଚଳ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ଡବଲ୍ସ ବିଭାଗରେ ଋତୁପର୍ଣ୍ଣା ଓ ଶ୍ବେତପର୍ଣ୍ଣା ଚମ୍ପିଆନ ହୋଇଥିଲେ। ୨୦୧୭ରେ ଜାତୀୟ ସିନିୟର ପ୍ରତିଯୋଗିତାରେ ଶ୍ବେତପର୍ଣ୍ଣା ଡବଲ୍ସ ବିଭାଗ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲେ। ଉକ୍ତ ବର୍ଷ ସହିଦ୍‌ନଗର ପୂର୍ବାଞ୍ଚଳ ସାଇ ବ୍ୟାଡ଼ମିଣ୍ଟନ ଏକାଡ଼େମୀ ଲାଗି ଶ୍ବେତପର୍ଣ୍ଣା ମନୋନୀତ ହୋଇଥିଲେ। କିଛି ଦିନ ସେଠାରେ ରହି ଅଭ୍ୟାସ ମଧ୍ୟ କରିଥିଲେ। ଏଠାରେ ରହିବା ପରେ ଶରୀର ଅସୁସ୍ଥ ରହିବାରୁ ଏକାଡ଼େମୀ ଛାଡ଼ି କଟକ ଫେରି ଯାଇଥିଲେ। ଅସୁସ୍ଥତା ପାଇଁ ଖେଳ ଠାରୁ ଦୂରେଇ ଯାଇଥିବା ଶ୍ବେତପର୍ଣ୍ଣା ପୁନର୍ବାର ଖେଳକୁ ଫେରିଥିଲେ। ନିକଟରେ ମଣିପୁରର ଇମ୍ପାଲଠାରେ ଆୟୋଜିତ ସର୍ବଭାରତୀୟ ସବ୍‌ଜୁନିୟର ରାଙ୍କିଙ୍ଗ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାର ମିକ୍ସ ଡବଲ୍ସ ବିଭାଗରେ ଚମ୍ପିଆନ ହୋଇ ଚର୍ଚ୍ଚାକୁ ଆସିଛନ୍ତି। ଗୌହାଟିଠାରେ ଖେଳାଯାଇଥିବା ସର୍ବଭାରତୀୟ ସବ୍‌ଜୁନିୟର ରାଙ୍କିଙ୍ଗ ବ୍ୟାଡ଼ମିଣ୍ଟନର ମିକ୍ସ ଡବଲ୍ସରେ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲେ । ଉକ୍ତ ସଫଳତାକୁ ଆଧାର କରି ଶ୍ବେତପର୍ଣ୍ଣା ଜାତୀୟ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି।

Comments are closed.