ଭାରତରେ ସ୍ବିଡେନ୍‌ ରାଜଦମ୍ପତି,ରାଜା-ରାଣୀଙ୍କ ସରଳତାକୁ ନେଇ ଜୋର୍‌ଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ସ୍ବିଡେନ୍‌ ରାଜା କାର୍ଲ ଷୋଡ଼ଶ ଗୁସ୍ତାଫ ଫକ୍‌ ହବରସସ୍‌ ଓ ରାଣୀ ସିଲ୍‌ଭିଆ ରିନେଟ ସୋମେରଲାଥଙ୍କ ସରଳତାକୁ ନେଇ ଜୋର୍‌ଦାର ଚର୍ଚ୍ଚା। ଏହି ରାଜଦମ୍ପତି ୫ଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଓ ସ୍ବିଡେନ୍‌ର କଣ୍ଟ୍ରି ମ୍ୟାନେଜର ସଙ୍ଗୀତା ସାନ୍ୟାଲ ସେମାନଙ୍କୁ ସ୍ବାଗତ କରିଛନ୍ତି।

ଚର୍ଚ୍ଚାର ବିଷୟ ହେଉଛି ଯେ ସେମାନେ ଷ୍ଟକ୍‌ହୋମ୍‌ରୁ ସାଧାରଣ ଯାତ୍ରୀଙ୍କ ଭଳି ଏୟାର ଇଣ୍ଡିଆ ବିମାନ ଯୋଗେ ଆସି ଏଠାରେ ପହଞ୍ଚିଥିଲେ। ରାଜା ନିଜ ବ୍ୟାଗ୍‌ ନିଜେ ଧରି ବାହାରକୁ ଆସିଥିଲେ। ଏମିତିକି ବାବୁଲ ସୁପ୍ରିୟ ସେମାନଙ୍କୁ ସ୍ବାଗତ କଲାବେଳେ ରାଜାଙ୍କ ହାତରେ ବ୍ୟାଗ୍‌ ଥିବା ଦେଖାଯାଇଥିଲା। ବିମାନରୁ ଓହ୍ଲାଇ କାର୍‌ ପର୍ଯ୍ୟନ୍ତ ଆସିବା ଯାଏ ତାଙ୍କ ହାତରେ ବ୍ୟାଗ୍‌ ରହିଥିଲା। ରାଜା-ରାଣୀ ଭାରତର ସ୍ବତନ୍ତ୍ର ଅତିଥି ଥିଲେ ମଧ୍ୟ ସେମାନଙ୍କଠାରେ କୌଣସି ଜାକଜମକତା ବା ରାଜକୀୟ ଆଦବକାଏଦା ଲକ୍ଷ୍ୟ କରାଯାଇ ନ ଥିଲା।

ଏହାର ଫଟୋ ଏୟାର ଇଣ୍ଡିଆ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଯିବା ପରେ ରାଜଦମ୍ପତିଙ୍କ ସାଧାରଣ ଜୀବନଯାପନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ରାଜଦମ୍ପତିଙ୍କର ଏହା ତୃତୀୟ ଭାରତ ଗସ୍ତ। ଆଜି ସେମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ରାଷ୍ଟ୍ରପତି ଭବନରେ ରାଜଦମ୍ପତିଙ୍କୁ ଗାର୍ଡଅଫ୍ ଅନର ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ଏହା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଲୋଚନା କରିଥିଲେ ରାଜଦମ୍ପତି। ଏହାପରେ ରାଜଦମ୍ପତି ନୂଆଦିଲ୍ଲୀ ହାଇଦରାବାଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Comments are closed.