ସୋମବାର ଶପଥ ନେବେ ଜଷ୍ଟିସ ଅକ୍ଷୟ କୁମାର ମିଶ୍ର

0

କଟକ : ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ଡକ୍ଟର ଅକ୍ଷୟ କୁମାର ମିଶ୍ର ଆସନ୍ତା କାଲି (ସୋମବାର) ଶପଥ ନେବେ । ସୋମବାର ସକାଳ ୧୦ଟା ୧୫ ମିନିଟରେ ହାଇକୋର୍ଟର ପୁରୁଣା ବିଲ୍ଡିଙ୍ଗ କନଫେରେନ୍ସ ହଲରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ବରିଷ୍ଠ ଆଇନ ବିଶାରଦ ତଥା ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଡକ୍ଟର ଅକ୍ଷୟ କୁମାର ମିଶ୍ର ଶନିବାର ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହୋଇଥିଲେ । ଗତ ଅକ୍ଟୋବର ୩୧ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ଡକ୍ଟର ମିଶ୍ରଙ୍କ ନିଯୁକ୍ତି ଉପରେ ମୋହର ମାରିଥିଲେ । ଡକ୍ଟର ମିଶ୍ର ୧୯୫୮ ମସିହା ନଭେମ୍ବର ୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାପୁର ବ୍ଳକ୍ ଗଉଡ ସାହିରେ ଜନ୍ମ ଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନ ସ୍ନାତକୋତ୍ତରେ ଡିଗ୍ରି ହାସଲ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲଏଲଏମ୍ ଡିଗ୍ରି ହାସଲ କରିବା ପରେ ଡକ୍ଟର ମିଶ୍ର ଆଇନ ପାଠ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚଡି ଲାଭ କରିଥିଲେ ।

Leave A Reply