ସ୍ବରାଜର ଆଧାର ଓ ସ୍ବାଧୀନତାର ପରିଧି

ଅହିଂସାର ପୂଜାରୀ, ମାନବିକତାର ଉଦ୍‍ଘୋଷକ ତଥା ବିଶ୍ୱନାୟକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ‘ସମାଜ’ ପରିବାର ତରଫରୁ ବିନମ୍ର ପ୍ରତିବେଦନ

ଆଜିକୁ ୧୫୦ ବର୍ଷ ପୂର୍ବେ, ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋରବନ୍ଦରରେ, ମୋହନ ଦାସ କରମଚାନ୍ଦ ଗାନ୍ଧୀ ନାମରେ ଜଣେ ଅସାଧାରଣ ବ୍ୟକ୍ତିତ୍ୱ ଜନ୍ମ ନେଇଥିଲେ। ପରବର୍ତ୍ତୀ ସମୟରେ ନିଜର ଅନନ୍ୟ ଚିନ୍ତା, ଚେତନା, ଆଦର୍ଶ ଓ କର୍ମଯୋଗ ବଳରେ ସେ କେବଳ ମହାତ୍ମାରେ ପରିଣତ ହେଲେ ନାହିଁ, ବରଂ ସମୟର ବେଳାଭୂମିରେ ତାଙ୍କର ଅଲିଭା ପଦଚିହ୍ନ ଛାଡ଼ିଦେଇ ଗଲେ। ସେହି ମହାତ୍ମାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆମେ ଯେତେବେଳେ ଆମ ଦେଶ ଓ ମାନବ ସମାଜ ପ୍ରତି ତାଙ୍କର ଅକଳନୀୟ ଅବଦାନକୁ ସ୍ମରଣ କରୁଛନ୍ତି ସେତେବେଳେ ବିଶ୍ୱକୁ ତାଙ୍କର ଅତୁଳନୀୟ ଦାନ ସମ୍ପର୍କରେ ମଧ୍ୟ ଚିନ୍ତା କରିବାକୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଥାର୍ଥରେ କହିଛନ୍ତି, ‘ସାମ୍ପ୍ରତିକ ସ୍ଥିତିରେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଓ ଦୁର୍ନୀତିର ପଞ୍ଝାରେ ପେଷି ହୋଇ ମୁକ୍ତିର ବାଟ ଖୋଜୁଥିବା ବିଶ୍ୱ ସମୁଦାୟ ପାଇଁ ଗାନ୍ଧୀ ଦର୍ଶନ ଏକମାତ୍ର ନୈତିକ ଦିଗବାରେଣୀ।’
ଏକ ସଙ୍କଟମୟ ସମୟରେ ତାଙ୍କୁ ନେତା ଭାବେ ପାଇପାରିଥିବାରୁ ଆମେ ଭାରତବାସୀ ଅସୀମ ଗର୍ବ ଅନୁଭବ କରୁ। ଉତ୍ତରାଧିକାରୀ ସୂତ୍ରରେ ସେ ଆମକୁ ପ୍ରେରଣାର ଏକ ଚିରସ୍ଥାୟୀ ଉତ୍ସ ପ୍ରଦାନ କରିଯାଇଛନ୍ତି, ଯାହା ସାମ୍ପ୍ରତିକ ସମୟରେ ଅନେକ ଗୁରୁତ୍ୱ ବହନ କରୁଛି। ସାମାଜିକ-ଅର୍ଥନୈତିକ ସମସ୍ୟାର ଦୂରୀକରଣ ଦିଗରେ ତାଙ୍କର ଦୃଷ୍ଟିଭଙ୍ଗୀ, ପ୍ରଗାଢ଼ ନୈତିକ ମୂଲ୍ୟବୋଧ, ଜନସାଧାରଣଙ୍କ କଲ୍ୟାଣ ଲାଗି ଉତ୍ସର୍ଗୀକୃତ ମନୋଭାବ ହିଁ ଆଜିର ଦିନରେ ଏକ ପ୍ରକୃଷ୍ଟ ମାର୍ଗଦର୍ଶିକା। ଆଜିର ପରିବର୍ତ୍ତନଶୀଳ ରାଜନୈତିକ ଓ ସାମାଜିକ ପୃଷ୍ଠଭୂମିରେ ବାପୁଜୀଙ୍କ ସତ୍ୟାଗ୍ରହ ପରିକଳ୍ପନା ଏକ ଶକ୍ତିଶାଳୀ ଅସ୍ତ୍ର। ବାପୁଜୀଙ୍କ ଭାଷାରେ, ‘ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଶକ୍ତିଶାଳୀ ଅସ୍ତ୍ରଠାରୁ ମଧ୍ୟ ଅହିଂସା ଶକ୍ତିଶାଳୀ।’ ବାପୁଜୀଙ୍କ ଜନ୍ମ ଦିବସ ଅକ୍ଟୋବର ୨ ତାରିଖକୁ ଜାତିସଂଘ ‘ଆନ୍ତର୍ଜାତିକ ଅହିଂସା ଦିବସ’ ରୂପେ ଘୋଷଣା କରିଥିବାରୁ ଭାରତୀୟ ଭାବେ ଆମେ ଗର୍ବିତ।
ଦକ୍ଷିଣ ଆଫ୍ରିକାରେ ଜାତିଆଣ ଭେଦଭାବ ପରି ଅମାନବୀୟ ପ୍ରଥା ବିରୋଧରେ ଲଢ଼େଇ ହିଁ ଗାନ୍ଧିଜୀଙ୍କ ଜୀବନର ନିର୍ଣ୍ଣାୟକ ମୋଡ଼ ଥିଲା। ସେହିଠାରୁ ଆରମ୍ଭ ହେଲା ଇତିହାସର ଏକ ନୂଆ ଅଧ୍ୟାୟ। ଏହି ଲଢ଼େଇର ଅସ୍ତ୍ର ଓ ଶକ୍ତି ଥିଲା ଅହିଂସା ଓ ସତ୍ୟ। ୧୯୨୦ରେ ‘ୟଙ୍ଗ ଇଣ୍ଡିଆ’ରେ ସେ ଲେଖିଥିଲେ, ‘ସତ୍ୟ ଓ ଅହିଂସା ବିନା ଆମ ପାଇଁ ବିକଳ୍ପ ନାହିଁ। ମୁଁ ଜାଣିଛି ଯୁଦ୍ଧ ଏକ ଭୁଲ୍‍ ପଦକ୍ଷେପ, ଏହା ନିହାତି ଅନିଷ୍ଟକାରୀ। ମୁଁ ବିଶ୍ୱାସ କରେ ଯେ ରକ୍ତପାତ କିମ୍ବା ଛଳରେ ହାସଲ କରାଯାଇଥିବା ସ୍ୱାଧୀନତା ପ୍ରକୃତ ସ୍ୱାଧୀନତା ନୁହେଁ।’ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଗାନ୍ଧିଜୀ ଯେଉଁ ଭଳି ଭାବରେ ଅହିଂସାକୁ ବ୍ୟବହାର କରିଥିଲେ ଏବଂ ଯେଉଁ ଦୃଷ୍ଟିକୋଣରୁ ଅହିଂସାକୁ ତର୍ଜମା କରୁଥିଲେ ତାହା ପରବର୍ତ୍ତୀ ସମୟରେ ମାର୍ଟିନ ଲୁଥର କିଙ୍ଗ ଜୁନିୟର, ନେଲସନ୍‍ ମାଣ୍ଡେଲା, ହୋ ଚି ମିନ୍‍ଙ୍କ ପରି ବିଶ୍ୱର ଅନେକ ତୁଙ୍ଗ ନେତାଙ୍କୁ ପ୍ରଭାବିତ କରିଥିଲା। ସାମଗ୍ରିକ ଭାବେ କହିବାକୁ ଗଲେ ଜଣେ ଦୂରଦ୍ରଷ୍ଟା, ବାସ୍ତବବାଦୀ ଓ ସାମାଜିକ ଚେତନାର ସମାହାର ଥିଲା ବାପୁଜୀଙ୍କ ଜୀବନଦର୍ଶନ।
ଆଜି ଆମେ ରାଜନୀତିର ମୂଲ୍ୟବୋଧ ଓ ପ୍ରଶାସନର ଉନ୍ନତି ଦିଗରେ ଚିନ୍ତା କରିବା ବେଳେ ‘ସ୍ୱରାଜ’ର ମୂଳମନ୍ତ୍ରକୁ ସ୍ମରଣ କରିବାକୁ ହେବ। ସ୍ୱରାଜର ସଂଜ୍ଞା ଓ ବ୍ୟାପକତାକୁ ବୁଝାଇବାକୁ ଯାଇ ଗାନ୍ଧିଜୀ ‘ହରିଜନ’ ପତ୍ରିକାରେ ୧୯୩୭, ଜାନୁଆରୀ ୨ ତାରିଖରେ ଲେଖିଥିଲେ, ‘ସ୍ୱରାଜ ସମ୍ବନ୍ଧରେ ମୋର ଧାରଣାକୁ ନେଇ ଭ୍ରମ ରହିବା ଉଚିତ ନୁହେଁ। ସ୍ୱରାଜ ଏକ ବର୍ଗକ୍ଷେତ୍ର, ଯାହାର ଗୋଟିଏ ପାର୍ଶ୍ବ ହେଉଛି ରାଜନୈତିକ ସ୍ୱାଧୀନତା ଏବଂ ଅପରପାର୍ଶ୍ବ ଅର୍ଥନୈତିକ ସ୍ୱାଧୀନତା। ଏହାର ଅନ୍ୟ ଦୁଇ ବାହୁ ହେଉଛି ନୈତିକତା ଓ ସାମାଜିକତା। ଏହି ପରିକଳ୍ପନା ଯେଉଁଠି ଶେଷ ହେଉଛି ସେହିଠାରେ ହିଁ ଧର୍ମ ଆରମ୍ଭ ହେଉଛି। ହିନ୍ଦୁ, ଇସ୍‍ଲାମ୍‍, ଖ୍ରୀଷ୍ଟିଆନ୍‍ ଇତ୍ୟାଦି ଏଥିରେ ସନ୍ନିବେଶିତ; କିନ୍ତୁ ଏହି ‘ଧର୍ମ’ ଅନ୍ୟ ସମସ୍ତ ଭାବନାଠାରୁ ଊର୍ଦ୍ଧ୍ବରେ। ଏହା ହିଁ ସ୍ୱରାଜର ଚତୁର୍ଭୁଜ। ଯଦି ଏହାର ଗୋଟିଏ ବି ବାହୁ ସତ୍ୟ ଉପରେ ଆଧାରିତ ହେବ ନାହିଁ ତେବେ ତାହା ବାସ୍ତବ ରୂପ ପାଇପାରିବ ନାହିଁ।’ ଗଭୀର ଭାବେ ଚିନ୍ତା କଲେ ସାମ୍ପ୍ରତିକ ସମୟରେ ‘ସ୍ୱରାଜ’ର ଗୁରୁତ୍ୱ କେତେ ତାହା ଅନୁମେୟ।
ଦୀର୍ଘସ୍ଥାୟୀ, ଅନ୍ତର୍ଭୁକ୍ତୀକରଣ ଓ ସୁଲଭ ବିକାଶ ଲାଗି ଏକ ଜନମଙ୍ଗଳ ରାଷ୍ଟ୍ରର ଦାୟିତ୍ୱ କ’ଣ ହେବା ଉଚିତ ତାହା ଗାନ୍ଧିଜୀ ସ୍ପଷ୍ଟ କରିଯାଇଛନ୍ତି। ଗାନ୍ଧିଜୀଙ୍କ ପରିକଳ୍ପିତ ପ୍ରଶାସନିକ ବ୍ୟବସ୍ଥାରେ ‘ଜନସାଧାରଣ ହିଁ ପରିବର୍ତ୍ତନର ପ୍ରତିନିଧି। ବ୍ୟବସ୍ଥା ଏକ ପିରାମିଡ୍‍ ସଦୃଶ ହେବା ଅନୁଚିତ, ଯେଉଁଥିରେ ନିମ୍ନସ୍ତରରେ ଥିବା ବ୍ୟକ୍ତିର ଆଧାରରେ ଉପର ସ୍ତରରେ ଥିବା ବ୍ୟକ୍ତି ତିଷ୍ଠି ରହିବ। ବ୍ୟବସ୍ଥା ଏକ ବୃତ୍ତ ବା ପରିଧି ସଦୃଶ ହେବା ଉଚିତ ଯେଉଁଠାରେ କେନ୍ଦ୍ରବିନ୍ଦୁ ହେଉଛନ୍ତି ସାଧାରଣ ଜନତା। ତେଣୁ ପ୍ରତି ଗ୍ରାମରେ ସାଧାରଣତନ୍ତ୍ରର ସମ୍ପୂର୍ଣ୍ଣ କ୍ଷମତା ରହିବା ଉଚିତ।’
ସେହିପରି ରାମରାଜ୍ୟର ପରିକଳ୍ପନା ସମ୍ପର୍କରେ ଗାନ୍ଧିଜୀ କହିଛନ୍ତି ଯେ ‘ମୋ କଳ୍ପନାର ରାମ ଏ ଧରାପୃଷ୍ଠରେ ଜନ୍ମ ନେଇଥିଲେ କି ନାହିଁ ତାହା ବିଶେଷ ଗୁରୁତ୍ୱ ରଖେନା, କିନ୍ତୁ ମୋ ପରିକଳ୍ପିତ ରାମରାଜ୍ୟ ସେଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେବା ଆବଶ୍ୟକ ଯେଉଁଠାରେ ସବୁଠାରୁ ଗରିବ ଲୋକଟିଏ ବିନା କଷ୍ଟ ଓ ମୂଲ୍ୟରେ ନ୍ୟାୟ ପାଇପାରୁଥିବ। ଏହାର ଆଉ ଏକ ଅଂଶ ହେଉଛି ‘ଗ୍ରାମ ସ୍ୱରାଜ’। କାରଣ ଗ୍ରାମ ସ୍ୱରାଜ ବିନା ରାମରାଜ୍ୟ ଅସମ୍ପୂର୍ଣ୍ଣ।’ ଆଜି ଯେତେବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ସ୍ୱଚ୍ଛତା ଓ ଭିତ୍ତିଭୂମିର ଉନ୍ନତି ଜରିଆରେ ଗ୍ରାମୀଣ ବିକାଶ କଥା ଚିନ୍ତା କରାଯାଉଛି ସେତେବେଳେ ଗାନ୍ଧିଜୀଙ୍କ ‘ଗ୍ରାମ ସ୍ୱରାଜ’ ଅନେକ ପ୍ରାସଙ୍ଗିକତା ରଖୁଛି। ଗାନ୍ଧିଜୀ ଅସ୍ପୃଶ୍ୟତାରୂପୀ ମାନସିକତାକୁ ପାପ ବୋଲି କହୁଥିବାବେଳେ ସ୍ୱଚ୍ଛତା ରାଜନୈତିକ ସ୍ୱାଧୀନତାଠାରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ସେ ଶାରୀରିକ ସ୍ୱଚ୍ଛତା ସହିତ ମାନସିକ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରୁଥିଲେ।
ସଂସଦୀୟ ଗଣତନ୍ତ୍ରର ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିବା ବେଳେ ଗାନ୍ଧିଜୀଙ୍କ ବିଚାର ସ୍ୱତଃ ମନକୁ ଆସେ। ଏକ ଆଦର୍ଶ ସଂସଦୀୟ ବ୍ୟବସ୍ଥା କିପରି ହେବା ଉଚିତ ସେ ସମ୍ପର୍କରେ ଗାନ୍ଧିଜୀ ‘ୟଙ୍ଗ ଇଣ୍ଡିଆ’ରେ ୧୯୨୦ରେ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ‘ସ୍ୱାର୍ଥପର ଓ ଅଜ୍ଞ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେଲେ ଏକ ଉତ୍କୃଷ୍ଟ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ ବିଫଳ ହେବ। …ଯଦି ଭୋଟରମାନେ କେବଳ ଭୋଟଦାନରେ ସେମାନଙ୍କ ଅଧିକାରକୁ ସୀମିତ ରଖନ୍ତି ତେବେ ସେମାନଙ୍କ ଦ୍ୱାରା ନିର୍ବାଚିତ ବ୍ୟକ୍ତିମାନେ କାଳକ୍ରମେ ଭୋଟରଙ୍କ ଉପରେ ପ୍ରଭୁତ୍ୱ ଜାହିର କରିବେ। ଭୋଟରମାନେ ସବୁବେଳେ ଜଣେ ଉତ୍ତମ ଚରିତ୍ରର ବ୍ୟକ୍ତିକୁ ନିର୍ବାଚିତ କରିବା ଉଚିତ। କାରଣ ଚରିତ୍ରହୀନ ବ୍ୟକ୍ତିମାନେ ଦେଶକୁ କେବେହେଲେ ଉତ୍ତମ ସେବା ଯୋଗାଇ ପାରିବେ ନାହିଁ।’ ସେହିପରି ଶାସନ କ୍ଷମତାରେ ଥିବା ସଦସ୍ୟମାନେ ବିରୋଧୀଙ୍କ ପ୍ରତି ଶିଷ୍ଟ ଓ ସାଧୁତାପୂର୍ଣ୍ଣ ବ୍ୟବହାର କରିବା ଉଚିତ ବୋଲି ଗାନ୍ଧିଜୀ କହୁଥିଲେ।
ଗାନ୍ଧିଜୀ ନିମ୍ନୋକ୍ତ ୭ଟି କାର୍ଯ୍ୟ ବା ଚିନ୍ତାଧାରାକୁ ଗର୍ହିତ ଭାବେ ଅଭିହିତ କରି ସେଗୁଡ଼ିକୁ ମନରୁ ହଟାଇବାକୁ ଉପଦେଶ ଦେଇଥିଲେ। ସେଗୁଡ଼ିକ ହେଲା – ବିନା କାମରେ ସମ୍ପଦ ଅର୍ଜନ, ବିବେକରହିତ ଆନନ୍ଦ, ଚରିତ୍ର ବିବର୍ଜିତ ଜ୍ଞାନ, ନୈତିକତାବିହୀନ ବ୍ୟବସାୟ, ମାନବସମାଜର ମଙ୍ଗଳ ସାଧନ କରୁନଥିବା ବିଜ୍ଞାନ, ଉତ୍ସର୍ଗୀକୃତ ଭାବନାରହିତ ଧର୍ମ, ନୀତିହୀନ ରାଜନୀତି। ଏକ ସୁସ୍ଥ ସମାଜ ଗଠନ ଦିଗରେ ଉପରୋକ୍ତ ଉପଦେଶ ଅପରିହାର୍ଯ୍ୟ। ପ୍ରାର୍ଥନାର ଶକ୍ତି ଉପରେ ଗାନ୍ଧିଜୀଙ୍କ ପ୍ରଗାଢ଼ ବିଶ୍ୱାସ ଥିଲା। ପ୍ରାର୍ଥନା ସହିତ ବିନମ୍ରତା ଯୋଡ଼ି ହୋଇଗଲେ ହୃଦୟ ଶୁଦ୍ଧ ଓ ସ୍ୱଚ୍ଛ ହୋଇପାରିବ ବୋଲି ସେ କହୁଥିଲେ। ବିଶ୍ୱ ଭ୍ରାତୃତ୍ୱ, ପ୍ରେମ ଓ ସମ୍ବେଦନଶୀଳତା ଉପରେ ଗୁରତ୍ୱାରୋପ କରି ଗାନ୍ଧିଜୀ କହୁଥିଲେ ଯେ ସୃଷ୍ଟିର କ୍ଷୁଦ୍ରାତିକ୍ଷୁଦ୍ର ଉପାଦାନକୁ ଭଲ ପାଇଲେ ଜଣେ ସତ୍ୟର ଚିରନ୍ତନ ଶକ୍ତିକୁ ଉପଲବ୍ଧି କରିପାରିବ। ଅର୍ଥନୈତିକ ବୈଷମ୍ୟ ଏବେ ଉତ୍କଟ ହେବାରେ ଲାଗିଛି। ଏ ସମ୍ପର୍କରେ ଗାନ୍ଧିଜୀଙ୍କ ଦୃଷ୍ଟିକୋଣ ଓ ମତବାଦ ପ୍ରଣିଧାନଯୋଗ୍ୟ। ଗାନ୍ଧିଜୀ କହୁଥିଲେ ‘ଉଦ୍‍ଯୋଗ କିମ୍ବା ୁଉତ୍ତରାଧିକାରୀ ସୂତ୍ରରେ ମୁଁ ବିପୁଳ ସମ୍ପତ୍ତିର ଅଧିକାରୀ ହେଲେ ମଧ୍ୟ ତା’ ଉପରେ ମୋର ସମ୍ପୂର୍ଣ୍ଣ ମାଲିକାନା ରହିବା ଉଚିତ ନୁହେଁ। ସେଥିରୁ ମୋର ଜୀବନଧାରଣ ପାଇଁ ଯେତିକି ଆବଶ୍ୟକ ସେତିକି ମୁଁ ଗ୍ରହଣ କରି ବାକି ଅଂଶ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିବା ଉଚିତ।’
ବାପୁଜୀଙ୍କ ନୀତି ଓ ଆଦର୍ଶକୁ ଆମେ ଆମ ଜୀବନରେ ଉପଯୋଗ କରିପାରିଲେ ତାହା ହିଁ ହେବ ବାପୁଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ମାର୍ଟିନ ଲୁଥର କିଙ୍ଗ ଯଥାର୍ଥରେ କହିଥଲେ ଗାନ୍ଧୀଙ୍କୁ ବାଦ୍‍ ଦେଇ ମାନବଜାତିର ବିକାଶ କଥା ଚିନ୍ତା କରାଯାଇପାରେନା।

ଏମ୍‌.ଭେଙ୍କୟା ନାଇଡ଼ୁ

ଲେଖକ ଭାରତର ଉପ-ରାଷ୍ଟ୍ରପତି
(ମୂଳ ଲେଖାର ମର୍ମାନୁବାଦ)

Comments are closed.