ଓଡ଼ିଶାରେ ସମ୍ମାନ ଓ ସମାନତା ପାଇଁ ଆଉ କେତେ ଦିନ?

0

୨୦୧୪ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିଲା ଭାରତ ବର୍ଷର ଏକ ଯୁଗାନ୍ତକାରୀ ଯୋଜନା ‘ସ୍ୱଚ୍ଛ ଭାରତ ଅଭିଯାନ’। ଦେଶଭକ୍ତିର ଦ୍ୱାହି ଦେଇ ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନର ସ୍ୱଚ୍ଛ ଭାରତ ଗଠନ ଦିଗରେ ବ୍ରତୀ ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ମନ୍ଦିରରୁ ଶ୍ମଶାନ ପର୍ଯ୍ୟନ୍ତ, ଗାଁରୁ ସହର ପର୍ଯ୍ୟନ୍ତ, ପୋଖରୀରୁ ସମୁଦ୍ର ପର୍ଯ୍ୟନ୍ତ, ଘରୁ ରାସ୍ତାଘାଟ, ସାହିରୁ ବଜାର, ସ୍କୁଲ୍‍ କଲେଜ୍‍ରୁ ପାର୍କ ଓ ସିନେମାଘର ପର୍ଯ୍ୟନ୍ତ ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖିବା ଏବଂ ୫ବର୍ଷ ଭିତରେ ଦେଶର ସମସ୍ତ ଅଞ୍ଚଳକୁ ଖୋଲା ମଳତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଦେଶବ୍ୟାପୀ ଅଭୂତପୂର୍ବ ସମର୍ଥନ ଓ ଉତ୍ସାହ ମିଳିଥିଲା।
ଲୋକଙ୍କୁ ଦୀର୍ଘ ଦିନର ରୁଗ୍‍ଣ ମାନସିକତା, ଚିରାଚରିତ ଅଭ୍ୟାସ ଓ ଅନ୍ଧବିଶ୍ୱାସର ବେଡ଼ିରୁ ମୁକ୍ତ କରି ବିଶାଳ ଭାରତବର୍ଷକୁ ସ୍ୱଚ୍ଛ, ସୁନ୍ଦର ଓ ସ୍ୱାସ୍ଥ୍ୟ ଉପଯୋଗୀ କରିବାକୁ ଏହି ୫ ବର୍ଷର ଅବଧି ଅଧିକ ନଥିଲେ ମଧ୍ୟ କମ୍‍ ନଥିଲା। ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପୂର୍ବରୁ ସରକାରଙ୍କ ଆଗରେ ମୁଖ୍ୟ ଆହ୍ୱାନ ଥିଲା ଲୋକଙ୍କ ମାନସିକତାରେ ପରିବର୍ତ୍ତନ। ଅନୁକରଣ ଓ ଅନୁସରଣପ୍ରିୟ ଭାରତବାସୀଙ୍କୁ ଏହି ପରିବର୍ତ୍ତନର ଧାରାରେ ସାମିଲ୍‍ କରିବା ପାଇଁ କେନ୍ଦ୍ର ସରକାର ବହୁ ନାମୀଦାମୀ ତାରକାଙ୍କୁ ଦାୟିତ୍ୱ ଦେଇଥିଲେ। ସ୍ୱଚ୍ଛ ଭାରତ ଅଭିଯାନକୁ ଇତିମଧ୍ୟରେ ୪ ବର୍ଷ ପୂରିଛି। ସ୍ୱଚ୍ଛ ଭାରତ ଅଭିଯାନ କେତେ ସଫଳ ଆଉ କେତେ ବିଫଳ ତାହା ସମୀକ୍ଷା କରିବ ପୂର୍ବରୁ ଲୋକଙ୍କ ମାନସିକତାରେ କେତେ ପରିବର୍ତ୍ତନ ଘଟିଛି ତାହାର ତର୍ଜମା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ସ୍ୱଚ୍ଛ ଭାରତ ଅଭିଯାନରେ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥିଲା ଖୋଲାକାଶ ମଳତ୍ୟାଗ ସମସ୍ୟାର ସମାଧାନ। ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ସହଯୋଗରେ ଯଥାସାଧ୍ୟ ଉଦ୍ୟମ କରି ଆସୁଛନ୍ତି। ଏଥିପାଇଁ ବଜେଟ୍‍ରେ ବିପୁଳ ପରିମାଣର ବ୍ୟୟ ବରାଦ ମଧ୍ୟ କରାଯାଇଛି। ଆଉ ମାତ୍ର ବର୍ଷେ ଭିତରେ ଏହି ଲକ୍ଷ୍ୟ ପୂରଣ ହୋଇ ପାରିବ କି ନାହିଁ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆସନ୍ତା ୧୯ ତାରିଖ ବିଶ୍ୱ ପାଇଖାନା ଦିବସ ଉପଲକ୍ଷେ ଏହି ପ୍ରଶ୍ନ ଆହୁରି ଅଧିକ ଗୁରୁତ୍ୱ ବହନ କରୁଛି।
ଜାତୀୟ ପରିସଂଖ୍ୟାନକୁ ତର୍ଜମା କଲେ ଗୋଷ୍ଠୀ ଓ ପରିବାରଭିତ୍ତିକ ପାଇଖାନା ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। ୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଶତ ପ୍ରତିଶତ ଖୋଲାମଳତ୍ୟାଗ ମୁକ୍ତ ଅଞ୍ଚଳ ଲକ୍ଷ୍ୟ ହାସଲ କରିସାରିଥିବା ବେଳେ ୨ଟିରେ ୯୯% ପର୍ଯ୍ୟନ୍ତ ଲକ୍ଷ୍ୟ ହାସଲ କରିପାରିଛନ୍ତି। ଜାତୀୟ ସ୍ତରରେ ଆଉ ମାତ୍ର ୧୩ ନିୟୁତ ପରିବାର ଶତ ପ୍ରତିଶତ ଖୋଲା ମଳତ୍ୟାଗ ମୁକ୍ତ ଲକ୍ଷ୍ୟଠାରୁ ଦୂରରେ ରହିଛନ୍ତି। ଏଭଳି କ୍ଷେତ୍ରରେ ଓଡ଼ିଶାର ସ୍ଥିତି ନୈରାଶ୍ୟଜନକ ରହିଛି। ଏ ପର୍ଯ୍ୟନ୍ତ ଓଡ଼ିଶାର ମାତ୍ର ୬୫% ପରିବାର ପାଖରେ ପାଇଖାନା ରହିଛି। ଓଡ଼ିଶାରେ ସ୍ୱଚ୍ଛ ଭାରତ ଅଭିଯାନ ୫୦%ରୁ ମାତ୍ର କିଛି ବାଟ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଓଡ଼ିଶା ଗସ୍ତ ଅବସରରେ ଉଦ୍‍ବେଗ ପ୍ରକାଶ କରିଥିଲେ।

ପରିସଂଖ୍ୟାନ

୧ – ବର୍ତ୍ତମାନ ମଧ୍ୟ ବିଶ୍ୱରେ ୨୫୦ କୋଟି ଲୋକ ପାଇଖାନା ସୁବିଧାରୁ ବଞ୍ଚିତ ହୋଇଛନ୍ତି।
୨- ୧୦୦ କୋଟିରୁ ଅଧିକ ଲୋକ ଖୋଲାରେ ମଳତ୍ୟାଗ କରୁଛନ୍ତି।
୩- ୨୦୧୩ରେ ନଭେମ୍ବର ୧୯କୁ ଜାତିସଂଘ ପକ୍ଷରୁ ବିଶ୍ୱ ପାଇଖାନା ଦିବସ ଭାବେ ଘୋଷଣା କରାଯାଇଥିଲା।
୪- ବିଶ୍ୱ ପାଇଖାନା ଦିବସର ଚଳିତ ବର୍ଷର ଥିମ ରହିଛି ‘ସମ୍ମାନ ଓ ସମାନତା’
୫- ୨୦୧୮ ସୁଦ୍ଧା ୮୫% ପରିବାର ପାଖରେ ପାଇଖାନା ରହିଛି
୬- ୨୦୧୮ ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ପ୍ରାପ୍ତ ସୂଚନା ଅନୁଯାୟୀ, ଦେଶର ୯୨% ପରିବାର ପାଖରେ ପାଇଖାନା ଅଛି।
୭ -୩୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଶତ ପ୍ରତଶିତ ଖୋଲାମଳତ୍ୟାଗ ମୁକ୍ତ ଅଞ୍ଚଳ ଘୋଷିତ ହୋଇଛି। ୨ଟିରେ ୯୯% ପର୍ଯ୍ୟନ୍ତ ଲକ୍ଷ୍ୟ ହାସଲ ହୋଇଛି।
୮ -ଆଉ ମାତ୍ର ୧୩ ନିୟୁତ ପରିବାର ଶତ ପ୍ରତିଶତ ଖୋଲା ମଳତ୍ୟାଗ ମୁକ୍ତ ଲକ୍ଷ୍ୟଠାରୁ ଦୂରରେ ରହିଛନ୍ତି।
୯- ଦେଶରେ ଯେତିିକି ପରିମାଣର ଖୋଲା ମଳତ୍ୟାଗ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିଲା ତାହାର ୬୦% ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ରହିଛି। ସେଥିମଧ୍ୟରୁ ଝାଡ଼ଖଣ୍ଡର ୮୭% ପରିବାର ଓ ଉତ୍ତର ପ୍ରଦେଶର ୯୪% ପରିବାର ପାଖରେ ଏବେ ପାଇଖାନା ରହିଛି।
୧୦ – ଓଡ଼ିଶା ଓ ବିହାରରେ ଏହି ଲକ୍ଷ୍ୟ ମାତ୍ର ୬୫% ପୂରଣ ହୋଇପାରିଛି।
୧୧- ଯେଉଁ ସବୁ ରାଜ୍ୟରେ ଏହି ଲକ୍ଷ୍ୟ ପୂରଣ ହୋଇପାରିନି ସେହିସବୁ ରାଜ୍ୟରେ ଜଳ ସମସ୍ୟା ଥିବା ଜଣାପଡ଼ିଛି। କେବଳ ମୌସୁମୀ ଋତୁ ଓ ତା’ ପର ଦୁଇ ମାସ ପର୍ଯ୍ୟନ୍ତ ଲୋକମାନେ ପାଇଖାନା ବ୍ୟବହାର କରୁଛନ୍ତି। ତା’ ପରେ ଚିରାଚରିତ ଭାବେ ଖୋଲାରେ ମଳତ୍ୟାଗ କରୁଛନ୍ତି।
୧୨- ସ୍ୱଚ୍ଛ ଭାରତ ଅଭିଯାନ ପୂର୍ବରୁ ଓ ୧୯୮୬ ପରେ ଭାରତରେ ମାତ୍ର ୬୧ ନିୟୁତ ପାଇଖାନା ନିର୍ମାଣ ହୋଇଥିଲା। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧ ଲକ୍ଷ କୋଟି ଟଙ୍କା।

ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ କଣ କରିପାରିବେ

୧ – ଅର୍ଜେଣ୍ଟ ରନ୍‍

ପରିମଳ ସଚେତନତା ପାଇଁ ଜାତିସଂଘ ଦ୍ୱାରା ଆୟୋଜିତ ‘ଅର୍ଜେଣ୍ଟ ରନ୍‍’ ବା ‘ଜରୁରୀ ଦୌଡ଼’ରେ ସାମିଲ୍‍ ହୋଇପାରିବେ। ଭାରତ ସମେତ ୧୨ଟି ଦେଶଙ୍କୁ ଏହି ପ୍ରତିଯୋଗିତାରେ ସାମିଲ୍‍ ହେବାକୁ ଅନୁମତି ମିିଳିଛି। ଏଥିରେ ପରିମଳ ସଚେତନତା ଓ ସମସ୍ୟାର ସମାଧାନ ପାଇଁ ଆପଣଙ୍କ ପାଖରେ ଯଦି କିଛି ଯୋଜନା ରହିଛି ତେବେ ତାହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଜାତିସଂଘ ୱେବ୍‍ସାଇଟ୍‍ରେ ଉଲ୍ଲେଖ କରିପାରିବେ।

୨-ବିଗ୍‍ ସ୍କ୍ୱାଟ୍‍

ଗୋଷ୍ଠୀ ସଚେତନତା ୧୦୦ କୋଟି ଲୋକଙ୍କୁ ଖୋଲାକାଶରେ ମଳମୁକ୍ତ ଅଭ୍ୟାସରୁ ଦୂରେଇବା ପାଇଁ ବ୍ୟାପକ ଅଭିଯାନ ଆୟୋଜନ କରିପାରିବେ। ଖୋଲା ମଳତ୍ୟାଗ ଦ୍ୱାରା ହଇଜା, ହେପାଟାଇଟିସ୍‍, ଟାଇଫଏଡ୍‍ ଆଦି ରୋଗ ହେଉଥିବାରୁ ବ୍ୟାପକ ଗୋଷ୍ଠୀ ସଚେତନତା ଦ୍ୱାରା ସେହି ସବୁ ସମସ୍ୟାରୁ ସେମାନଙ୍କୁ ମୁକ୍ତ କରିପାରିବେ।

୩-ସେୟାର

‘ପରିମଳ ଯୋଗୁଁ ଜୀବନ ରକ୍ଷା’ – ଏହି ସନ୍ଦେଶକୁ ଫେସ୍‍ବୁକ୍‍, ଟ୍ୱିଟର, ଇନ୍‍ଷ୍ଟାଗ୍ରାମ୍‍, ଗୁଗୁଲ୍‍ ପ୍ଲସ୍‍ ଆଦି ସୋସିଆଲ୍‍ ମିଡିଆରେ ସେୟାର କରିପାରିବେ।

୪-ଟଏଲେଟ୍‍ ଆଡ୍‍ଭୋକେଟ୍‍

ପାଇଖାନା ବ୍ୟବହାର କରିବା ଦ୍ୱାରା କଣ ଲାଭ ହେବ, ନ କରିବା ଦ୍ୱାରା କଣ କ୍ଷତି ହେବ ତାହା ଲୋକଙ୍କୁ ବୁଝାଇପାରିବେ। ପାଇଖାନା ସମ୍ମାନ, ମର୍ଯ୍ୟାଦା, ସୁରକ୍ଷା ଦିଗରେ ସହାୟକ ହୋଇପାରିବ ବୋଲି ଦୃଢ଼ ଯୁକ୍ତି ଉପସ୍ଥାପନ କରିପାରିବେ। ପରିମଳ ସମସ୍ତଙ୍କ ମୌଳିକ ଅଧିକାର। ୨୦୧୦ରେ ଜାତିସଂଘ ଏହା ଘୋଷଣା କରିଥିଲା। ତେଣୁ ଏ ସମ୍ପର୍କରେ ଜନସାଧାରଣ ଓ ଲୋକପ୍ରତିନିଧିଙ୍କୁ ସୂଚିତ କରି ହକ୍‍ ହାସଲ କରିବାରେ ସହାୟକ ହୁଅନ୍ତୁ।

୫-ଟଏଲେଟ୍‍ ସେଲ୍‍ଫି

ପ୍ରାୟ ୨୦୦ କୋଟିରୁ ଊଦ୍ଧ୍ୱର୍ ଲୋକଙ୍କ ପାଖରେ ଉପଯୁକ୍ତ ପାଇଖାନା ବା ଗାଧୁଆ ଘର ନାହିଁ। ତେଣୁ ଆପଣ ଗାଧୁଆ ଘର କିମ୍ବା ପାଇଖାନାର ସେଲ୍‍ଫି ଉଠାଇ ‘ଭାଗ୍ୟବାନ’ ବୋଲି ଲେଖି ସୋସିଆଲ୍‍ ମିଡିଆରେ ସେୟାର କରିପାରିବେ।

୬-ଡୋନେଟ୍‍

ଅନ୍ୟାନ୍ୟ କ୍ଷେତ୍ରକୁ ଦାନ ସହିତ ପାଇଖାନା ନିର୍ମାଣ ବା ପରିମଳ ପାଇଁ ଦାନ କରିବାକୁ ପ୍ରାଥମିକତା ଦିଅନ୍ତୁ। ଏହାଦ୍ୱାରା ବହୁ ଜୀବନହାନିକୁ ରୋକାଯାଇପାରିବ।

 

ପୁରସ୍କାର ଓ ସମ୍ମାନ

ସ୍ୱଚ୍ଛ ଭାରତ ଅଭିଯାନର ପଞ୍ଚମ ତଥା ଚୂଡ଼ାନ୍ତ ବର୍ଷରେ ସଫଳତା ପାଇଁ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ବିଶ୍ୱ ପାଇଖାନା ଦିବସ ପ୍ରତିଯୋଗିତା ୨୦୧୮ ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ନଭେମ୍ବର ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ବିଶ୍ୱ ପାଇଖାନା ସପ୍ତାହ ପାଳିତ ହେଉଛି। ଏହି ସମୟ ଭିିତରେ ସ୍ୱଚ୍ଛ ଭାରତ ଅଭିଯାନ ପ୍ରତିଯୋଗିତାରେ ଭାଗ ନେବା ରାଜ୍ୟ ଓ ଜିଲ୍ଲାସ୍ତରରେ ଆବେଦନ କରାଯାଇପାରିବ। ପ୍ରଦର୍ଶନ ଆଧାରରେ ଦେଶର ଶ୍ରେଷ୍ଠ ୧୦ଟି ଜିଲା ଓ ଶ୍ରେଷ୍ଠ ତିନିିଟି ରାଜ୍ୟକୁ ପୁରସ୍କୃତ ଓ ସମ୍ମାନିତ କରାଯିବ।

ଉପସ୍ଥାପନା: ଗୌରୀ ପ୍ରସାଦ ମହାପାତ୍ର

Leave A Reply