ମହାରାଷ୍ଟ୍ରରେ ସରକାରକୁ ନେଇ ସସ୍‌ପେନ୍ସ ଜାରି, ଆଜି କଂଗ୍ରେସ-ଏନସିପି ନେତାଙ୍କ ବୈଠକ

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେ ସୁଦ୍ଧା ସସ୍‌ପେନ୍ସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଧବାର ପୁଣି ଥରେ କଂଗ୍ରେସ ଏବଂ ଏନସିପି ନେତାମାନଙ୍କ ମଧ୍ୟରେ ବୈଠକ ବସିବ। ଦୁଇ ଦଳର ଏହି ନେତାମାନଙ୍କ ଆଲୋଚନା ଦିଲ୍ଲୀରେ ହେବ। ବୈଠକରେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ ଏବଂ ଏନସିପି ମୁଖ୍ୟ ଶରଦ ପୱାର ଉପସ୍ଥିତ ରହିବେ। ଏହା ପରେ ଅହମ୍ମଦ ପଟେଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ, ବେଣୁଗୋପାଳ, ମଲିକାର୍ଜୁନ ଖାର୍‌ଗେ ଏବଂ ଏ.କେ. ଆଣ୍ଟୋନୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ।

ମହାରାଷ୍ଟ୍ରରେ ସରକାର ଗଠନରେ ଗତିରୋଧ ଜାରି ରହିଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ଦଳର ବରିଷ୍ଠ ନେତା ଅହମମଦ ପଟେଲ, ଏ.କେ. ଆଣ୍ଟୋନୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହିତ ବୈଠକ କରିଥିଲେ। ବୈଠକ ପରେ ଜଣେ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ ଯେ, କଂଗ୍ରେସ ଏବଂ ଏନସିପି ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ(ସିଏମପି)କୁ ନେଇ ଆଗକୁ ଆହୁରି ବୈଠକ କରିବେ ଏବଂ ଏହା ଉପରେ ମନ୍ଥନ ଜାରି ରହିଛି।

ସୂଚନାଯୋଗ୍ୟ, ଗତ ସୋମବାର ଏନସିପି ମୁଖ୍ୟ ଶରଦ ପୱାର ଏବଂ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ଆଲୋଚନା ସମୟରେ ସରକାର ଗଠନକୁ​‌ ନେଇ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ଦୁଇ ନେତାଙ୍କ ସାକ୍ଷାତର କିଛି ସମୟ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ବିଟ୍‌ କରି କହିଥିଲେ ଯେ, ଶରଦ ପୱାର କଂଗ୍ରେସ ଅଧ୍ୟକ୍ଷଙ୍କ ଭେଟିଥିଲେ ଏବଂ ତାଙ୍କୁ ମହାରାଷ୍ଟ୍ର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଆଗାମୀ କାର୍ଯ୍ୟପନ୍ଥା ନେଇ କଂଗ୍ରେସ ଏବଂ ଏନସିପି ନେତାମାନେ ଦିନେ ଦୁଇଦିନ ମଧ୍ୟରେ ଦିଲ୍ଲୀରେ ଭେଟିବେ।

Comments are closed.