ଭାରତୀୟ ମୁକ୍ତି ସଂଗ୍ରାମର ଅଗ୍ରଣୀ ସେନାପତି ବୀର ସୁରେନ୍ଦ୍ର ସାଏ

0

ସମ୍ବଲପୁର ଚୌହାଣ ରାଜବଂଶର ଦାୟାଦ ବୀର ସୁରେନ୍ଦ୍ର ସାଏ ଇଂରେଜ ଶାସନରୁ ନିଜ ରାଜ୍ୟ ତଥା ଦେଶକୁ ସ୍ୱାଧୀନ କରିବାକୁ ମାତ୍ର ୧୮ବର୍ଷ ବୟସରେ ୧୮୨୭ରେ ଜମିଦାର, ଗଣ୍ଡ, ବିଂଝାଲ, ଭୂୟାଁ, କୋହ୍ଲ ଏବଂ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଏକତ୍ରିତ କରି ଏକ ସୈନ୍ୟବାହିନୀ ଗଢି ଦୁର୍ଗମ ବଣପାହାଡ ଓ ଜଙ୍ଗଲରେ ରହି ଗରିଲା ଯୁଦ୍ଧରେ ଇଂରେଜ ସୈନିକଙ୍କୁ ନାକେଦମ୍‍ କରିଦେଇଥିଲେ। ସମ୍ବଲପୁର ଜିଲାର ଗଡପାଟି, ଝରଘାଟି, ଡେବ୍ରିଗଡ, ଆଖଡାଦାଣ୍ଡ, କୁଦୋପାଲି ଆଦି ଦୁର୍ଗମ ଜଙ୍ଗଲରେ ଦୁର୍ଗ ସ୍ଥାପନ କରି ସେ ସାଥୀମାନଙ୍କ ସହ ଅବସ୍ଥାନ କରୁଥିଲେ। ଏହି ମୁକ୍ତି ସଂଗ୍ରାମରେ ତାଙ୍କର ଭାଇ, ପୁଅ ସମସ୍ତ ପରିବାର ଝାସ ଦେଇଥିଲେ। ସମ୍ବଲପୁର ଜିଲାର ଜମେନକିରା ଏବଂ ରେଙ୍ଗାଲି ମଝିରେ ଥିବା ଅତି ଦୁର୍ଗମ ଆଖଡାଦାଣ୍ଡ ଜଙ୍ଗଲରେ ସୁରକ୍ଷା ଗଡ ତିଆରି କରି ସୁରେନ୍ଦ୍ର ସାଏ ଏବଂ ତାଙ୍କ ଭାଇ ଛବିଳ ସାଏ ଶହଶହ ସୈନ୍ୟଙ୍କୁ ଯୁଦ୍ଧବିଦ୍ୟା ତାଲିମ ଦେଉଥିବା କୁହାଯାଏ। ପୁରୁଣା ରାଞ୍ଚିରୋଡ ପାର୍ଶ୍ବରେ ଥିବା ଗୁମଲୋଇରୁ ସମ୍ବଲପୁର-ଝାରସୁଗୁଡା ରାସ୍ତା ପାର୍ଶ୍ବରେ ଥିବା କିଲାସମା ପର୍ଯ୍ୟନ୍ତ ଲମ୍ବିଥିବା ଗଡପାଟି-ଝରଘାଟି ଜଙ୍ଗଲ ସୁରେନ୍ଦ୍ର ସାଏଙ୍କ ଅଭେଦ୍ୟ ଦୁର୍ଗ ଥିଲା। ଏଠାରେ ରହି ସେ ଗରିଲା ଯୁଦ୍ଧ ଜରିଆରେ ଇଂରେଜ ସେନାକୁ ବହୁବାର ପରାସ୍ତ କରିଥିଲେ। ଦୁର୍ଗର ଭଗ୍ନାବଶେଷ ମୁକ୍ତି ସଂଗ୍ରାମର ସାକ୍ଷୀ ହୋଇ ରହିଥିବା ବେଳେ ସୁରେନ୍ଦ୍ର ସାଏଙ୍କ ଦ୍ୱାରା ସ୍ଥାପିତ ଏବଂ ପୂଜିତ ଆରାଧ୍ୟ ଦେବୀ ଗଡପାଟିଏନ୍‍ଙ୍କ ବାର୍ଷିକ ପୂଜା ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ହୋଇଆସୁଛି।
ଇଂରେଜ ସୈନ୍ୟଙ୍କ ସହ ଲଢେଇରେ କ୍ଷତବିକ୍ଷତ ହୋଇ ଛବିଳ ସାଏ ଏକ ଘୋଡା ଧରିବା ଆଶାରେ ସମ୍ବଲପୁର ସହରରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା କୁଦୋପାଲି ଗାଁ ରାସ୍ତାରେ ଦୌଡି ପଳାଉଥିବା ବେଳେ ତାଙ୍କ ପିଠିରେ ଗୁଳି ବାଜିଥିଲା। ଛବିଳ ସାଏ ସେଇଠି ମଝିରାସ୍ତାରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ଏକ ଲୋକଗୀତ ଭାବେ ଅମର ରହିଛି। ଝିଅମାନେ ସନ୍ଧ୍ୟା ସମୟରେ ହୁମ ଖେଳିବା ବେଳେ ଏବେ ମଧ୍ୟ ଗାଆନ୍ତି- ‘ଉଲି ଉଲି ଉଲି ଉଲି ଉଲି। ଛବିଳ ସାଏ କେ ବାଜିଲା ଗୁଳି କୁଦୋପାଲି ମଝା ଖୁଳି ଗୋ ସଜନୀ କୁଦୋପାଲି ମଝା ଖୁଳି।’ ସରକାର କୁଦୋପାଲି ପାହାଡ ଉପରେ ସହିଦ ଛବିଳ ସାଏଙ୍କ ସ୍ମୃତି ସ୍ମାରକୀ ଏବଂ ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ଓ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଖିଣ୍ଡା ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। ଜନ୍ମପୀଠ ଖିଣ୍ଡାରେ ଏକ ସ୍ମ୍ମୃତି ଭବନ ନିର୍ମାଣ କରାଯାଇଥିଲେ ବି ସେଠାରେ ସଂଗ୍ରାମୀ ଏବଂ ତାଙ୍କ ଅନୁଗାମୀଙ୍କ ସ୍ମ୍ମୃତିଚିହ୍ନର ବିନ୍ଦୁ ବିସର୍ଗ ନାହିଁ।
ଭାରତ ଇତିହାସରେ ୧୮୫୭ର ସିପାହି ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଉଛି, କିନ୍ତୁ ସୁରେନ୍ଦ୍ର ସାଏ ଏହାର ୩୦ବର୍ଷ ପୂର୍ବରୁ ବିପ୍ଳବର ବହ୍ନି ପ୍ରଜ୍ଜ୍ୱଳିତ କରି ଶକ୍ତିଶାଳୀ ଇଂରେଜ ସରକାରଙ୍କୁ ନାକେଦମ୍‍ କରିଦେଇଥିଲେ। ଏଥିପାଇଁ ତାଙ୍କୁ ଦୀର୍ଘ ୩୭ବର୍ଷ କାଳ କାରାଗାରରେ ବନ୍ଦୀ ଜୀବନ ବିତାଇବାକୁ ପଡିଥିଲା। କାରାଗାର ଭିତରେ ହିଁ ଏହି ମହାନ୍‍ ଦେଶଭକ୍ତଙ୍କର ମୃତ୍ୟୁ ହୋଇଥିଲା।

Leave A Reply