ଜାମ୍ମୁ-କାଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ : କଟକଣାକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ଦିଅ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ କେନ୍ଦ୍ର ସରକାର ଲାଗୁ କରିଥିବା ବିଭିନ୍ନ କଟକଣାକୁ ନେଇ ଉଠୁଥିବା ପ୍ରତିଟି ପ୍ରଶ୍ନର ଉତ୍ତର ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ଲାଗୁ ବିଭିନ୍ନ କଟକଣାକୁ ବିରୋଧ ହୋଇଥିବା କେତେକ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ବିଚାରପତି ଏନ.ଭି. ରମଣାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଆର. ସୁଭାଷ ରେଡ୍ଡି ଓ ବି.ଆର. ଗଭଇଙ୍କୁ ନେଇ ଗଠିତ ପୀଠ ଜାମ୍ମୁ-କାଶ୍ମୀର ପ୍ରଶାସନର ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ ଏହି ନିର୍ଦେଶ ଦେଇଛନ୍ତି। ଆବେଦନକାରୀମାନେ ଏ ପ୍ରସଙ୍ଗରେ ବିସ୍ତୃତ ଭାବେ ନିଜର ଯୁକ୍ତି ଉପସ୍ଥାପନ କରିଛନ୍ତି। ଏଣୁ କେନ୍ଦ୍ର ପକ୍ଷରୁ ତାଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ହେବ ବୋଲି ତୁଷାର ମେହତାଙ୍କୁ ପୀଠ କହିଛନ୍ତି। ଏହି ମାମଲାକୁ କେନ୍ଦ୍ର ସରକାର ଗୁରୁତ୍ବ ଦେଉନାହାନ୍ତି ବୋଲି ଧାରଣା ସୃଷ୍ଟି ହେବାର ସୁଯୋଗ ପ୍ରଦାନ କରାଯିବା ଉଚିତ ନୁହେଁ ବୋଲି ପୀଠ ଦର୍ଶାଇଛନ୍ତି।
ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଆରୋରା ହଂକଂରେ ବିକ୍ଷୋଭ ପ୍ରସଙ୍ଗର ଉଦାହରଣ ଦେଇଥିଲେ। ସେଠାକାର ସ୍ଥିତିଠାରୁ କାଶ୍ମୀର ସ୍ଥିତି ଉତ୍ତମ ଥିବା ସେ କହିଥିଲେ। ମାତ୍ର ଭାରତ ଭଳି ହଂକଂ ସୀମାପାର ଆତଙ୍କବାଦର ସମ୍ମୁଖୀନ ହୋଇଛି କି ବୋଲି ଜଷ୍ଟିସ ଗଭଇ ପ୍ରଶ୍ନ କରିଥିଲେ। ଆଇନଜୀବୀ କହିଥିଲେ ଯଦି ବାସ୍ତବରେ ଏହା ସୀମାପର ଆତଙ୍କବାଦ ପ୍ରସଙ୍ଗ ହୋଇଥାଆନ୍ତା ; ତା’ହେଲେ କେବଳ କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ କଟକଣା ଲାଗୁ କରାଯାଇଥାଆନ୍ତା। ମେହତା କହିଥିଲେ ସମ୍ପୂର୍ଣ୍ଣ ବନ୍ଦ ଅନୁଚିତ ଏବଂ ଅପ୍ରାସଙ୍ଗିକ। କିନ୍ତୁ ତତ୍‌ସମୟରେ ଉପତ୍ୟକାରେ କାହାରି ଅଧିକାର କ୍ଷୁଣ୍ଣ କରାଯାଇ ନାହିଁ; ବରଂ ୭୦ ବର୍ଷ ମଧ୍ୟରେ ସଭିଙ୍କୁ ଉପଯୁକ୍ତ ଅଧିକାର ପ୍ରଦାନ କରାଯାଇଛି। ପୂର୍ବରୁ ଜାମ୍ମୁ କାଶ୍ମୀରରେ ଶିକ୍ଷା ଅଧିକାର ଆଇନ ଲାଗୁ ହୋଇ ନ ଥିଲା। ମାତ୍ର ଏବେ ବାକ ସ୍ବାଧୀନତା ଓ ଅଭିବ୍ୟକ୍ତି ପରିପ୍ରକାଶ ଉପରେ କଟକଣାକୁ ନେଇ ଅଭିଯୋଗ ଉଠାଯାଉଛି। ୯୧୭ଟି ସ୍କୁଲରେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନ ଥିଲା କି ବନ୍ଦ ପାଳନ କରାଯାଇ ନ ଥିଲା। ଉଲ୍ଲେଖ ଯେ କାଶ୍ମୀରରେ ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ଥିବା ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସଂସଦରେ ବିବୃତି ଦେଇଥିଲେ।

Comments are closed.