କେନ୍ଦ୍ର ସରକାର ଓ ଅନ୍ୟ ସଂସ୍ଥାକୁ ସୁପ୍ରିମକୋର୍ଟ ନୋଟିସ

0

ନୂଆଦିଲ୍ଲୀ : ଶିକ୍ଷା ଭଳି କ୍ରୀଡାକୁ ମୌଳିକ ଅଧିକାର ପରିସରଭୁକ୍ତ କରିବାକୁ ଦାବି ଉଠିଛି। ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ମାମଲାଟିକୁ ବିଚାର ପାଇଁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିଛନ୍ତି। ମାମଲା ଆଧାରରେ ସୋମବାର ସୁପ୍ରିମକୋର୍ଟ ବିଚାରପତି ଏସ୍‍ ଏବ ବୋବଡେ ଓ ବିଚାରପତି ଏଲ ନାଗେଶ୍ୱର ରାଓ ଏଥିପାଇଁ କେନ୍ଦ୍ର ସରକାର, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି), ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ଓ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ)କୁ ନୋଟିସ ଜାରି କରିଛନ୍ତି। ନୋଟିସରେ ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ ସେମାନଙ୍କର ମତାମତ ଦେବାକୁ କହିଛନ୍ତି। ଆଇନ ଛାତ୍ର କନିଷ୍କ ପାଣ୍ଡେ ଏହି ମାମଲା ରୁଜୁ କରିଛନ୍ତି। ପାଣ୍ଡେ ତାଙ୍କ ପିଟିସନରେ ଦାବି କରିଛନ୍ତି ଯେ ଶିକ୍ଷା ଭଳି କ୍ରୀଡାକୁ ପ୍ରାଥମିକ ଓ ଉଚ୍ଚ ଶିକ୍ଷା ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ଭାବେ ସ୍ଥାନିତ କରାଯାଉ। କ୍ରୀଡାକୁ ବାଧ୍ୟତାମୂଳକ ପାଠକ୍ରମ ଭାବେ ସ୍ଥାନିତ କରିବା ଲାଗି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକୁ ନିର୍ଦେଶ ଦିଅନ୍ତୁ। ଆବେଦନକାରୀ ଆଇନ ଛାତ୍ର ପାଣ୍ଡେଙ୍କ ଓକିଲ ରାଜୀବ ଦୁବେ ତାଙ୍କ ପିଟିସନରେ ଦର୍ଶାଇଛନ୍ତି ଯେ ଶିକ୍ଷାନୁଷ୍ଠାନରେ କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବା ଦରକାର। ଛୋଟ ପିଲା ଓ ଯୁବଗୋଷ୍ଠୀଙ୍କ ପାଇଁ କ୍ରୀଡାର ଗୁରୁତ୍ୱ ବହୁତ ଅଧିକ। ଖେଳ ପିଲାମାନଙ୍କ ମଧ୍ୟରେ ଧୈର୍ଯ୍ୟଶକ୍ତି, ପ୍ରତିଯୋଗିତା ମନୋଭାବ, ବନ୍ଧୁତ୍ୱ ଭାବନା ସୃଷ୍ଟି କରିଥାଏ।
ସାମ୍ପ୍ରତିକ ସମାଜରେ ଦେଖାଯାଉଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟକୁ ଏହାଦ୍ୱାରା ଦୂର କରାଯାଇପାରିବ। ପିଟିସନରେ କୁହାଯାଇଛି ଯେ ଭାରତକୁ ଅଲିମ୍ପିକ ପଦକ ବିଜେତା ତାଲିକାର ଆଗରେ ରଖିବାକୁ ହେଲେ କ୍ରୀଡା ଓ କ୍ରୀଡା ପାଠ୍ୟକ୍ରମକୁ ପ୍ରୋତ୍ସାହନ ଓ ଗୁରୁତ୍ୱ ଦିଆଯିବା ଦରକାର। ଦେଶରେ ଯେତେସବୁ ସ୍କୁଲ ବୋର୍ଡ ରହିଛି ତାର କମିଟିରେ ଜଣେ ଲେଖାଏଁ ଜାତୀୟ କ୍ରୀଡାବିତ୍‍ଙ୍କୁ ସଦସ୍ୟ ଭାବେ ରଖାଯିବା ଦରକାର। ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯିବା ଦରକାର। ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ କ୍ରୀଡା ପ୍ରତିଭାକୁ ଚିହ୍ନଟ କରି ଏହାର ବିକାଶ ଦିନରେ ପଦକ୍ଷେପ ନିଆଯିବା ଦରକାର। କ୍ରୀଡାକୁ ବିଦ୍ୟାଳୟରେ ଏକ ମୁଖ୍ୟ ବିଷୟ ଭାବେ ସ୍ଥାନିତ କରି ଆବଶ୍ୟକ ଶିକ୍ଷା ଦିଆଯିବା ଦରକାର ବୋଲି ଆବେଦନକାରୀ ତାଙ୍କ ପିଟିସନରେ ଦର୍ଶାଇଛନ୍ତି।

Leave A Reply