ତୁଠରୁ ଆରମ୍ଭ ବିବାଦ, ତୁଠରେ ସମାଧାନ କଲେ ଜିଲାପାଳ

0

ସୁନ୍ଦରଗଡ଼/ହେମଗିର: ହେମଗିର ଥାନା ଅନ୍ତର୍ଗତ ଲିପସପାଲିଠାରେ ପୋଖରୀ ତୁଠରେ ପାଣି ଛିଣ୍ଟିବାକୁ ନେଇ ଆରମ୍ଭ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘନଉଥିବା ବେଳେ ଉଭୟ ଗୋଷ୍ଠୀଙ୍କ ନାମରେ ଥାନା ଓ ଅଦାଲତରେ ମାମଲା ରୁଜୁ କରିବା, ଜିଲା ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ କରିବା ଘଟଣାକୁ ଦୃଷ୍ଟିରେ ରଖି ଜିଲାପାଳ ନିଖିଳ ପବନ କଲ୍ୟାଣ ହସ୍ତକ୍ଷେପ କରି ଏହି ଘଟଣାକୁ ସମାଧାନ କରିବା ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଏପରିକି ଜିଲାପାଳ ଓ ବରିଷ୍ଠ ପୁଲିସ ଅଧିକାରୀମାନେ ଆଜି ଲିପସପାଲିକୁ ଯାଇ ଗାଁ କ୍ଲବରେ ଏକ ବୈଠକ କରାଇଥିଲେ। ଉକ୍ତ ବୈଠକରେ ଗ୍ରାମବାସୀଙ୍କ ସହ ଜିଲାପାଳ ତଳେ ବସି ଘଟଣାର ପ୍ରାରମ୍ଭରୁ ଶେଷ ପର୍ୟ୍ୟନ୍ତ ସମସ୍ତ ଘଟଣା ଉଭୟ ପକ୍ଷରୁ ଶୁଣିବା ପରେ ଶାନ୍ତି ଓ ସଦଭାବନା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ।

ଏପରିକି ଯେଉଁ ପୋଖରୀ ତୁଠରୁ ବିବାଦ ଆରମ୍ଭ ହୋଇଥିଲା ଉଭୟ ଗୋଷ୍ଠୀର ଲୋକଙ୍କୁ ନେଇ ସେହି ତୁଠରେ ପହଞ୍ଚି ସେଠାରେ ମଧ୍ୟ ଆଲୋଚନା କରି ସେହି ତୁଠ ପାଣିରେ ନିଜେ ହାତ ଧୋଇବା ସହ ଅନ୍ୟମାନଙ୍କୁ ହାତ ଧୋଇବା ପାଇଁ କହି ଆପୋଷରେ ବିବାଦକୁ ଭୁଲି ଯିବା ପାଇଁ ଅନୁରୋଧ କରିଥିଲେ। ସୂଚନା ଯୋଗ୍ୟ, ପୂର୍ବରୁ ଏହି ବିବାଦ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ସମାଧାନ ହୋଇଯାଇଥିଲେ ପରବର୍ତ୍ତୀ ସମୟରେ ଅନ୍ୟ କିଛି ଘଟଣାକୁ ନେଇ ଏହା ଉଗ୍ର ରୁପ ନେଇଥିଲା। ଗୋଟିଏ ଗୋଷ୍ଠୀର ଏତଲା ଉପରେ ଅନ୍ୟ ଗୋଷ୍ଠୀର ୧୧ଜଣଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ ହୋଇଥିବାରୁ ସେମାନେ ଗିରଫ ଭୟରେ ଗାଁରୁ ଫେରାର ହୋଇଯାଇଥିଲେ। ଅପରପକ୍ଷରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ମଧ୍ୟ ସ୍ଥାନୀୟ ଏସଡ଼ିଜେଏମଙ୍କ ଅଦାଲତରେ ୧୨ଜଣଙ୍କ ବିରୁଦ୍ଧରେ ଆଇସିସି ନଂ- ୮୧/୨୦୧୯ରେ ମାମଲା ରୁଜୁ ପାଇଁ ଆବେଦନ କରାଯିବାରୁ ଅଦାଲତ ମାମଲା ରୁଜୁ କରିବା ପାଇଁ ହେମଗିର ଥାନାକୁ ନିର୍ଦ୍ଦେଶ ଦେଇଥିବାର ବରିଷ୍ଠ ଆଇନଜୀବି ଶ୍ୟାମ ସୁନ୍ଦର ମିଶ୍ରଙ୍କ ସୂତ୍ରରୁ ପ୍ରକାଶ।

Leave A Reply