ପାଣିଖୁଲିଆ ଜଙ୍ଗଲରୁ ମହିଳା ଶବ ଉଦ୍ଧାର ମାମଲା

0

ସୁନ୍ଦରଗଡ଼ : ହେମଗିର ଥାନା ଅନ୍ତର୍ଗତ ପାଣିଖୁଲିଆ ଜଙ୍ଗଲରୁ ଅଜଣା ମହିଳାର ଶବ ଉଦ୍ଧାର ମାମଲାକୁ ପୁଲିସ ଦକ୍ଷତାର ସହ ଅନୁସନ୍ଧାନ କରି ମୁଖ୍ୟ ଅଭିଯୁକ୍ତ ପ୍ରେମିକ ସମେତ ୩ଜଣଙ୍କୁ କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି। ମର୍ଗ ହାଉସରେ ସଂରକ୍ଷିତ ଥିବା ମହିଳାଙ୍କ ଶବକୁ ଆଜି ବ୍ୟବଛେଦ କରାଯାଇ ତାଙ୍କ ସ୍ୱାମୀ ଓ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ଏ ଘଟଣାର ପୁର୍ଣ୍ଣଛେଦ ପଡ଼ିଛି। ମୃତା ମହିଳା ଗତ ମାର୍ଚ୍ଚ ମାସରୁ କୁଚିଣ୍ଡାର ଲାସେରୁ ନିଖୋଜ ହୋଇଯିବା ପରେ ସୁନ୍ଦରଗଡ ପହଞ୍ଚି ବୁଲାବୁଲି କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପ୍ରେମିକ କୁହାଯାଉଥିବା ପ୍ରକାଶ ଜଗଦାଲାଙ୍କ ସହ ସାକ୍ଷାତ ହୋଇଥିଲା ପରେ ଉଭୟ ଲେଫ୍ରିପଡ଼ାର ଝୁରିମାଲରେ ନିଜକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ରହି ଆସୁଥିଲେ। ଅଭିଯୁକ୍ତ ଜଗଦାଲା ବିବାହିତ ହୋଇଥିଲେ ମଧ୍ୟ କୌଣସି କାରଣରୁ ଦୀର୍ଘ ୭/୮ବର୍ଷ ହେବ ନିଜ ପତ୍ନୀ ଓ ପିଲାଛୁଆଙ୍କ ଠାରୁ କୁଆଡ଼େ ଅଲଗା ରହୁଥିଲେ। ମୃତା ମହିଳା ଆରତୀ କୁଆଁଙ୍କ ସହ ୩ମାସ ରହିବା ପରେ ଘଟଣାର ପୂର୍ବଦିନ ପ୍ରକାଶ ଜଗଦାଲା ଓ ମୃତା ଆରତୀ ଉଭୟ ଜଗଦାଲାଙ୍କ ମାମୁ ଘରକୁ ଯାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ ସହ ମୃତା ଆରତୀ କୁଆଡ଼େ ବେଶ ପରିଚିତ ଥିବା ଭଳି କଥା ବାର୍ତ୍ତା ହୋଇଥିଲେ। ଆରତୀର ଏଭଳି ଆଚରଣରେ ପ୍ରକାଶ ବିରକ୍ତି ପ୍ରକାଶ କରିବା ସହ ନିଜ ମନରେ ଭିନ୍ନ ଧାରଣା ପୋଷଣ କରି ଆରତୀକୁ କୁଆଡ଼େ ନିର୍ଧୁମ ପିଟିଥିଲେ। ସେହିଦିନ ରାତି ୧୧ଟାରେ ନିଜ ଘର ଝୁରିମାଲକୁ ଫେରିଆସିଥିଲେ ମାତ୍ର ମାଡ଼ଖାଇ ଆରତୀ ରାତିସାରା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସକାଳେ ମୃତ୍ୟୁବରଣ କରିଥିଲେ। ଆରତୀର ମୃତ୍ୟୁ ହୋଇଥିବା ଜାଣି ପ୍ରକାଶ ପଡ଼ୋଶୀ ଶ୍ୟାମ କପୁର(୪୦) ଓ ଅଟୋ ଚାଳକ ଖେଲକାନ୍ତ ରଏଙ୍କୁ ଭିନ୍ନ କଥା କହି ତାରି ଅଟୋରେ ହେମଗିର ଜଙ୍ଗଲକୁ ନେଇ ଆରତୀର ଶବକୁ ଫୋପାଡ଼ି ତା ଉପରେ ଗଛପତ୍ର ଡ଼ାଙ୍କିଦେଇଥିଲେ। ସେହିଦିନ ସନ୍ଧ୍ୟା ବେଳେ ଜୈନିକ ଛେଳି ଚରୁଆଙ୍କ ଠାରୁ ସୂଚନା ପାଇ ହେମଗିର ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳୀ ସୁବୁଦ୍ଧି ଓ ଫରେନସିଂ ଟିମ ଘଟଣାସ୍ଥଳରେ ପହଞ୍ଚି ଆରତୀର ଶବକୁ ଚିହ୍ନଟ ହୋଇ ନ ପାରିବାରୁ ମର୍ଗ ହାଉସରେ ସଂରକ୍ଷିତ ରଖି ତଦନ୍ତ ଜାରି ରଖିଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣକ ଚିହ୍ନଟ ହେବା ପରେ ସେ ରହୁଥିବା ସ୍ଥାନ ଓ ବ୍ୟକ୍ତିଙ୍କ ସଂପର୍କରେ ପୁଲିସ ସମସ୍ତ ତଥ୍ୟ ସଂଗ୍ରହ କରି ପ୍ରଥମେ ପ୍ରକାଶ ଜଗଦାଲାକୁ ସନ୍ଦେହରେ ଆଣି ପଚରାଉଚୁରା କରିବାରୁ ସେ ସମସ୍ତ ଘଟଣା ପୁଲିସ ନିକଟରେ ସ୍ୱିକାର କରିବା ସହ ପଡ଼ୋଶୀ ଶ୍ୟାମ କପୁର, ଅଟୋ ଚାଳକ ଖେଲକାନ୍ତ ରଏଙ୍କ ସହାୟତାରେ ଶବକୁ ହେମଗିର ଜଙ୍ଗଲରେ ପକାଇ ଦେଇଥିବା କଥା କହିଥିଲା। ପରେ ପୁଲିସ ଶ୍ୟାମ, ଖେଲକାନ୍ତ ଓ ପ୍ରକାଶକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ।

Leave A Reply