ଅସ୍ତ୍ରାଗାରରୁ ଗୁଳି ଗାଏବ ପ୍ରସଙ୍ଗ ; କନେଷ୍ଟବଳ ଗିରଫ, ୬୦ ଗୁଳି ଜବତ

0

ସୁନ୍ଦରଗଡ଼ : ପୁଲିସ ଯେଉଁ ସାମଗ୍ରୀକୁ ସୁରକ୍ଷିତ ରଖିବା ପାଇଁ ୨୪ଘଣ୍ଟା ପହରା ବ୍ୟବସ୍ଥା କରିବା ଓ ଏହାର ବ୍ୟବହାର ଉପରେ ମଧ୍ୟ ଟିକିନିକି ତଥ୍ୟ ରଖିଆସୁଛି। ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରୁ ଏହି ସାମଗ୍ରୀ ଗାଏବ(ଚୋରି!) ହେବା ଘଟଣା ପୁଲିସ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଦିନରାତି ଏକ କରି ପୁଲିସ ଗାଏବ ହୋଇଥିବା ଗୁଳିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ହିଁ ଗୁଳି ଗାଏବର ଅସଲ ଉଦ୍ଦେଶ୍ୟ କଣ ଥିଲା ତାହା ଏ ଯାଏ ସ୍ପଷ୍ଟ ହୋଇପାରିନାହିଁ। ବିଗତ ଦିନରେ ଜିଲାରେ ଖୋଦ ପୁଲିସ କର୍ମଚାରୀ ମାଓବାଦୀଙ୍କ ଇନଫର୍ମର ରହିବାର ନଜିର ରହିଥିଲେ ହିଁ ପୁଣି ଏ ଘଟଣାକୁ ନେଇ ଅନୁରୂପ ପ୍ରକାର ଚର୍ଚ୍ଚା ମଧ୍ୟ ଜୋର ଧରିଛି। ଜୈନିକ ପୁଲିସ ଅଧିକାରୀ ଏଭଳି ଚର୍ଚ୍ଚାକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି। ସୂଚନା ଯୋଗ୍ୟ, ରିଜର୍ଭ ଅସ୍ତ୍ରାଗାରରୁ ପ୍ରାୟ ୬୦ଟି ଗୁଳି ଗାଏବ ହୋଇଥିବାର ନଜରକୁ ଆସିବା ପରେ ରିଜର୍ଭର ଜୈନିକ ଅଧିକାରୀ ଏ ସଂପର୍କରେ ଟାଉନ ଥାନାରେ ଏତଲା ଦେଇଥିଲେ। ପୁଲିସ ଏଭଳି ସମ୍ବେଦଶୀଳ ଘଟଣାକୁ ଅଣଦେଖା କରି ନପାରି ମାମଲା ରୁଜୁ କରିବା ପାଇଁ ବାଧ୍ୟ ହୋଇଥିଲେ ହିଁ ଶେଷରେ ଜୈନିକ କନେଷ୍ଟବଳଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୬୦ଗୁଳି ଜବତ କରିଛନ୍ତି। ଆସନ୍ତା କାଲି ଗିରଫ କନେଷ୍ଟବଳ ଗୁଲସନ ଅମିତ କିରୋକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ନିଜର ଦାୟିତ୍ୱହୀନ ଓ ଅସାବଧାନତା ଯୋଗୁଁ ଏଭଳି ଏକ ଘଟଣା ଘଟିଛି ବୋଲି ଅଧିକାରୀ ଜଣକ କହିଛନ୍ତି।

Leave A Reply