ଫୁଟବଲ ଖେଳବେଳେ ଅଘଟଣ:ବଜ୍ରପାତରେ ୨ ମୃତ,୧୧ ଗୁରୁତର

0

ସୁନ୍ଦରଗଡ/ବିଶ୍ରା : ଫୁଟବଲ ଖେଳ ବେଳେ ବଜ୍ରପାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ସୂଚନା ମିଳିଛି । ହାତୀବାରି ଥାନା ଅଞ୍ଚଳର ୧୧ ଜଣ ଖେଳାଳି ଫୁଟବଲ ଖେଳିବା ପାଇଁ ଝାଡ଼ଖଣ୍ଡର ଜଲଡେଗା ଥାନା ଅନ୍ତର୍ଗତ ପରବା ଗ୍ରାମକୁ ଯାଇଥିଲେ। ଫୁଟବଲ ଖେଳିବା ସମୟରେ ଅପରାହ୍ନ ୪ଟାରୁ ୪.୩୦ମି. ମଧ୍ୟରେ ଖେଳାଳିଙ୍କ ଉପରେ ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ପ୍ରାୟ ସମସ୍ତ ଖେଳାଳି ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିଲେ। ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ, ଝାଡ଼ଖଣ୍ଡର ଜଣେ ଖେଳାଳିଙ୍କର ଉକ୍ତ ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ  ପୁରୁଣାପାଣି ଅଞ୍ଚଳର ବାସୁଦେବ ଗଂଜୁ (୧୮)ଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଅନ୍ୟମାନଙ୍କୁ ହାତୀବାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ହାତୀବାରି ଥାନା ଅଧିକାରୀ ଶ୍ୟାମଲାଲ ଓରାମ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ଅନ୍ୟ ଖେଳାଳିମାନେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଏହି ଖବର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Leave A Reply