ସୁଖୋଇ ବିମାନର ଚାହିଦା ବୃଦ୍ଧି

0

କୋରାପୁଟ(ଅଫିସ)/ସୁନାବେଡ଼ା : ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ଼ (ହାଲ) ସୁନାବେଡ଼ା ପକ୍ଷରୁ ସମ୍ପୂର୍ଣ୍ଣ ଭାରତୀୟ କୌଶଳରେ ସୁଖୋଇ ବିମାନ ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ହାଲ ପକ୍ଷରୁ ବିମାନ ନିର୍ମାଣର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁନେବେଡ଼ାରେ ହିଁ ସମ୍ପୂର୍ଣ୍ଣ
କରାଯିବ। ବର୍ଷକୁ ପ୍ରାୟ ୨୪ ସୁଖୋଇ ବିମାନକୁ ଉପଲବ୍ଧ ଭିତ୍ତିଭୂମିରେ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ଚଳିତବର୍ଷ ଅନ୍ୟୁନ ୨୦ଟି ବିମାନ ନିର୍ମାଣ ଲାଗି କମ୍ପାନି ଆଶା ରଖିଛି।
ଦେଶରେ ବାୟୁସେନାରେ ୪୩ଟି ବିମାନଘାଟି କାମ କରୁଛି। ଯୁଦ୍ଧ ଓ ନିରପତ୍ତା ଦୃଷ୍ଟିକୋଣରୁ ପ୍ରତ୍ୟେକ ବାୟୁସେନା ବିମାନଘାଟିରେ ୩୬ଟି ଯୁଦ୍ଧ ବିମାନର ଆବଶ୍ୟକ ରହିଛି। ତଦନୁଯାୟୀ ଆବଶ୍ୟକ ସଂଖ୍ୟକ ଯୁଦ୍ଧ ବିମାନ ବାୟୁସେନା ପାଖରେ ନଥିବାରୁ ମିଗ ବିମାନକୁ ସମ୍ପୂର୍ଣ୍ଣ ଅପସାରଣ କରିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ୯୦ ଦଶକରୁ ଋଷିଆ କର୍ତ୍ତୃପକ୍ଷ ମିଗ ବିମାନକୁ ତାଙ୍କର ବାୟୁସେନାରୁ ଅପସାରଣ କରିସାରିଥିବାବେଳେ ଭାରତରେ ବର୍ତ୍ତମାନ ସୁଦ୍ଧା ମିଗ ବିମାନର ସେବା ଚାଲୁ ରହିଛି।
କାରଖାନା କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଏକ ସୁଖୋଇ ବିମାନକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ସ୍ତରରେ ପାଞ୍ଚଟି ପର୍ଯ୍ୟାୟ ଦେଇ ଗତି କରିବାକୁ ହୋଇଥାଏ। ତେବେ ସମ୍ପ୍ରତି ଯେଉଁ ଗତିରେ କାର୍ଯ୍ୟ ଚାଲିଛି; ଚଳିତବର୍ଷ ସର୍ବନିମ୍ନ ୨୦ଟି ସୁଖୋଇ ବିମାନ ନିର୍ମାଣ ସକାଶେ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ସୁଖୋଇ ଏଭିଏସନ କର୍ପୋରେସନ, ଋଷିଆ ପକ୍ଷରୁ ନିର୍ମାଣଧିନ ସୁଖୋଇ-୩୦ ଏମକେଆଇ ଏକ ଦ୍ୱୈତ ଇଞ୍ଜିନ ବିଶିଷ୍ଟ କ୍ଷମତା ସମ୍ପନ୍ନ ଯୁଦ୍ଧ ବିମାନ ସୁନାବେଡ଼ା ସ୍ଥିତ ହାଲର କୋରାପୁଟ ଡିଭିଜନରେ ମରାମତି ସହ ନବୀକରଣ କରାଯାଉଛି। ସମ୍ପୂର୍ଣ୍ଣ ଭାରତୀୟ କୌଶଳରେ ଏହି ବିମାନ ପ୍ରସ୍ତୁତ ପାଇଁ ୨୦୧୩ରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ୨୦୧୭ରେ ଏହା ସମ୍ପୂର୍ଣ୍ଣ ରୂପରେଖ ନେଇଛି। ୧୯୬୪ରେ ଋଷ ଜ୍ଞାନକୌଶଳ ସହାୟତାରେ ଆରମ୍ଭ ହୋଇଥିବା ୩୧୨୦ଏକର ଜମି ପରିବେଷ୍ଟିତ ସୁନାବେଡ଼ାର ହାଲ; ମିଗ ବିମାନ କାରଖାନା ଭାବେ ପ୍ରସିଦ୍ଧି ଲାଭ କରିଥିଲା। ସମ୍ପ୍ରତି ଏହି କାରଖାନାରେ ସୁଖୋଇ ବିମାନର ନିର୍ମାଣ ମଧ୍ୟ କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ ମିଗ୍‍ ବିମାନ ପ୍ରକଳ୍ପ ପାଇଁ ଆଗାମୀ ୨୦୨୧-୨୨ ପର୍ଯ୍ୟନ୍ତ କାର୍ଯ୍ୟଖସଡ଼ା ରହିଛି। ତେବେ ନୌସେନାର ସହାୟତାରେ ମିଗ-୨୯ବିମାନର ଇଞ୍ଜିନ ରକ୍ଷଣାବେକ୍ଷଣ ସକାଶେ ୫ବର୍ଷର କାର୍ଯ୍ୟାଦେଶ ପାଇବା ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି। ମିଗ-୨୯ର ପ୍ରକଳ୍ପର ଭବିଷ୍ୟତ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ବିଚାରାଧିନ ରହିଛି। ଅନ୍ୟପକ୍ଷରେ ସୁଖୋଇ ବିମାନ ପ୍ରକଳ୍ପ ଆଗାମୀ ୩୦ବର୍ଷ ଚାଲିବା ନିମନ୍ତେ ଆବଶ୍ୟକ ସାଧନ ହାଲ ପାଖରେ ମହଜୁଦ ରହିଛି। ୨୦୦୪ରେ ସୁଖୋଇ ବିମାନ ପାଇଁ ଆବଶ୍ୟକ ଏଲ-୩୧ଏଫପି ଇଞ୍ଜିନର ନିର୍ମାଣ ଓ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ ୨୦୦୮ପରଠାରୁ ମିଗ୍‍-୨୯ ବିମାନ ପାଇଁ ଆବଶ୍ୟକ ହେଉଥିବା ଆରଡି-୩୩ ଇଞ୍ଜିନର ନିର୍ମାଣ ଆରମ୍ଭ କରିଥିଲା। କମ୍ପାନି ପକ୍ଷରୁ ‘ମିଗ-୨୧ ବାଇସନ’, ‘ମିଗ-୨୭’ ଓ ‘ମିଗ-୨୯’ ଇଞ୍ଜିନର ରକ୍ଷଣାବେକ୍ଷଣ କରାଯାଉଛି।
୪୫ ସୁଖୋଇ ବିମାନ ନିର୍ମାଣ ଏବଂ ୧୦୫ ବିମାନର ମରାମତି ଓ ନବୀକରଣର ଆବଶ୍ୟକତା ଥିବାବେଳେ କାରଖାନା ପକ୍ଷରୁ ୩୪ଟିର ନିର୍ମାଣ ଓ ୬୫ଟି ନବୀକରଣ ହୋଇପାରିଥିବା ସୂଚନା ମିଳିଛି। ଏସବୁ କାର୍ଯ୍ୟ ପାଇଁ ୩୪୫୦ କର୍ମଚାରୀ କାରଖାନାରେ ନିୟୋଜିତ ଥିବା ଜଣାଯାଇଛି।

Leave A Reply