ଜାତୀୟ ସବ୍‌ଜୁନିୟର ବାସ୍କେଟ୍‌ବଲ ଚମ୍ପିଆନ୍‌ସିପ୍ : ବାଳକରେ ମିଜୋରାମ, ବାଳିକାରେ ତାମିଲନାଡ଼ୁ ଚମ୍ପିଆନ୍

0

କଟକ : ଜବାହରଲାଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଓଡ଼ିଶା ବାସ୍କେଟ୍‌ବଲ ଆସୋସିଏସନ୍ ଆନୁକୂଲ୍ୟରେ ଆୟୋଜିତ ୪୬ତମ ସବ୍‌ଜୁନିୟର ଜାତୀୟ ବାସ୍କେଟବଲ ଚମ୍ପିଆନ୍‌ସିପ୍‌ ସୋମବାର ଉଦ୍‌ଯାପନ ହୋଇଯାଇଛି। ଏଥିରେ ମିଜୋରାମ ବାଳକ ଓ ତାମିଲନାଡ଼ୁ ବାଳିକା ବିଭାଗରେ ଚମ୍ପିଆନ୍ ହୋଇଛି ।
ସୋମବାର ବାଳକ ବିଭାଗ ଫାଇନାଲରେ ମିଜୋରାମ ୫୧-୪୬ ପଏଣ୍ଟରେ ପଞ୍ଜାବକୁ ପରାସ୍ତ କରିଛି। ଫଳରେ ମିଜୋରାମ ପ୍ରଥମଥର ପାଇଁ ଏହି ଟାଇଟଲ ଜିତିପାରିଛି। ପ୍ରଥମ କ୍ବାର୍ଟର ଶେଷରେ ପଞ୍ଜାବ ଆଗୁଆ ଥିଲା। ​ତେବେ ମିଜୋରାମ୍ ବାଳକ ଲଢ଼ୁଆ ପ୍ରଦର୍ଶନ କରି ମଧ୍ୟାନ୍ତର ସୁଦ୍ଧା ୨୨-୨୧ରେ ଆଗୁଆ ହୋଇ ଯାଇଥିଲେ। ୨ୟ କ୍ବାର୍ଟର ଶେଷରେ ପଞ୍ଜାବ ୩୫-୩୪ ପଏଣ୍ଟରେ ଆଗୁଆ ହୋଇ ଯାଇଥିଲା। ତେବେ ଶେଷ କ୍ବାର୍ଟରରେ ମିଜୋରାମ୍ ଚମତ୍କାର ପ୍ରଦର୍ଶନ କରି ୫୧-୪୬ରେ ଜିତି ନେଇଥିଲା। ମିଜୋରାମ ପାଇଁ ଏମାନୁଏଲ୍‌ ୧୭ ପଏଣ୍ଟ ଏବଂ ପଞ୍ଜାବ ପାଇଁ ରୁପାଂଶ ଗର୍ଗ ୧୨, ଯୁବରାଜ ସିଂହ ୧୨ ପଏଣ୍ଟ ସ୍କୋର୍ କରିଥିଲେ। ବାଳକ ବିଭାଗରେ ହରିୟାଣାକୁ ୭୫-୭୩ ପଏଣ୍ଟରେ ହରାଇ ମହାରାଷ୍ଟ୍ର ୩ୟ ସ୍ଥାନ ହାସଲ କରିଛି।

ବାଳିକା ବିଭାଗ ଫାଇନାଲରେ ତାମିଲନାଡ଼ୁ ପ୍ରାଧାନ୍ୟ ବିସ୍ତାରକରି ମହାରାଷ୍ଟ୍ରକୁ ୮୫-୬୭ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଛି। ମଧ୍ୟାନ୍ତର ସୁଦ୍ଧା ତାମିଲନାଡ଼ୁ ୩୨-୩୦ ପଏଣ୍ଟରେ ଆଗୁଆ ଥିଲେ ହେଁ ଦ୍ବିତୀୟାର୍ଦ୍ଧରେ ଏହା ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ତାମିଲନାଡ଼ୁ ପାଇଁ ଜେ. ଆନ୍ତେୟା ଡେଜି ୩୧, ଜୁଆନା କ୍ରିସୋଲିନ୍ ୧୯ ଓ ମଧୁ ଅନ୍ନମ୍ ୧୦ ପଏଣ୍ଟ ସ୍କୋର୍ କରିଥିଲେ। ମହାରାଷ୍ଟ୍ର ପାଇଁ ସମୀକ୍ଷା ଚନ୍ଦା ୧୨ ଓ ଅନନ୍ୟା ଗୋଖ୍‌ଲେ ୧୦ ପଏଣ୍ଟ ସ୍କୋର୍ କରିଥିଲେ। ବାଳିକା ବିଭାଗରେ ଦିଲ୍ଲୀକୁ ୫୬-୩୪ ପଏଣ୍ଟରେ ପରାସ୍ତକରି କର୍ଣ୍ଣାଟକ ୩ୟ ସ୍ଥାନ ହାସଲ କରିଛି।

ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଥିଲେ। ରୁଚିର ପରିଚାଳନା ନିର୍ଦେଶକ ଶରତ କୁମାର ସାହୁ, ଭାରତୀୟ ବାସ୍କେଟ୍‌ବଲ ମହାସଂଘ ସମ୍ପାଦକ ଚନ୍ଦ୍ରମୁଖୀ ଶର୍ମା, କୋଷାଧ୍ୟକ୍ଷ ଏନ୍‌. ରଙ୍ଗନାଥନ୍, ଆନ୍ତର୍ଜାତିକ ବାସ୍କେଟବଲ୍‌ ଖେଳାଳି ଡି.ପି. ଇରାନୀ, ଓଡ଼ିଶା ବାସ୍କେଟ୍‌ବଲ ଆସୋସିଏସନ୍‌ର ସଭାପତି ଅଶୋକ ସାହୁ, ସମ୍ପାଦକ ଜ୍ଞାନରଞ୍ଜନ ପରିଡ଼ା ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply