୪ ଥର ମୁଖ୍ୟମନ୍ତ୍ରୀ ନବୀନ, କିନ୍ତୁ ହାତରେ ମାତ୍ର ୨୫ହଜାର ଟଙ୍କା

0

ଭୁବନେଶ୍ୱର: ରାଜ୍ୟରେ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ରହିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରେ ମାତ୍ର ରହିଛି ୨୫ ହଜାର ଟଙ୍କା। ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ସେ ଦାଖଲ କରିଥିବା ତାଲିକାରୁ ଏହା ଜଣାପଡିଛି। ପ୍ରାର୍ଥୀପତ୍ର ସହ ମୁଖ୍ୟମନ୍ତ୍ରୀ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ମଧ୍ୟ ଦାଖଲ କରିଛନ୍ତି। ୨୦୧୪ ନିର୍ବାଚନରେ ଦେଇଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଏବେ ମାତ୍ର ୧୦ ହଜାର ଟଙ୍କା ଅଧିକ ଅଛି। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ନଗଦ ଥିଲା ୧୫ ହଜାର ଟଙ୍କା।

୨୦୧୪ରେ ଦେଇଥିବା ତଥ୍ୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ନିଜର ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ଆଣିଥିବା ୧୫ ଲକ୍ଷ ଟଙ୍କା ଋଣ ଏ ଯାଏଁ ସୁଝି ନ ଥିବା ଜଣାପଡିଛି। ଅନ୍ୟାନ୍ୟ ଆୟ ମଧ୍ୟରେ ନୂଆଦିଲ୍ଲୀ ସଂସଦ ଭବନସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୧୭୩୦ ଟଙ୍କା, ବାପୁଜିନଗର ଏସବିଆଇରେ ୧୪ ଲକ୍ଷ ୨୦ ହଜାର ଟଙ୍କା, ହିଞ୍ଜିଳି ଏସବିଆଇ ୨ଟି ଆକାଉଣ୍ଟରେ ୬୪୬୫ ଟଙ୍କା ଓ ୧ହଜାର ଟଙ୍କା ରହିଛି। ସେହିପରି ନବୀନଙ୍କ ପାଖରେ ଥିବା ୧୯୮୦ ମଡେଲ ଆମ୍ବାସାଡର କାରର ମୂଲ୍ୟ ୮୯୦୫ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ, ୨ଲକ୍ଷ ୧୨ହଜାର ଟଙ୍କା ମୂଲ୍ୟର ଗହଣା ଓ ରତ୍ନପଥର ଥିବା ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୨୩ଲକ୍ଷ ୨୬ହଜାର ଟଙ୍କା ରହିଛି। ନବୀନଙ୍କ ଫରିଦାବାଦରେ ୨୨.୭ ଏକର ଜମିରେ ନିର୍ମାଣ ହୋଇଛି, ଯାହାର ମୂଲ୍ୟ ୯କୋଟି ୫୨ ଲକ୍ଷ ଏବଂ ଭୁବନେଶ୍ୱର ନବୀନ ନିବାସ ୨.୧୩୩ ଏକର ଜମିରେ ନିର୍ମାଣ ହୋଇଛି, ଯାହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ବୋଲି ସେ ପ୍ରାର୍ଥୀପତ୍ରରେ ଦର୍ଶାଇଛନ୍ତି। ଏତଦ୍ ବ୍ୟତୀତ ଦିଲ୍ଲୀ ଘରରେ ନବୀନଙ୍କ ଅଂଶଧନ ୬୩ କୋଟି ୬୪ ଲକ୍ଷ ଟଙ୍କା ହେବ। ନବୀନ ନାମାଙ୍କନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆର୍ଥିକ ବର୍ଷ ୨୦୧୭-୧୮ରେ ସେ ମୋଟ ୨୧ ଲକ୍ଷ ୧୭ ହଜାର ଟଙ୍କା ଆୟ କରିଥିଲେ।

Leave A Reply