ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର,୯ ଜିଲାରେ ସ୍କୁଲ ଛୁଟି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ବୁଲବୁଲ ପାଇଁ  ସଜାଗ ହୋଇପଡିଛନ୍ତି ରାଜ୍ୟ ସରକାର। ଏନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦିପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ  ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମ୍ଭାବ୍ୟ ବାତ୍ୟା ବୁଲବୁଲକୁ ନେଇ ଆଲୋଚନା କରାଯାଇଥିଲା। ବାତ୍ୟା ବୁଲବୁଲ ତାର ଗତିପଥ ପରିବର୍ତ୍ତନ କରି ବାଂଲାଦେଶ ମୁହାଁ ହୋଇଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସହ ପବନ ହେବାର ସୂଚନା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଛି। ଏହା ପରେ ରାଜ୍ୟ ସରକାର ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଜାଗ ହୋଇ ଉଠିଛି। ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ଗୁରୁବାର ବୈଠକ ପରେ ଗଣମାଧ୍ୟମକୁ ସୂଚନାଦେଇଛନ୍ତି। ରାଜ୍ୟର ୯ଟି ଉପକୂଳବର୍ତ୍ତି ଜିଲା ମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି ଏହି ୯ ଟି ଜିଲାମାନଙ୍କ ମଧ୍ୟରେ ପୁରୀ,ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ,ବାଲେଶ୍ବର ,କଟକ,ଯାଜପୁର,ଖୋର୍ଦ୍ଧା,ମୟୂରଭଞ୍ଜ । ଏହି ଜିଲାମାନଙ୍କର ଜିଲାପାଳମାନଙ୍କୁ ସତର୍କ ରହିବା ପାଇଁ ସ୍ବିତନ୍ତ୍ର ରିଲିଫ କମିଶନର ସୂଚନାଦେଇଛନ୍ତି। ଏଥି ସହିତ  ଜିଲାମାନଙ୍କର ଅଗ୍ନିଶମ କେନ୍ଦ୍ରମାନଙ୍କୁ ମଧ୍ୟ ସଜାଗ ରହିବାକୁ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।  ୯ଟି ଜିଲାକୁ ୨ଟି ଲେଖାଏଁ ଏନଡିଆରଏଫ ଟିମ ଏବଂ ୬ଟି ଜିଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ୯ଟି ଜିଲାକୁ ୨ଟି ଲେଖାଏଁ ଓଡ୍ରାଫ ଟିମକୁ ମଧ୍ୟ ପଠାଯାଇଛି। ପ୍ରବଳ ପବନ ଏବଂ ବର୍ଷାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନର ୯ ଜିଲାର ସମସ୍ତ ସ୍କୁଲକୁ ୯ ତାରିଖ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ କେନ୍ଦ୍ରାପଡା,ପୁରୀ ଏବଂ ଜଗତସିଂହପୁର ଜିଲାରେ ଜିଲାପାଳ ମାନେ ୨ ଦିନ ଲେଖାଏଁ ସ୍କୁଲ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ।

Comments are closed.