ଦେଶର ୧ନଂ କ୍ରୀଡ଼ା ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ

ଭୁବନେଶ୍ବର: ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପାଇଁ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ଦିଲ୍ଲୀରେ ଗତ ୧୦ରେ ଇଣ୍ଡିଆ ସ୍ପୋର୍ଟସ ସମିଟ୍‌ ସ୍କୋରକାର୍ଡ-୨୦୧୯ ଏବଂ ଫିଟ୍‌ନେସ୍‌ ୧୦ ବିିଲିୟନ ଅପର୍ଚୁନିଟି ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପକ୍ଷରୁ ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ ପ୍ରତିନିଧିତ୍ବ କରିଥିଲେ। ସମିଟ୍‌ରେ ଦେଶରେ କ୍ରୀଡ଼ାର ସ୍ଥିତି, କ୍ରୀଡ଼ା ଭିତ୍ତିଭୂମି, କ୍ରୀଡ଼ା ଫିଟ୍‌ନେସ୍‌ ନେଇ ସରକାରୀ ଯୋଜନା ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଦେଶର ପ୍ରତିଷ୍ଠିତ କ୍ରୀଡ଼ା ବିଶେଷଜ୍ଞ ଆଲୋଚନାରେ ଭାଗ ନେଇଥିଲେ।
କ୍ରୀଡ଼ା ସଚିବ ବିଶାଳ ଦେବ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପରିଚାଳନାରେ ଓଡ଼ିଶା ସରକାରଙ୍କ ସଫଳତାକୁ ଉପସ୍ଥାପନ କରିଥିଲେ। ଏହାଛଡ଼ା କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପ ଓ ପ୍ରତିଷ୍ଠିତ ହୋଇଥିବା କ୍ରୀଡ଼ା ଭିତ୍ତିଭୂମି ଉପରେ ସଚିବ ଶ୍ରୀ ଦେବ ତଥ୍ୟ ରଖିଥିଲେ। ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନରେ ଦେଶରେ ଶ୍ରେଷ୍ଠ ରାଜ୍ୟରେ ପରିଣତ ​‌ହୋଇଥିବାରୁ ଏହି ପୁରସ୍କାର ହାସଲ କରିଛି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ; ଯିଏ କି କ୍ରୀଡ଼ା ଭିତ୍ତିଭୂମି ଓ ବିଶ୍ବସ୍ତରୀୟ ଏକାଧିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା​‌ରେ ସକ୍ଷମ ହୋଇଛି। ଏଥିପାଇଁ ଇଣ୍ଡିଆ ସ୍ପୋର୍ଟସ ସମିଟ୍​‌ରେ ଦେଶର ଶ୍ରେଷ୍ଠ କ୍ରୀଡ଼ା ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ ହୋଇଛି ବୋଲି କ୍ରୀଡ଼ା ସଚିବ କହିଛନ୍ତି। ରାଜ୍ୟରେ ସୃଷ୍ଟି ହୋଇଥିବା ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଦେଶର ଖେଳାଳିଙ୍କ ପାଇଁ ନୂଆ ସୁଯୋଗ ଯୋଗାଇଛି। ଆଗକୁ ମଧ୍ୟ ଏକାଧିକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବା ନେଇ ଯୋଜନା ଗ୍ରହଣ କରାଯାଇଛି ବୋଲି କ୍ରୀଡ଼ା ସଚିବ ଶ୍ରୀ ଦେବ କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶା ସରକାର ୨୦୧୪ରୁ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଦେଶର କ୍ରୀଡ଼ାରେ ନୂଆ ଉନ୍ମାଦନା ସୃଷ୍ଟି କରିଛନ୍ତି। ୨୦୧୪ରେ କଳିଙ୍ଗ ଷ୍ଟାଡ଼ିୟମରେ ଚମ୍ପିଆନ୍‌ସ ଟ୍ରଫି ହକି, ୨୦୧୭ରେ ଏସୀୟ ଦୌଡ଼କୁଦ, ଏଫ୍‌ଆଇଏଚ୍‌ ହକି ବିଶ୍ବ ଲିଗ୍‌ ଫାଇନାଲସ୍‌, ଆଇଟିଏଫ ଟେନିସ୍, ୨୦୧୮ରେ ଏସୀୟ ଜୁନିୟର ବାଳିକା ରଗ୍‌ବୀ, ହକି ବିଶ୍ବକପ୍‌, ୨୦୧୯ରେ ମହିଳା ଗୋଲ୍‌ଡ କପ ଫୁଟବଲ, ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନସିପ୍‌ ଭଳି ପ୍ରତିଯୋଗିତା ଆୟୋଜନ କରିଛି। ଏହାଛଡ଼ା ଆଇ-ଲିଗ୍‌, ଆଇଏସ୍‌ଏଲ, ସୁପର କପ୍‌ ଫୁଟବଲ, ଜାତୀୟ ଓପନ ଦୌଡ଼କୁଦ, ସର୍ବଭାରତୀୟ ରଗବି ଭଳି ପ୍ରତିଯୋଗତା ଆୟୋଜିତ ହୋଇଛି। କେବଳ କ୍ରୀଡ଼ା ପ୍ରତିଯୋଗିତା ନୁହେଁ ବିଶ୍ବସ୍ତରୀୟ ହକି ଗ୍ରାଉଣ୍ଡ, ଆଥ୍‌ଲେଟିକ୍‌ ଟ୍ରାକ୍‌, ଟେନିସ କୋର୍ଟ, ଫୁଟବଲ ପଡ଼ିଆ, ଇଣ୍ଡୋର ଷ୍ଟାଡ଼ିୟମ, ସ୍ପୋର୍ଟସ ୱାଲ କ୍ଲାଇମ୍ବିଂ, ବ୍ୟାଡ଼ମିଣ୍ଟନ କୋର୍ଟ, ସନ୍ତରଣାଗାର, ଭାରୋତ୍ତୋଳନ ହାଇପର୍ଫର୍ମାନ୍‌ସ ସେଣ୍ଟର, ଅଭିନବ ବିନ୍ଦ୍ରା କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଆଦି ପ୍ରତିଷ୍ଠା ହୋଇଥିବା ବେଳେ ନଭେମ୍ବରରେ ଏଫ୍‌ଆଇଏଚ୍ ଅଲିମ୍ପିକ୍‌ ଯୋଗ୍ୟତା ହକି, ୨୦୨୦ରେ ୧୭ ବର୍ଷରୁ କମ ଫିଫା ମହିଳା ବିଶ୍ବକପ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ।

Comments are closed.