ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କୁ ଭେଟିଲେ ମୋଦି

0

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଗୋଲ୍‍ଡ କୋଷ୍ଟରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦି ପଦକ ବିଜେତା ସହିତ ଆଲୋଚନା କରି   କହିଥିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତି ଖେଳାଳିମାନେ ବିଶ୍ୱ ଦରବାରରେ ଭାରତ ସମ୍ମାନ ବହୁତ ବଢ଼ାଇ ଦେଇଛନ୍ତି। ଆଗାମୀ ଦିନରେ ଦେଶ ଅନେକ ବୃହତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ବେଳେ ଏଥିରେ ମଧ୍ୟ ଖେଳାଳିମାନେ ପଦକ ଜିତିବେ ବୋଲି ମୋଦି ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ଖେଳାଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ୍‍ ପଦକ ଜିତିଛନ୍ତି। ଜଣେ ସାଂସଦ ଭାବେ ମହିଳା ବକ୍ସର ମେରି କମ୍‍ ସ୍ୱର୍ଣ୍ଣ ପଦକ ଜିତିଥିବା ଗୌରବର ବିଷୟ ବୋଲି ମୋଦି କହିଥିଲେ। ଏହାବାଦ୍‍ ବ୍ୟାଡମିଣ୍ଟନ୍‍ ପ୍ରଶିକ୍ଷକ ପୁଲେଲା ଗୋପିଚାନ୍ଦଙ୍କୁ ମଧ୍ୟ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। କ୍ରୀଡ଼ାରେ ସଫଳତା ପାଇବାକୁ ହେଲେ ପ୍ରତିଭା, ପ୍ରଶିକ୍ଷଣ, ଏକାଗ୍ରତା ଓ କଠିନ ପରିଶ୍ରମ ସହ ମାନସିକ ଦୃଢ଼ତା ନିହାତି ଆବଶ୍ୟକ ବୋଲି ମୋଦି ମତ ଦେବା ସହ ଖେଳାଳିମାନେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଉପସ୍ଥିତ ଥିଲେ।

Leave A Reply