କଂଗ୍ରେସ ହସିଲେ ଓଡ଼ିଶା ହସିବ : ନିରଞ୍ଜନ

0

-ଶାନ୍ତି,ମୁକ୍ତି,ପ୍ରଗତି ଓ କ୍ରାନ୍ତି ପାଇଁ ଆହ୍ୱାନ, -ତୃଣମୂଳସ୍ତରରେ ପହଞ୍ଚିବ ଏଆଇସିସି:ଜିତେନ୍ଦ୍ର

ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ନବ ନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିବା ପରେ କଂଗ୍ରେସରେ ଏକ ନବଜାଗରଣ ଦେଖାଦେଇଛି । ସୁପ୍ତ ହୋଇପଡିଥିବା କଂଗ୍ରେସର ନେତାଠାରୁ କର୍ମୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ଖେଳିଯାଇଛି। ରାଜ୍ୟରେ ଦୀର୍ଘ ୨୦ବର୍ଷ ଧରି ଚାଲିଥିବା ଦୁର୍ନୀତି ସରକାର ଓ କେନ୍ଦ୍ରରେ ଚାଲିଥିବା ୪ବର୍ଷର ଭାଷଣବାଜି ସରକାର ଉପରୁ ଜନତାଙ୍କ ଆସ୍ଥା ତୁଟି ଗଲାଣି। ଏବେ ଉଭୟ ବିଜେପି ଓ ବିଜେଡ଼ି ସରକାରକୁ ଆସିବାପାଇଁ କେବଳ ଭୋଟ କିଣିବାପାଇଁ ପ୍ରୟାସ କରିବେ। ହେଲେ ଓଡ଼ିଶାବାସୀ ଟଙ୍କା ଆଗରେ ମୁଣ୍ଡ ନୁଆଁଇବେ ନାହିଁ କି ନିଜର ସ୍ୱାଭିମାନକୁ ବିକ୍ରି କରିପାରିବେ ନାହିଁ ବୋଲି ନବ ନିଯୁକ୍ତ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତି। ସେ କହିଛନ୍ତି ଯେ ଏଆଇସିସି ଏବେ ଗାଁରେ, ପଞ୍ଚାୟତରେ ଏବଂ ତୃଣମୂଳସ୍ତରରେ ପହଞ୍ଚିବ। ସବୁ ବର୍ଗର ଲୋକଙ୍କୁ ଏହି ଭ୍ରଷ୍ଟାଚାର ସରକାର କିଭଳି ରାଜ୍ୟ ତଥା ଦେଶକୁ ବିପର୍ଯ୍ୟୟ ମୁଖକୁ ଠେଲି ଦେଇଛନ୍ତି ତାହା ଦର୍ଶାଇବ। ଆଗାମୀ ଦିନରେ କେବଳ ଓଡ଼ିଶାରେ ନୁହେଁ କେନ୍ଦ୍ରରେ ମଧ୍ୟ କଂଗ୍ରେସ ଶାସନଗାଦିକୁ ଫେରିବ ବୋଲି ଶ୍ରୀ ସିଂହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ନବନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସାରା ଦେଶରେ ଏବେ ଲୋକେ ବିଜେଡ଼ି ଓ ବିଜେପିର ନିର୍ଯାତନାରେ ଅତିଷ୍ଠ ହୋଇ ପଡିଲେଣି। ଆଜିର ଏହି ବିଶାଳ ଜନସମୁଦ୍ର ଓଡ଼ିଶାରେ କେବଳ ଯେ କଂଗ୍ରେସକୁ ଶାସନ ଗାଦିକୁ ଫେରାଇ ଆଣିବ ବୋଲି ସୂଚନା ଦେଉଛି ତାହା ନୁହେଁ କେନ୍ଦ୍ରରେ ମଧ୍ୟ ରାହୁଳ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାର ଦମ୍ଭ ଦେଉଛି।। ଏଥିପାଇଁ ଯୁବବର୍ଗ, କୃଷକ, ମହିଳାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କୁ ଏକଜୁଟ୍‍ ହେବାକୁ ପଡିବ। କଂଗ୍ରେସକୁ ନିଜର ଦୁର୍ବଳତାକୁ ସୁଧାରିବାକୁ ପଡିବ। ଏଥିପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଆଗାମୀ ଦିନରେ କଂଗ୍ରେସ ହସିଲେ, ଓଡ଼ିଶା ଏବଂ କେନ୍ଦ୍ରରେ ଲୋକେ ହସିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ବିରୋଧୀ ନେତା ନରସିଂହ ମିଶ୍ର କହିଥିଲେ ଯେ ସାରା ଦେଶକୁ ଗୋଟିଏ ସାଂପ୍ରଦାୟିକ ସରକାର ଶାସନ କରୁଥିବାବେଳେ ରାଜ୍ୟରେ ଏକ ଅପରାଗ ସରକାର ଚାଲିଛି। ଯାହାଫଳରେ କୃଷକ, ଯୁବକ, ମହିଳା ନିର୍ଯାତନାର ଶିକାର ହେଉଥିବାବେଳେ ଶିଶୁମାନେ ଅପପୁଷ୍ଟି ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି। ଏଥିରୁ ମୁକ୍ତି ପାଇଁ ଓଡ଼ିଶାରେ କଂଗ୍ରେସକୁ ଫେରାଇ ଆଣିବାକୁ ହେବ। ଓଡ଼ିଶାରେ କଂଗ୍ରେସ ହିଁ ଶାନ୍ତି, ମୁକ୍ତି ଓ ପ୍ରଗତି ଆଣିପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବିଜେଡ଼ି ଓ ବିଜେପିର ଚିତା କିଭଳି ୨୦୧୯ରେ ଜଳିବ ସେଇ ଚିନ୍ତା ଏବେ ଯୁବ ସମାଜ ଓ କଂଗ୍ରେସ କରିବ। ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସ, ନବ କିଶୋର ଦାସ ଓ ଚିରଞ୍ଜୀବୀ ବିଶ୍ୱାଳ ପ୍ରମୁଖ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଓଡ଼ିଶାରେ ଦୀର୍ଘ ୧୮ବର୍ଷ ଧରି ଏକ ଅପାରଗ ଓ ଭ୍ରାଷ୍ଟାଚାର ସରକାର ଚାଲିଥିବାବେଳେ କେନ୍ଦ୍ରରେ ଏକ ‘ଜୁମୁଲା’ସରକାର ଚାଲିଛି। ଏଥିରେ ସାରା ଦେଶରେ ଏକ ପ୍ରକାର ଅସ୍ଥିରତା ସୃଷ୍ଟି ହୋଇଛି। ନ୍ୟାୟପାଳିକାଠାରୁ ଆରମ୍ଭ କରି କାର୍ଯ୍ୟପାଳିକା ପର୍ଯ୍ୟନ୍ତ ସବୁଠାରେ ତ୍ରାହି ତ୍ରାହି ଆରମ୍ଭ ହୋଇଗଲାଣି। ଏହି ପରିସ୍ଥିତିରେ କଂଗ୍ରେସ ହିଁ ଦେଶବାସୀଙ୍କୁ ନ୍ୟାୟ ଦେଇପାରିବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶୃଙ୍ଖଳାକମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଏହି ଭବ୍ୟ ସମାବେଶ ଓଡ଼ିଶାରେ ପରିବର୍ତ୍ତନର ସୂଚନା ଦେଉଛି ବୋଲି କହିଥିଲେ।
ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନଙ୍କୁ ଭବ୍ୟସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାବେଳେ ବରପୁତ୍ରମାନଙ୍କୁ ପୁଷ୍ପାଞ୍ଜଳି ଜ୍ଞାପନ କରାଯାଇଥିଲା। ଅପରାହ୍ନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ପ୍ରମୁଖ ବିଜୁ ପଟ୍ଟନାୟକ ବନ୍ଦରରେ ପହଞ୍ଚିବାପରେ ସେଠାରୁ ଏକ ବିଶାଳ ମଟର ସାଇକେଲ ରାଲିରେ ଭବ୍ୟସମ୍ବର୍ଦ୍ଧନା ଦେଇ କଂଗ୍ରେସ ଭବନକୁ ପାଛୋଟି ଅଣାଯାଇଥିଲା। ଏଥିରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଓ କର୍ମୀଙ୍କ ସହିତ ଯୁବ କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ସେବା ଦଳ, କିଷାନ କଂଗ୍ରେସର କର୍ମକର୍ତ୍ତାମାନେ ସାମିଲ ଥିଲେ।

Leave A Reply