ମାଓବାଦୀଙ୍କ ପାଖରୁ ମିଳିଲା ଜର୍ମାନ ଜି-୩ ରାଇଫଲ

0

ମାଲକାନଗିରି  : ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟରେ ଅବସ୍ଥାପିତ ମାଓବାଦୀଙ୍କ ପାଖରେ ଅତ୍ୟାଧୁନିକ ବିଦେଶୀ ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ସ୍ପଷ୍ଟ ହୋଇଛି। ପୁଲିସ ଏହି ମାଓବାଦୀଙ୍କଠାରୁ ଜର୍ମାନ ଦେଶରେ ପ୍ରସ୍ତୁତ ଜି-୩ ରାଇଫଲ ଜବତ କରିଛି। ଛତିଶଗଡରେ ମାଓବାଦୀଙ୍କଠାରୁ ପ୍ରଥମ ଥର ପାଇଁ ଏଭଳି ରାଇଫଲ ମିଳିବା ପରେ ସାଧାରଣରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ସୁକମା ଆରକ୍ଷୀ ଅଧୀକ୍ଷକ ଅଭିଶେଖ ମୀନାଙ୍କ ସୂଚନା ଅନୁସାରେ, ଜବତ ଏହି ରାଇଫଲର ଏବେ ଯାଞ୍ଚ ଚାଲିଛି। ଚଳିତ ମାସ ୧ରେ କିସ୍ତାରାମ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରେ ଏଠାରୁ ଉକ୍ତ ରାଇଫଲ ମିଳିଥିଲା। ମାଓବାଦୀମାନେ ବିଭିନ୍ନ ପ୍ରକାରର ବୋମାଠାରୁ ଆରମ୍ଭ କରି ଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଆସୁଥିବା ବେଳେ ଅନେକ ସମୟରେ ଯବାନଙ୍କଠାରୁ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଲୁଟ କରି ନେଇଥାନ୍ତି। ଏବେ ମାଓଗଡରୁ
ଜର୍ମାନ ରାଇଫଲ ମିଳିବା ପରେ ପୁଲିସର ନିଦ ଏକ ପ୍ରକାର ହଜି ଯାଇଛି। ଏହି ବିଦେଶୀ ରାଇଫଲ ମାଓବାଦୀଙ୍କ ପାଖକୁ କିପରି ଆସିଲା ଏବଂ ସେମାନଙ୍କ ପାଖରେ ଏହାର ସଂଖ୍ୟା କେତେ ରହିଛି ତାର ତଦନ୍ତ ଆରମ୍ଭ ହୋଇଯାଇଛି। ଅନ୍ୟ ବିଦେଶୀ ବନ୍ଧୁକ ଅଛି କି ନାହିଁ ତାର ମଧ୍ୟ ତଦନ୍ତ ଜୋର ଧରିଛି।

Leave A Reply