ଯୁବ ଓ ଅଭିଜ୍ଞ କ୍ରୀଡ଼ାବିତ୍‍ଙ୍କ ସାମଗ୍ରିକ ସଫଳତା

0

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଗୋଲଡ୍‍ କୋଷ୍ଟଠାରେ ଦୁଇ ସପ୍ତାହ ଧରି ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡା ରବିବାର ଉଦ୍‍ଯାପିତ ହୋଇଯାଇଛି। ଭାରତ ଏହି ପ୍ରତିଯୋଗିତାରେ ୨୬ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଓ ୨୦ଟି ବ୍ରୋଞ୍ଜ ସମେତ ମୋଟ ୬୬ଟି ପଦକ ପାଇ ତାଲିକାରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ତୃତୀୟ ସ୍ଥାନ ଅଧିକାର କରିଛି। ଏଥିସହିତ ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ଏହା ଭାରତ ପାଇଁ ତୃତୀୟ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡା ତୁଳନାରେ ଭାରତର ପ୍ରଦର୍ଶନ ଏଥର ନିଶ୍ଚିତଭାବେ ଉନ୍ନତ ରହିଥିଲା। ତେବେ ଗୋଲଡ କୋଷ୍ଟରେ ଭାରତର ଉଭୟ ଯୁବ ଓ ଅଭିଜ୍ଞ କ୍ରୀଡାବିତ୍‍ ସେମାନଙ୍କର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ପଦକ ଜିତିବା ଘଟଣା ଦେଶ ପାଇଁ ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ପ୍ରମାଣିତ ହୋଇଛି। ସୁଟିଂରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ୧୫ ବର୍ଷୀୟ ଅନିସ ଭାନ୍‍ୱାଲା ଓ ୧୬ ବର୍ଷୀୟ ମାନୁ ଭାକେର, ମେହୁଲି ଘୋଷ ଓ ଯୁବ ଟେବୁଲ ଟେନିସ ତାରକା ମାନିକା ବାତ୍ରା ଗୋଲଡ୍‍ କୋଷ୍ଟ୍‍ରେ ସ୍ୱର୍ଣ୍ଣପଦକ ଜିତି ଭାରତୀୟ କ୍ରୀଡାର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ପ୍ରମାଣିତ କରିପାରିଛନ୍ତି। ଏପରିକି ଜାଭେଲିନ ଥ୍ରୋ’ରେ ଭାରତର ନବାଗତ ତାରକା ନୀରଜ ଚୋପ୍ରା ସ୍ୱର୍ଣ୍ଣପଦକ ଜିତି ନିଜର ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ପ୍ରାକ୍‍ ସୂଚନା ଦେଇଛନ୍ତି। ଆଗାମୀ ଚାରି ପାଞ୍ଚ ବର୍ଷ ମଧ୍ୟରେ ଏହି ତରୁଣ କ୍ରୀଡାବିତ୍‍ମାନେ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତାରେ ବିଦେଶୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡା ଚ୍ୟାଲେଞ୍ଜ ଦେଇପାରିବେ ବୋଲି ଆଶା କରାଯାଉଛି।
ଅପରପକ୍ଷରେ ଅଭିଜ୍ଞ କ୍ରୀଡାବିତ୍‍ଙ୍କ ମଧ୍ୟରେ ମଲ୍ଲଯୋଦ୍ଧା ସୁଶୀଲ କୁମାରଙ୍କଠାରୁ ଆରମ୍ଭ କରି ମହିଳା ବକ୍ସର ମେରି କମ୍‍, ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଓ ପିଭି ସିନ୍ଧୁ, ମହିଳା ଡିସ୍‍କସ୍‍ ଥ୍ରୋ ସ୍ପେଶାଲିଷ୍ଟ ସୀମା ପୁନିଆ ପ୍ରମୁଖ ଆଶାନୁଯାୟୀ ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ଭାରତ ପାଇଁ ସ୍ୱର୍ଣ୍ଣ ଓ ରୌପ୍ୟପଦକ ହାସଲ କରିପାରିଛନ୍ତି। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୧୫ଟି ସ୍ୱର୍ଣ୍ଣ, ୩୦ଟି ରୌପ୍ୟ ଓ ୧୯ଟି ବ୍ରୋଞ୍ଜ ସମେତ ମୋଟ ୬୪ଟି ପଦକ ପାଇ ତାଲିକାରେ ୫ମ ସ୍ଥାନ ଅଧିକାର କରିଥିଲା। ସେହି ତୁଳନାରେ ଏଥର ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟାରେ ବୃଦ୍ଧି ଘଟିଥିବାବେଳେ ରୌପ୍ୟ ସଂଖ୍ୟା ହ୍ରାସ ପାଇଛି ଓ ବ୍ରୋଞ୍ଜପଦକ ସଂଖ୍ୟା ଆପାତତଃ ପାଖାପାଖି ରହିଛି। କ୍ରୀଡା କ୍ୟାରିୟରର ଅପରାହ୍ନରେ ଉପନୀତ ହୋଇଥିବା ସତ୍ତେ୍ୱ ସୁଶୀଲ କୁମାର, ମେରି କମ୍‍ ଓ ସୀମା ପୁନିଆ ପ୍ରମୁଖ ଗୋଲଡ କୋଷ୍ଟ୍‍ରେ ଯେଭଳି କୃତିତ୍ୱ ପ୍ରଦର୍ଶନ କରିଛନ୍ତି, ତାହା ବାସ୍ତବିକ୍‍ ପ୍ରଶଂସନୀୟ। ଅନ୍ୟ ଇଭେଣ୍ଟ ତୁଳନାରେ ଏଥର ସୁଟର, ଭାରୋତ୍ତୋଳକ, ମଲ୍ଲଯୋଦ୍ଧା ଓ ବକ୍ସରମାନେ ଭାରତ ପାଇଁ ଅଧିକ ପଦକ ଜିତିଛନ୍ତି। ଭାରତୀୟ ସୁଟରଙ୍କୁ ୧୬ଟି ପଦକ ମିଳିଥିବାବେଳେ ମଲ୍ଲଯୋଦ୍ଧାଙ୍କୁ ୧୨ଟି, ବକ୍ସର ଓ ଭାରୋତ୍ତୋଳକଙ୍କୁ ୯ଟି ଲେଖାଏଁ ପଦକ ମିଳିଛି। ତେବେ ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଉଛି ଟେବୁଲ ଟେନିସ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀଙ୍କ ଉନ୍ନତ ପ୍ରଦର୍ଶନ। ଗ୍ଲାସଗୋ କ୍ରୀଡାରେ ଭାରତ ଟେବୁଲ ଟେନିସରେ ମାତ୍ର ଗୋଟିଏ ବ୍ରୋଞ୍ଜପଦକ ପାଇଥିଲା। ତେବେ ଗୋଲଡ କୋଷ୍ଟରେ ଏହି ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳି ଯାଇଛି। ୨୨ ବର୍ଷୀୟା ମାନିକା ବାତ୍ରା ଏହା ପ୍ରମାଣିତ କରିପାରିଛନ୍ତି। ନିଜ ଇଭେଣ୍ଟରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟରେ ମାନିକା କଲେଜ ଛାଡିଥିଲେ। ତେବେ ଏଥିପାଇଁ ତାଙ୍କୁ ପଶ୍ଚାତାପ୍‍ କରିବାକୁ ପଡିନାହିଁ। ମାନିକା ମହିଳା ସିଙ୍ଗଲ୍‍ସ ଓ ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ମହିଳା ଡବଲ୍‍ସରେ ରୌପ୍ୟ ଓ ମିକ୍ସଡ ଡବଲ୍‍ସରେ ବ୍ରୋଞ୍ଜପଦକ ହାସଲ କରିଛନ୍ତି।
୩୪ ବର୍ଷୀୟ ସୁଶୀଲ କୁମାର ଓ ୩୫ ବର୍ଷୀୟା ମେରି କମ୍‍ ସେମାନଙ୍କ ବିଭାଗରେ ନିଶ୍ଚିତଭାବେ ବେଶ ସ୍ୱନାମଧନ୍ୟ। ତେବେ ବିଗତ କିଛି ବର୍ଷ ଧରି ସେମାନଙ୍କର କ୍ରୀଡା ଭବିଷ୍ୟତକୁ ନେଇ ସମାଲୋଚକମାନେ ସନ୍ଦିହାନ ହୋଇପଡିଥିଲେ। ଏପରିକି ଏ ଦୁଇ କ୍ରୀଡାବିତ୍‍ଙ୍କ କ୍ୟାରିୟର ପ୍ରାୟ ଶେଷ ହୋଇଛି ବୋଲି କେତେକ ସମାଲୋଚକ ମତବ୍ୟକ୍ତ କରିବାକୁ ପଛଘୁଞ୍ଚା ଦେଇନଥିଲେ। ତେବେ ଗୋଲଡ୍‍ କୋଷ୍ଟରେ ସୁଶୀଲ ଓ ମେରି କମ୍‍ ସ୍ୱର୍ଣ୍ଣପଦକ ଜିତି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ଅପରପକ୍ଷରେ ଅଭିଜ୍ଞ ଗଗନ ନାରଙ୍ଗଙ୍କ ଭଳି ସୁଟରଙ୍କୁ ଗୋଲଡ୍‍ କୋଷ୍ଟରେ ନିରାଶ ହେବାକୁ ପଡିଥିଲେ ସୁଦ୍ଧା ମାନୁ ଭାକେର, ଅନିସ ଭାନ୍‍ୱାଲା ଓ ମେହୁଲି ଘୋଷ ଏହି କ୍ଷତିକୁ ଭରଣା କରିବାରେ ସଫଳ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ୨୦୨୨ରେ ବର୍ମିଂହାମରେ ଆୟୋଜିତ ହେବାକୁ ଥିବା ପରବର୍ତ୍ତୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁଟିଂ ଇଭେଣ୍ଟକୁ ବାଦ ଦିଆଯାଇଛି। ଏହା ଭାରତୀୟ ସୁଟରଙ୍କ ପାଇଁ ନିଶ୍ଚିତଭାବେ ଦୁଃସମ୍ବାଦ। ତେବେ ଗୋଲଡ୍‍ କୋଷ୍ଟରେ ଭାରତର ତରୁଣ ସୁଟରମାନେ ନିଜସ୍ୱ ପ୍ରତିଭାର ଯେଉଁ ଛାପ ଛାଡିଗଲେ, ତାହାକୁ କ୍ରୀଡାପ୍ରେମୀ ଦୀର୍ଘ ଦିନ ଧରି ମନେ ରଖିବେ। ଦୌଡକୁଦରେ ନୀରଜ ଓ ସୀମାଙ୍କୁ ବାଦଦେଲେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ବ୍ରୋଞ୍ଜପଦକରୁ ବଞ୍ଚିତ ହୋଇଥିବା ବେଳେ ଜିମ୍‍ନାଷ୍ଟିକ, ସନ୍ତରଣ ଓ ସାଇକ୍ଲିଂରେ ଭାରତୀୟ ପ୍ରତିଯୋଗୀ ସମସ୍ତଙ୍କୁ ନିରାଶ କରିଛନ୍ତି। ଚାରିବର୍ଷ ପରେ ବର୍ମିଂହାମରେ ଭାରତ ପଦକ ତାଲିକାରେ ଆହୁରି ଊଦ୍ଧ୍ୱର୍କୁ ଉଠିବ, ଏହାହିଁ ଭାରତୀୟଙ୍କ ଏକାନ୍ତ ଇଚ୍ଛା।

ଭାରତୀୟ ପ୍ରଦର୍ଶନର ମୁଖ୍ୟାଂଶ

· ବିଶ୍ୱ ଚମ୍ପିଆନ୍‍ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ହାସଲକାରୀ ଭାରୋତ୍ତୋଳନରେ ପ୍ରଥମଦିନ ୬ ଥର ଭାର ଉଠାଇ ପ୍ରତିଥର ନୂଆ ରେକର୍ଡ ସ୍ଥାପନକରି ସ୍ୱର୍ଣ୍ଣପଦକ ଜିତିଥିଲେ।
· ପ୍ରଥମ ଭାରତୀୟ ମହିଳା ଭାବେ ମାନିକା ବାତ୍ରା ଟେବୁଲ ଟେନିସରେ ସିଙ୍ଗଲ୍‍ସ ସ୍ୱର୍ଣ୍ଣପଦକ ଜିତିଥିଲେ। ମାନିକା ୨ଟି ସ୍ୱର୍ଣ୍ଣ ସହ ମୋଟ ୪ଟି ପଦକ ଜିତିଥିଲେ।
· ମାନିକା ବାତ୍ରାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପ୍ରଥମଥର ପାଇଁ ଦଳଗତ ଟେବୁଲ ଟେନିସ ସ୍ୱର୍ଣ୍ଣପଦକ ଜିତିଥିଲା।
· ପୁଣି ପ୍ରଥମ ଭାରତୀୟ ମହିଳା ଭାବେ ସାଇନା ନେହୱାଲ ଏକ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି।
· ୨୫ମି. ର୍ୟାପିଡ୍‍ ଫାୟର ପିସ୍ତଲ୍‍ ସୁଟିଂରେ ସ୍ୱର୍ଣ୍ଣ ଜିତି ୧୫ ବର୍ଷ ବୟସ୍କ ଅନିସ୍‍ ଭାନ୍‍ୱାଲା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସର୍ବକନିଷ୍ଠ ସ୍ୱର୍ଣ୍ଣବିଜେତା ହୋଇ ପାରିଛନ୍ତି।
· ୫ ଥର ବିଶ୍ୱ ଚମ୍ପିଆନ୍‍ ହେବା ପରେ ଏବଂ ଅଲିମ୍ପିକ୍‍ସ ପଦକ ଜିତିଥିବ ୩୫ ବର୍ଷ ବୟସ୍କା ଏମ୍‍.ସି. ମେରି କମ୍‍ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ଜିତିଥିଲେ।
· ସର୍ବକନିଷ୍ଠା ଭାରତୀୟ ମହିଳା ଭାବେ ୧୬ ବର୍ଷ ବୟସ୍କା ମାନୁ ଭାକର (ସୁଟିଂ) ସ୍ୱର୍ଣ୍ଣପଦକ ଜିତିଥିଲେ।
· ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେଇ ନୀରଜ ଚୋପ୍ରା ଜାଭେଲିନ୍‍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ଭାରତର ପ୍ରଥମ ଜାଭେଲିନ୍‍ ସ୍ୱର୍ଣ୍ଣ।
· ସୁଟିଂରେ ଦୁଇ ଭାରତୀୟ ମହିଳା ହିନା ସିଦ୍ଧୁ ଓ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣ ସହ ୨ଟି ଲେଖାଏଁ ପଦକ ଜିତିଥିଲେ।
· କୁସ୍ତିରେ ବଜରଙ୍ଗ ପୁନିଆ ୱେଲ୍‍ସର କେନ୍‍ ଚାରିଗ୍‍ଙ୍କ ବିରୋଧରେ ଫାଇନାଲ ମୁକାବିଲାକୁ ମାତ୍ର ୨ ମିନିଟରେ ଜିତି ନେଇଥିଲେ।
· ପ୍ରଥମ ଭାରତୀୟ ଭାବେ କୁସ୍ତିରେ କ୍ରମାଗତ ୩ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଶୀଲ କୁମାର। ଅଲିମ୍ପିକ୍‍ସରେ ସୁଶୀଲ ୨ଟି ପଦକ ଜିତିଛନ୍ତି।
· ବ୍ୟାଡ୍‍ମିଣ୍ଟନ୍‍ରେ ଭାରତ ଗୋଟିଏ କ୍ରୀଡ଼ାରେ ସର୍ବାଧିକ ୬ଟି ପଦକ ଜିତିପାରିଛି।
· ଟେବୁଲ୍‍ ଟେନିସ୍‍ରେ ଭାରତ ଅଦ୍ୟାବଧି ସର୍ବାଧିକ ୮ଟି ପଦକ ଜିତିପାରିଛି।

ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୧୮ ରେ ଭାଗ ନେଇଥିବା ଭାରତୀୟ କଣ୍ଟିନଜେଣ୍ଟକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ 

                                                                   ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିବା ସଫଳ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । “୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କଣ୍ଟିନଜେଣ୍ଟ ଉତ୍ତମ କ୍ରୀଡା ପ୍ରଦର୍ଶନ କରି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ଆମର ସମସ୍ତ ଖେଳାଳୀ ଭଲ ଖେଳ ଖେଳିବା ସହ ଉଚ୍ଚକୋଟୀର କ୍ରୀଡା ନୈପୂଣ୍ୟ ପ୍ରଦର୍ଶନ କରିଛନ୍ତି । ପଦକ ନେଇ ଆସୁଥିବା ସବୁ ଖେଳାଳୀଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ।

୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିବା ସମସ୍ତ ଖେଳାଳୀ ଆମକୁ ପ୍ରେରଣା ଦେଉଛନ୍ତି । ସେମାନଙ୍କର ଜୀବନାଦର୍ଶ ଏକ ସମର୍ପିତ ସାମର୍ଥ୍ୟର ପରାକାଷ୍ଠା ପ୍ରଦର୍ଶନ କରୁଛି ଏବଂ ସେମାନଙ୍କଠାରେ କେବେ-ହାରିବି-ନାହିଁ ମନୋଭାବ ପ୍ରକଟ କରୁଛି ଯାହାକି ରାଜ୍ୟଗୋଷ୍ଠୀ କ୍ରୀଡାରେ ସମସ୍ତ ପ୍ରତିଦ୍ୱନ୍ଦୀତାକୁ ଅତିକ୍ରମ କରି ସାଫଲ୍ୟର ଶୀର୍ଷ ସୋପାନରେ କ୍ରୀଡାବିତମାନଙ୍କୁ ପହଂଚାଇଛି ।

ଆଶାକରୁଛି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସାଫଲ୍ୟ ଦେଶର ଅଧିକରୁ ଅଧିକ ଉଦୀୟମାନ ଯୁବ ପ୍ରତିଭାମାନଙ୍କୁ କ୍ରୀଡା କ୍ୟାରିଅର ପ୍ରତି ଅନୁପ୍ରେରୀତ କରିବ ଏବଂ ପ୍ରତ୍ୟେକଙ୍କୁ ନିଜ ନିଜ ଜୀବନରେ ସୁସ୍ଥ ଓ ସାମର୍ଥ୍ୟବାନ ହେବାର ଆବଶ୍ୟକତା ନେଇ ସଚେତନ କରାଇବ । ସରକାରଙ୍କ ପକ୍ଷରୁ ଫିଟ୍ ଇଣ୍ଡିଆ ଆନ୍ଦୋଳନକୁ ଆହୁରି ମଜବୁତ କରିବା ଲାଗି ଯାହାକିଛି ସମ୍ଭବ କରାଯିବ,” ବୋଲି ପ୍ରଧାନମନ୍ତ୍ରୀ କ୍ରମାଗତ ଟ୍ୱିଟ ଜରିଆରେ କହିଛନ୍ତି ।

Leave A Reply