୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ସ୍ୱାସ୍ଥ୍ୟ ସଚିବ ଓ ଏସପିଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ

0

କଲମପୁର :ଜର୍ମାନୀ ରୁବେଲା ଓ ମିଳିମିଳା ଟୀକା ନେଇ ସ୍ଥାନୀୟ ଦ୍ରୋଣଚାର୍ଯ୍ୟ ଇଂରାଜୀ ମିଡିୟମରେ ଏଲ କେଜି ରେ ପାଠ ପଢୁଥିବା ମନିଷ କୁମାର ପଣ୍ଡାଙ୍କ ଗତ ଫେବୃଆରୀ ୧୦ ଦିନ ବିଶାଖାପାଟଣାସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ମନିଷଙ୍କ ପିତା ରାଜୀବ ଲୋଚନ ପଣ୍ଡା ଓ ମାଆ ମମତାଙ୍କ ସେ ଏକମାତ୍ର ସନ୍ତାନ ଥିଲା। ମନିଷର ଅବର୍ତମାନରେ ଏହି ଦମ୍ପତି ନିଃ ସନ୍ତାନ ପାଲଟି ଯାଇଛନ୍ତି। ଏନେଇ ‘ସମାଜ’ରେ ଖବର ପ୍ରକାଶିତ ହେବା ପରେ ଦମ୍ପତିଙ୍କ ମାନବିକ ଅଧିକାର ଉଲଂଘନ ହେଇଥିବା ଅଭିଯୋଗ କରି ବୌଦ୍ଧ ଜିଲା ହରଭଙ୍ଗାର ମାନବାଧିକାର କର୍ମୀ ସଚ୍ଚିନ୍ଦ୍ର ସାହୁ ଜାତୀୟ ମାନବାଧିକା କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ଏହାସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଜନସାଧାରଣଙ୍କୁ ଆବଶ୍ୟକୀୟ ସଚେତନ କରାଯାଇ ନଥିବାରୁ ଏଭଳି ଅଘଟଣ ଘଟି ଜଣେ ନିରୀହ ଶିଶୁର ମୃତ୍ୟୁ ହେଇଥିବାରୁ ଦାୟୀତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହବା ସହ ନିଃ ସନ୍ତାନ ଦମ୍ପତିଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଦେବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଅନୁରୋଧ କରିଥିଲେ। ମାନବାଧିକା କମିଶନ ଅଭିଯୋଗର ଗୁରୁତ୍ୱ ଦୃଷ୍ଟିରୁ ତାହାକୁ ଗ୍ରହଣ କରିବା ସହ ତୁରନ୍ତ ଏହାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମ ଶୁଣାଣୀରେ ଜାତୀୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟ ଓପରିବାର କଲ୍ୟାଣ ବିଭାଗ ସଚିବଙ୍କ ସମେତ କଳାହାଣ୍ଡି ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ୪ ସପ୍ତାହ ମଧ୍ୟରେ ରୁବେଲା ଟୀକା ନେଇ ମୃତ୍ୟୁ ବରଣ କରିଥିବା ଶିଶୁ ସମ୍ବନ୍ଧରେ ସବିଶେଷ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଶିଶୁଟିର ମୃତ୍ୟୁର ଦୁଇ ଦିନ ପରେ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଜିଲା ଅତିରିକ୍ତ ଚିକିତ୍ସା ଅଧିକାରୀ ପରିବାର ଲୋକଙ୍କସହିତ ଆଲୋଚନା କରିଥିଲେ। ସେହି ସମୟରେ ଶିଶୁର ପିତା ଶିଶୁର ଅବସ୍ଥା ଟୀକା ନେବା ପୂର୍ବରୁ ସ୍ୱାଭାବିକ ଥିବା ଦର୍ଶାଇବା ସହ ଟୀକା ନେବା ପରେ ହଠାତ୍ ଅସୁସ୍ଥ ହେଇ ପଡିଥିଲା ଓ ତୁରନ୍ତ ବିଶାଖାପାଟଣା ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ତାର ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ୧୦.୨.୨୦୧୮ ତାରିଖ ଦିନ ତାର ମୃତ୍ୟୁ ଘଟିଥିଲା ବୋଲି ସୂଚନା ଦେଇଥିଲେ। ଏହି ସାକ୍ଷାତ ସମୟରେ ଉପସ୍ଥିତ ଅଧିକାରୀ ମାନେ ଯେଉଁ ଟିକା ନେଇ ଶିଶୁ ଗୁରୁତ୍ୱ ହେଇ ପଡିଥିଲା ତାର ନମୁନା ଯାଞ୍ଚ କରାଯିବ ବୋଲି ମତବ୍ୟକ୍ତ କରିଥିଲେ କିନ୍ତୁ ଘଟଣାର ୩ ମାସ ପରେ ମଧ୍ୟ କୌଣସି ବିଷୟରେ ମୃତ ଶିଶୁର ପରିବାରକୁ ସୂଚନା ଦିଆନଯିବା ପରିତାପର ବିଷୟ। ବର୍ତମାନ ଏହି ଘଟଣାକୁ ଚାପି ଦେବାର ଉଦ୍ୟମ କରାଯାଉଥିବା ମୃତ ଶିଶୁର ପିତା ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଜିଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କେହି ପ୍ରଶାସନିକ ଅଧିକାରୀ ଏହି ପ୍ରଭାବିତ ପରିବାରକୁ ସମବେଦନା ନ ଜଣାଇବା ପରିତାପର ବିଷୟ। ତେଣୁ ତୁରନ୍ତ ଏହାର ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

Leave A Reply