ଏକର ପ୍ରତି ୧୦ ହଜାର ଟଙ୍କା କ୍ଷତି ପୁରଣ ଦେବାକୁ ଦାବି

0

କଲମପୁର : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟକେନାଲର ମରାମତି ହେବା ନେଇ ଟେଣ୍ଡର ହେବା କାରଣରୁ ଚଳିତ ରବି ଫସଲ ପାଇଁ ଜଳ ସେଚନକୁ ବନ୍ଦ କରାଯାଇଥିଲା। ଗତ ଖରିଫ ଚାଷ ସମୟରେ ଦକ୍ଷିଣ ମୁଖ୍ୟ କେନାଲ ସେଚାଞ୍ଚଳରେ ମାଟିଆଗୁଣ୍ଡି ପୋକର ପ୍ରଭାବ କାରଣରୁ ୮୦ ପ୍ରତିଶତ ଚାଷୀଙ୍କ ଚାଷ ନଷ୍ଟ ହେଇଥିଲା। ତେଣୁ ଚାଷୀ ସଂଗଠନ ତରଫରୁ ରବି ଫସଲ ପାଇଁ ଜଳ ସେଚନ ଯୋଗାଇ ଦେଲେ ଚାଷୀ କିଛି ମାତ୍ରାରେ ନିଜର କ୍ଷତି ଭରଣା କରି ପାରିବ। ତେଣୁ ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ଜଳ ସେଚନ ଯୋଗାଇ ଦେବା ପାଇଁ ଦାବୀ କରିଥିଲେ। ଏପରିକି ଜାତୀୟ ରାଜ ପଥ ୨୬ କୁ ଅବରୋଧ କରି ଦକ୍ଷିଣ ମୁଖ୍ୟ କେନାଲ ବିଭାଗ ୨ ଜୁନାଗଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଦେଇଥିଲେ। ଏହି ଧାରଣା ସମୟରେ ବିଭାଗ ତରଫରୁ ଏକ ମାସ ମଧ୍ୟରେ କେନାଲ ପୁନଃ ମରାମତି କାର୍ଯ୍ୟ କରାଯିବା ଦର୍ଶାଇ ଜଳସେଚନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। କିନ୍ତୁ ଶେଷ ମୂହୁର୍ତରେ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ଟେଣ୍ଡର ଫିକ୍ସିଂ ହେଇଥିବା ଦର୍ଶାଇ ୭.୪.୨୦୧୮ ଦିନ ଟେଣ୍ଡର ବାତିଲ କରିଦେଇଥିଲେ। ଚାଷୀ ଯାହା ଆଶଙ୍କା କରୁଥିଲେ ତାହା ସତରେ ପରିଣତ ହେଇଥିଲା। ଚାଷୀଙ୍କୁ ନା ମିଳିଲା ପାଣି ନା କେନାଲ ମରାମତି ହେଲା। ଯାହା ଦ୍ୱାରା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ସେଚାଞ୍ଚଳରେ ଥିବା ଜୟପାଟଣା, କଲମପୁର ଓ ଜୁନାଗଡ ଅଂଚଳର ହଜାର ହଜାର ଚାଷୀ ପ୍ରଭାବିତ ହେଲେ । ଏହି କେନାଲ ମାଧ୍ୟମରେ ଏହି ୩ଟି ବ୍ଲକର ୨୬ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବା ପାଇଁ ସରକାରଙ୍କୁ ମିଳୁଥିବା ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଇଥିବା ବେଳେ ଚାଷୀ ଚାଷ କରିବାରୁ ବଂଚିତ ହେଇ କ୍ଷତି ସହିଲେ। ଏହାସହ ଚାଷ କାମରେ ନିୟୋଜିତ ଶ୍ରମିକଙ୍କ ମଧ୍ୟ କ୍ଷତି ହେଲା। ତେଣୁ ତୁରନ୍ତ ଚାଷୀଙ୍କୁ ଏକର ପ୍ରତି ୧୦ ହଜାର ଟଙ୍କାର କ୍ଷତି ପୁରଣ ଦେବା ନେଇ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ସୁରକ୍ଷା ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଇନ୍ଦ୍ରାବତି ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ତାଙ୍କ ସହାୟକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଏ ଅବସରରେ ମଂଚ ତରଫରୁ ବିପିନ ବିହାରୀ ପ୍ରଧାନୀ, ସୁବୋଧ ଖମାରୀ,ଅ।ଇନଜୀବି ହେମନ୍ତ କୁମାର ପଣ୍ଡା, ସୁଦିପ ଜୋଷୀ, ଜିତେନ୍ଦ୍ର ପଣ୍ଡା, ବାବୁଲା ପଣ୍ଡା, ବଦ୍ରୀ ନାଗ, ପ୍ରବିର କୁମାର ପଣ୍ଡା, ପବନ ମାଝୀ, ମଧୁସୁଦନ ରାଉତ, ଡମ୍ବରୁଧର ମାଝୀ, ଜିଲାପରିଷଦ ସଭ୍ୟ ଶୁସାନ୍ତ କୁମାର ରାଉତ, ପୂର୍ବତନ ସରପଞ୍ଚ ନରେନ୍ଦ୍ର କୁମାର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ପ୍ରତିବାଦ ସ୍ଥଳକୁ ଯାଇଥିଲେ। ବିପିନ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିବାଦ ସଭାରେ ଇନ୍ଦ୍ରାବତି ଜଳ ସେଚନ ବିଭାଗ ତରଫରୁ ବାରମ୍ବାର ଦକ୍ଷିଣ ମୁଖ୍ୟ କେନାଲ ପ୍ରତି ଅବହେଳା କରାଯାଉଥିବା ଓ ଅନେକ ସମୟରେ ଜଳସେଚନ ସମୟରେ ଅନିୟମିତତା କରାଯାଥିବାରୁ ତଳମୁଣ୍ଡକୁ ସଠିକ ଭାବେ ଜଳ ସେଚନ ଯୋଗାଣରେ ସମସ୍ୟା ଦେଖା ଦେଉଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଏପରିକି ଅନେକ ଶାଖା ପ୍ରଶାଖା କେନାଲର ଅବସ୍ଥା ଅତ୍ୟନ୍ତ ଦୟନୀୟ ହେଇଥିବା ସୂଚନା ଦେଇଥିଲେ। ଆଗାମୀ ଦିନରେ ଚାଷୀଙ୍କ ଆନ୍ଦୋଳନକୁ ବ୍ୟାପକକରାଯିବା ନେଇ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି ।

Leave A Reply