ଜୁନ୍‌ରୁ କଳାହାଣ୍ଡି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ

0

ଭୁବନେଶ୍ୱର : ଆସନ୍ତା ଜୁନ୍‍ ମାସରେ କଳାହାଣ୍ଡି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଦୁଇବର୍ଷ ମଧ୍ୟରେ ଅର୍ଥାତ ୨୦୨୦ ବେଳକୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥିପାଇଁ ୩୦୨କୋଟି ୩୯ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ମେଡିକାଲ କଲେଜ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୨.୩୯ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଟିଚିଂ ହସ୍ପିଟାଲ ନିର୍ମାଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ସହ ବେଦାନ୍ତ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏଥିରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ହେବ। ଏହି ଅର୍ଥ ବେଦାନ୍ତ ଖର୍ଚ୍ଚ କରିବ। ରାଜ୍ୟବାସୀଙ୍କ ନିକଟରେ ଗୁଣାତ୍ମକ ଓ ଉନ୍ନତମାନର ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‍ଦର୍ଶନରେ ପ୍ରତିଷ୍ଠା ହେବାକୁ ଯାଉଥିବା କଳାହାଣ୍ଡି ମେଡିକାଲ କଲେଜ ସଂପୃକ୍ତ ଅଞ୍ଚଳବାସୀଙ୍କ ସେବାରେ ଉତ୍ସର୍ଗୀକୃତ ହେବ।
ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ପୂର୍ବରୁ ଥିବା କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜକୁ ଛାଡି ୨୦୧୭-୧୮ ଶିକ୍ଷାବର୍ଷରୁ ବାରିପଦାରେ ପ୍ରତିଷ୍ଠିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ କୋରାପୁଟର ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଚଳିତ ଶିକ୍ଷାବର୍ଷରୁ ବଲାଙ୍ଗୀର ଓ ବାଲେଶ୍ୱର ମେଡିକାଲ କଲେଜରେ ଶିକ୍ଷାଦାନ ଆରମ୍ଭ ହେବ। ଖୁବ୍‍ଶୀଘ୍ର କଳାହାଣ୍ଡି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ବେଳେ କାର୍ଯ୍ୟାରମ୍ଭର ୨୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏହି ମେଡିକାଲ କଲେଜରୁ ପ୍ରତି ବର୍ଷ ୧୦୦ ଏମ୍‍.ବି.ବି.ଏସ୍‍. ଡାକ୍ତର ବାହାରିବେ। ସେହିପରି ପୁରୀ, ତାଳଚେର, ସୁନ୍ଦରଗଡ ଓ କେନ୍ଦୁଝରରେ ପ୍ରସ୍ତାବିତ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା ସେ କହିଛନ୍ତି। ଏହାଦ୍ୱାରା ଅଧିକ ସଂଖ୍ୟକ ଏମ୍‍.ବି.ବି.ଏସ୍‍. ଡାକ୍ତର ସୃଷ୍ଟି ହେବେ। ସ୍ୱାସ୍ଥ୍ୟସେବାକୁ ରାଜ୍ୟବାସୀଙ୍କ ନିକଟତର କରାଇବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରୋକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଫଳିତ ହୋଇପାରିବ।
କଳାହାଣ୍ଡି ମେଡିକାଲ କଲେଜ ଓ ହସ୍ପିିଟାଲ ପୂର୍ତ୍ତ ବିଭାଗ ତତ୍ତ୍ୱାବଧାନରେ ଟର୍ଣ୍ଣ-କି ଭିତ୍ତିିରେ ନିର୍ମାଣ କରାଯିବ। ଏ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଜୁନ୍‍ରୁ କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କହିଛନ୍ତି। ଏହି ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟରେ ୩୦୦ ଛାତ୍ର,୧୫୦ ଛାତ୍ରୀ, ୧୦୦ ଶିକ୍ଷାନବୀଶ, ୧୦୦ ସିନିୟର ରେସିଡେଣ୍ଟ ଓ ୬୦ ଜଣ ନର୍ସ ରହିପାରିବା ଭଳି ହଷ୍ଟେଲ କରାଯିବ। ଏହା ବ୍ୟତୀତ ୨୫ ଟି ୪-ଆର୍‍, ୨୫ ଟି ୩-ଆର୍‍ ଓ ୩୬ ଟି ୨-ଆର୍‍ ଏହିପରି ମୋଟ ୮୬ଟି ବାସଗୃହ ନିର୍ମାଣ କରାଯିବ। ନିର୍ମିତ ହେବାକୁ ଥିବା ହସ୍ପିିଟାଲରେ ୧୫୦ ସ୍ଥାନ ବିଶିଷ୍ଟ ନର୍ସିଂ ହଷ୍ଟେଲ, ପାରାମେଡିକ୍‍ଙ୍କ ପାଇଁ ୩୬ ଟି ବାସଗୃହ ରହିବ। ଏହା ବ୍ୟତୀତ ୬୫୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ଅଡିଟୋରିୟମ୍‍ ମଧ୍ୟ ନିର୍ମିତ ହେବ।

Leave A Reply